ଆଇଏଏସସ୍ତରରେ ଛୋଟ ଅଦଳବଦଳ : ସିଏମଓରୁ ହଟିଲେ ଅରିନ୍ଦମ
IAS resuffle

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୯୯୯ ବ୍ୟାଚ୍ ଆଇଏଏସ ଏନବିଏସ ରାଜପୁତ ଏବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବାବେଳେ ତାଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ୨୦୦୦ ବ୍ୟାଚ ଆଇଏଏସ ତେମଜେନୱାପଙ୍ଗଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି ।
ଅପରପକ୍ଷରେ ୨୦୦୮ ବ୍ୟାଚ ଆଇଏଏସ ଭୂପେନ୍ଦ୍ର ସିଂ ପୁନିଆ ଏବେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-ସଚିବ କରାଯାଇଛି । ସେହିପରି ୨୦୧୦ ବ୍ୟାଚ ଆଇଏଏସ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି । ଏବେ ସେ ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ।