ଜାତୀୟ ଶିକ୍ଷାନୀତି ୨୦୨୦ ପୁସ୍ତକ ଲୋକାର୍ପିତ

 ଜୟପୁର :ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ଼ ମନୋରଞ୍ଜନ ପ୍ରଧାନଙ୍କ ଦ୍ୱାରା ଲିଖିତ ପୁସ୍ତକ ଜାତୀୟ ଶିକ୍ଷାନୀତି ୨୦୨୦ ଏକ ଅନୁଶୀଳନ ପାଠ୍ୟାର୍ପଣ ହୋଇଯାଇଛି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜୟପୁର ଦ୍ୱାରା ଆୟୋଜିତ ଏକଦିବସୀୟ ଜିଲ୍ଲା ଭିତ୍ତିକ ପତ୍ରବାଚନରେ ଅଧ୍ୟକ୍ଷ ରୂପ ଚନ୍ଦ୍ର ସୋରେନଙ୍କ ସଭାପତିତ୍ୱ ଏବଂ ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ଡ଼ ଯୁଗଳ କିଶୋର ମିଶ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ପରିବେଶବିତ୍ ଡ଼ ପ୍ରଦୀପ କୁମାର ମିଶ୍ର, ସେମିଳିଗୁଡା କଲେଜର ଶିକ୍ଷା ବିଭାଗର ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟ  ଦେବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତୀ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଉମାକାନ୍ତି ବାଇପାଇ, ଗାୟତ୍ରୀ ବୈଠାରୁ, ବ୍ରହ୍ମାନନ୍ଦ ଟୁଡୁ, ସ୍ୱାତୀ ପାତ୍ର, କୁସୁମ ପାଣ୍ଡେ ଓ କୋରାପୁଟ ଜିଲ୍ଲାର ୧୩ଟି ବ୍ଳକରୁ ଆସିଥିବା ପଚାଶରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶତାଧିକ ଗୁରୁ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ପୁସ୍ତକଟି ଉନ୍ମୋଚନ ହୋଇଯାଇଛି । ପୁସ୍ତକ ସମ୍ବନ୍ଧରେ ଡ଼ ପ୍ରଦୀପ କୁମାର ମିଶ୍ର ସମ୍ୟକ୍ ସୂଚନା ପରେ  ପୁସ୍ତକଟି ଲୋକାର୍ପଣ ହୋଇଥିଲା ଏବଂ ପରେ ଲେଖକ ଡ଼ ମନୋରଞ୍ଜନ ପ୍ରଧାନ ସମବେତ ବୁଦ୍ଧିଜୀବୀଙ୍କୁ ପୁସ୍ତକ ବାବଦରେ ବିଶଦ ବିବରଣୀ ରଖିଥିଲେ । ସୂଚନା ଯୋଗ୍ୟକି ଏଥେନା ବୁକ୍ସ, ଭୁବନେଶ୍ୱର ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟି ଡ଼ ପ୍ରଧାନଙ୍କ ତିରିଶଟି ନିବନ୍ଧକୁ ନେଇ ସଂକଳିତ ଓ ସମୃଦ୍ଧ । ଜାତୀୟ ଶିକ୍ଷାନୀତି ୨୦୨୦ର ବିଭିନ୍ନ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଶୀଳନ କରିଛନ୍ତି ଡ଼ ପ୍ରଧାନ । ପୁସ୍ତିକା ସ୍ଥିତ ସମସ୍ତ ନିବନ୍ଧ ସାପ୍ତାହିକ ପତ୍ରିକା ରାଷ୍ଟ୍ର ଦୀପରେ ଧାରାବାହିକ ଭାବରେ ତିରିଶ ସପ୍ତାହ ଧରି ପ୍ରକାଶିତ ହୋଇଥିଲା ଯାହାର ପୂର୍ଣ୍ଣାଙ୍ଗ ଅବୟବ ହେଉଛି ପୁସ୍ତକ ଜାତୀୟ ଶିକ୍ଷାନୀତି ୨୦୨୦ ଏକ ଅନୁଶୀଳନ । ପୁସ୍ତକକୁ ସମୀକ୍ଷା କରି ମଞ୍ଚାସୀନ ଅତିଥୀମାନେ ଲେଖକଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଜାତୀୟ ଶିକ୍ଷାନୀତି ୨୦୨୦କୁ ରାଜ୍ୟରେ ଗତିଶୀଳ କରିବାରେ ବିଶେଷ ସାହାଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।