ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

 ଭୁବନେଶ୍ୱର ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । କେଉଁଠି ସ୍କୁଲ ଅଛି ପିଲା ନାହାନ୍ତି, ଆଉ କେଉଁଠି ପିଲା ଅଛନ୍ତି ଶିକ୍ଷକ ନାହାନ୍ତି । ଏଭଳି ପରିସ୍ଥିତି ଯୋଗୁଁ ଜିଲ୍ଲାରେ ଶିକ୍ଷାର ହାର ରାଜ୍ୟରେ ସର୍ବନିମ୍ନ ରହିଛି । ଜିଲ୍ଲାରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ପିଲା ଏବେ ବି ସ୍କୁଲ ଯାଇ ବି ଅଶିକ୍ଷିତ ରହିଛନ୍ତି । ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀ ଏ ନେଇ ଅବଗତ ରହିଥିଲେ ମଧ୍ୟ ଶିକ୍ଷକ ଅଭାବ ଏବଂ ଗୃହ ଅଭାବ କାରଣ ଦେଖାଇ ନିଜ ଦୋଷ ମୁଣ୍ଡରୁ ଝାଡି ଦେଉଛନ୍ତି । ଏଭଳି ଦେଖିବାକୁ ମିଳିଛି କୋରୁ କୋଣ୍ଡା ବ୍ଲକ ମାରିବାଡା ପଞ୍ଚାୟତର ଏମଭି-୨୪ ଗ୍ରାମରେ ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ଜଣେ ଶିକ୍ଷକ ରହିଛନ୍ତି । ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୪ ଜଣ, ଦ୍ୱିତୀୟ ଶ୍ରେଣୀରେ ୬ ଜଣ, ତୃତୀୟ ଶ୍ରେଣୀରେ ୧୫ ଜଣ, ଚତୁର୍ଥ ଶ୍ରେଣୀରେ ୪ ଜଣ, ପଞ୍ଚମ ଶ୍ରେଣୀରେ ୮ ଜଣ, ଷଷ୍ଠ ଶ୍ରେଣୀରେ ୨ ଜଣ, ସପ୍ତମ ଶ୍ରେଣୀରେ ୯ ଜଣ ଏବଂ ଅଷ୍ଟମ ଶ୍ରେଣୀରେ ୭ ଜଣ ପିଲା ଅଧ୍ୟୟନ କରୁଛନ୍ତି । ତେବେ ମୋଟରେ ୫୪ ଜଣ ପିଲା ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକକୁ ଜଣେ ଶିକ୍ଷୟତ୍ରୀ ରହିଥିଲେ । ଶିକ୍ଷୟତ୍ରୀ ଜଣକ ଅନ୍ୟତ୍ର ଡେପୁଟେସନରେ ଚାଲିଯାଇଥିବା ବେଳେ ଜଣେ ମାତ୍ର ପ୍ରଧାନ ଶିକ୍ଷକ ସ୍କୁଲରେ ପାଠ ପଢାଇବା ସହ ସମସ୍ତ କାର୍ଯ୍ୟାଳୟ କାମ ଏବଂ ଅନ୍ୟ କାମ କରୁଥିବା ଜଣାପଡିଛି । ଏଠାରେ ୮ମ ପର୍ଯ୍ୟନ୍ତ ସ୍କୁଲ ଖୋଲି ଦିଆଗଲା କିନ୍ତୁ ଏଥିପାଇଁ ଶ୍ରେଣୀ ଗୃହ ଏବଂ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଗଲା ନାହିଁ । ଯାହାଫଳରେ ପିଲାମାନେ ଗୋଟିଏ କଠୋରୀରେ ବସି ପାଠ ପଢୁଛନ୍ତି । ଆଜି ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ପୋଷାକ ମିଳିନାହିଁ । ପିଲାମାନେ ଅଙ୍ଗନବାଡି କେନ୍ଦ୍ରରେ ମିଳିଥିବା ପୋଷାକ ପିନ୍ଧି ସ୍କୁଲକୁ ଆସିଥିବା ଦେଖିବାକୁ ମିଳୁଛି ।