ଓଡ଼ିଶାରେ ହାତୀଙ୍କ ପାଇଁ ଜଙ୍ଗଲ ନାହିଁ

Elephant

ଓଡ଼ିଶାରେ ହାତୀଙ୍କ ପାଇଁ ଜଙ୍ଗଲ ନାହିଁ

ଭୁବନେଶ୍ୱର : ଚିନ୍ତାରେ ଏବେ ରାଜ୍ୟର ହାତୀକୂଳ  । ରାଜ୍ୟରେ ଯେତିକି ହାତୀ ଅଛି, ସେମାନଙ୍କ ରହିବା ଓ ଖାଇବା ପାଇଁ ସେତିକି ଜଙ୍ଗଲ ନାହିଁ  । ଜଙ୍ଗଲ ଅଭାବ ଏବେ ମୁଖ୍ୟ ସମସ୍ୟା ପାଲଟିଯାଇଛି  । ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ୪ ଶହ ହାତୀ ରହିଛନ୍ତି  । ରାଜ୍ୟରେ ଏବେ ୧୭ ଶହ ହାତୀ ରହିବା ଭଳି ଜଙ୍ଗଲ ଅଛି  । କିନ୍ତୁ ଏବେ ରାଜ୍ୟରେ ୨୦୯୮ ହାତୀ ଥିବାରୁ ସମସ୍ୟା ଉପୁଜିଛି  ।

ସୂଚନାଯୋଗ୍ୟଯେ, ୨୦୧୪-୧୫ ରୁ ୨୦୨୩-୨୪ ମଧ୍ୟରେ ବିଗତ ୧୦ ବର୍ଷରେ ବିଭିନ୍ନ କାରଣରୁ ୭୯୦ ହାତୀଙ୍କ ମୃତ୍ୟୁ ହେଉଛି । ମୃତ୍ୟୁହାର ତୁଳନାରେ ହାତୀ ଜନ୍ମହାର ଅଧିକ ରହିବା କାରଣରୁ ହାତୀ ସଂଖ୍ୟା ବଢୁଛି । ରାଜ୍ୟରେ ମୋଟ ୫୨ ହଜାର ୧୫୬ ବର୍ଗ କି.ମି ଜଙ୍ଗଲ ରହିଛି ।  ଓଡ଼ିଶାରେ ଯେତିକି ଜଙ୍ଗଲ ରହିଛି ସେଥିରେ ୧୭ ଶହ ହାତୀ ଚଳପ୍ରଚଳ କରିପାରିବେ । ରାଜ୍ୟର ୪୮ଟି ଡିଭିଜନର ୨୮ ଜିଲ୍ଲାରେ ହାତୀ ଗଣନା ହୋଇଥିଲା । ମୋଟ ୨୦୯୮ ହାତୀ ଥିବାବେଳେ ବୟସ୍କ ଦନ୍ତା ୩୧୩, ମଖନା ୧୩, ପ୍ରାପ୍ତ ବୟସ୍କା୨୮୨, କିଶୋର ୨୦୯ ଏବଂ ହାତୀ ଶାବକ ୩୮୫ ରହିଛନ୍ତି । ଅନୁଗୋଳ ସର୍କଲରେ ୭୭୯ ହାତୀ ଥିବାବେଳେ ବାରିପଦା ସର୍କଲ ୪୩୧, ବ୍ରହ୍ମପୁର ସର୍କଲ ୧୭୭, ଭବାନୀପାଟଣା ସର୍କଲ ୧୫୭ ହାତୀ ରହିଛନ୍ତି । 

 ୨୦୧୪-୧୫ ରୁ ୨୦୨୩-୨୪ ମଧ୍ୟରେ ୭୯୦ ହାତୀଙ୍କ ମୃତ୍ୟୁ ହୋଇଛି  । ରେଳ ଦୁର୍ଘଟଣାରେ ୨୬, ସଡ଼କ ଦୁର୍ଘଟଣାରେ ୭, ପାହାଡରୁ ଖସି ୧୪୧ ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍‌ ଦୁର୍ଘଟଣାରେ ୪୩, ବିଦ୍ୟୁତ୍‌ ସଂସ୍ପର୍ଶରେ ୮୩, ଆନ୍ଥ୍ରାକ୍ସରେ ୫୫, ହରପିସରେ ୧୨ ଏବଂ ଅନ୍ୟ ରୋଗରେ ୨୨୩ ହାତୀଙ୍କ ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ୭୫, ଅଜଣା କାରଣରୁ ୮୧ ହାତୀ ମରିଛନ୍ତି ।