ଠକ ଅଜିତ୍ ପାତ୍ରକୁ ଭିଭିଆଇପି ପ୍ରୋଟୋକଲ

 ଭୁବନେଶ୍ୱର:  ପୁଣି ଚର୍ଚ୍ଚାରେ ଆନ୍ତଃରାଜ୍ୟ ଠକ ଅଜିତ୍ ପାତ୍ର  । ନିଜକୁ ସାଧକ ବୋଲି କହି ଅନେକଙ୍କ ମନ ଜିଣିନେଇଛି  । ରାଜ୍ୟର ଜଣେ ଏଡ଼ିଜି ପାହ୍ୟାର ଅଧିକାରୀ ଏବେ ଅଜିତ ପ୍ରେମରେ ଉବୁଟୁବୁ ହେଉଛନ୍ତି  । ଜଗନ୍ନାଥ ମନ୍ଦିର ହେଉକି ବିମାନ ବନ୍ଦର ସବୁଠି ତାକୁ ମିଳୁଛି ଭିଭିଆଇପି ସେବା  । କେବେ ଆଇଏଏସଙ୍କ ନାଁରେ ତ କେବେ ଆଇପିଏସଙ୍କ ନାଁରେ, କେଉଁଠି ନେତାଙ୍କ ନାମରେ ତ କେଉଁଠି ବିଚାରପତିଙ୍କ ନାମରେ ବି ଲୋକଙ୍କୁ ଭୂତେଇ ସେ ଚୂନ ଲଗାଇଚାଲିଛି । ସତେଯେମିତି ଠକ କୋର୍ସରେ ସେ ପିଏଚଡ଼ି କରିଛି  । ଯାହାଏବେ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ହେଉଛି  ।
ଠକ ଅଜିତ୍ ପାତ୍ର ଯାହିତାହି ଠକ ନୁହେଁ  । ଚୂନ ମାରିବାରେ ପୂରା ଓସ୍ତାଦ  । ଦିଲ୍ଲୀରୁ ପଲ୍ଲୀ ଯାଏଁ ତା’ ଠକେଇର ଚେର ଲମ୍ବିଛି  । ୨୦୧୯ରେ ଏକ ଏତଲା ଆଧାରରେ ତାକୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ବି ବାନ୍ଧିଥିଲା  । ଆଇଏଏସ, ଆଇପିଏସ, ନେତା ଓ ବିଚାରପତିଙ୍କ ନାମରେ ଠକେଇ କରିବା ତା’ର ପେଶା  । ଖାଲି ପେଶା କହିଲେ ହେବନି, ଏହା ତା’ର ଏକ ସଉକ କହିଲେ ଭୁଲ୍ ହେବନାହିଁ  । ଦିଲ୍ଲୀରେ ନିଜକୁ ସାଧକ ପରିଚୟ ଦେଇ ଏବେ ସେ ଲୁଟ୍ ଜାରିରଖିଛି  । ଓଡ଼ିଶାର ଜଣେ ଏଡ଼ିଜି ପାହ୍ୟାର ଅଧିକାରୀ ଅଜିତର ଖାସ୍ ଲୋକ ପାଲଟିଯାଇଛନ୍ତି  । ପୁରୀ ଜଗନ୍ନାଥ ମନ୍ଦିରକୁ ସେ ଭିଭିଆଇପିଙ୍କ ଭଳି ସ୍ୱତନ୍ତ୍ର ପ୍ରୋଟକଲରେ ଯାଉଛି  । ଶରଧାବାଲି ଅଘଟଣ ଦିନ ଅଜିତ୍ ବି ତା’ର ଚେଲା ଚାମୁଣ୍ଡାଙ୍କୁ ଧରି ରଥ ପାଖକୁ ଯାଇଥିଲା  ।  ତାକୁ ୪ଟି ଗାଡ଼ିର ପାସ୍ ବି ଦିଆଯାଇଥିଲା  । ବେଆଇନ୍ କର୍ଡ଼ନ ପାସ୍ ଆଉ ପାସ୍ ଯୋଗୁଁ ରଥଯାତ୍ରାରେ ବିଭ୍ରାଟ ସୃଷ୍ଟି ହୋଇଥିବା କଥା ସମସ୍ତେ ଜାଣନ୍ତି  । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାସ୍ କାଣ୍ଟଛାଣ୍ଟ କରିବାକୁ ନିଦେ୍ର୍ଦଶ ଦେଇଥିଲେ  । ଏଡ଼ିଜି ଏମିତି ତାଙ୍କୁ ଅନେକ ସୁବିଧା ସୁଯୋଗ ବି ଦେଇଛନ୍ତି  । ସବୁଠାରୁ ବଡ଼ କଥା ହେଉଛି ବିମାନ ବନ୍ଦରରେ ବି ତାକୁ ଭିଭିଆଇପିଙ୍କ ଭଳି ସୁବିଧା ସୁଯୋଗ ମିଳୁଛି  । ଏପରିକି ବିମାନବନ୍ଦର ଡିଜିଏମ୍ ତାକୁ ସାଙ୍ଗରେ ଧରି ଭିଭିଆଇପି ଲାଉଞ୍ଜରେ ବସାଉଛନ୍ତି  ।
ଏହି ଠକ୍ ଅଜିତ ଏକ ବ୍ୟାଙ୍କ କର୍ମଚାରୀଙ୍କୁ ଦହଗଞ୍ଜ କରିଥିବା ଜାଣିବାକୁ ମିଳିଛି  । ଏକ ବେସରକାରୀ କମ୍ପାନୀର ଜଣେ ମହିଳା ମ୍ୟାନେଜରଙ୍କୁ ଭୂଅାଁ ବୁଲେଇ ସେ ହଇରାଣ ହରକତ କରିବାକୁ ପଛାଇନାହିଁ  । କେମିତି ବା ନକରିବ, ତା’ପଛରେ ତ ଏଡ଼ିଜିଙ୍କ ଭଳି କେତେକ ପ୍ରଭାବଶାଳୀ ଲୋକଙ୍କ ହାତ ରହିଛି । ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଜଷ୍ଟିସଙ୍କ ନାମ ନେଇ ସେ ଅନେକ ଆଇଏଏସ ଓ ଆଇପିଏସଙ୍କୁ ଧମକାଇବାକୁ ବି ପଛାଉନାହିଁ  । ଲୋକଙ୍କୁ ଠକି, ଭୂତେଇ ସେ ଏବେ କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛି  । ସିବିଆଇ ଓ ଇଡ଼ି ଏନେଇ ତଦନ୍ତ କଲେ ଅନେକ ତଥ୍ୟ ମିଳିପାରିବ ବୋଲି ଚର୍ଚ୍ଚା ହେଉଛି  । ପୂର୍ବରୁ ଏହି ଠକ ସମ୍ପର୍କରେ ‘ସୂର୍ଯ୍ୟପ୍ରଭା’ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା  । ଠେକିରେ ମୁହଁ ପୂରାଇ ବିଲେଇ ଭଳି ଠକ ଅଜିତ୍ ପାତ୍ର କ୍ଷୀର ପିଉଛି ବୋଲି ଭାବୁଥିବାବେଳେ ତା’ର କଳକାରନାମା ନେଇ ଗୁଇନ୍ଦା ରିପୋର୍ଟ ମିଳିଛି  । ଖୁବଶୀଘ୍ର ଇଡ଼ି ଓ ସିବିଆଇ ତାହାର ତଦନ୍ତ କରିବେବୋଲି ଏକ ବିଶେଷସୂତ୍ରରୁ ଜାଣିବାକୁ ମିଳିଛି  ।