କିନ୍ନରଙ୍କ ବ୍ୟକ୍ତିତ୍ୱ ବିକାଶ ତାଲିମ

କିନ୍ନରଙ୍କ ବ୍ୟକ୍ତିତ୍ୱ ବିକାଶ ତାଲିମ

ଢେଙ୍କାନାଳ ସହର ଉପକଣ୍ଠରେ ଥିବା ହେମାଳ ବସ୍ତି ଠାରେ ସଖା ଅନୁଷ୍ଠାନ ପକ୍ଷରୁ ଏକ ଦିବସୀୟ କିନ୍ନରଙ୍କ ବ୍ୟକ୍ତିତ୍ୱ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ସରକାରଙ୍କ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗର ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟା ମୀରା ପରିଡା ଯୋଗ ଦେଇଥିବାବେଳେ ସଖା ଅନୁଷ୍ଠାନର ସଭାପତି ନେହା ମହାପାତ୍ର, ପରଜଙ୍ଗ କିନ୍ନର ସଂଘ ସଭାନେତ୍ରୀ ସନକ କାଣ୍ଡି, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁ, ଢେଙ୍କାନାଳ ସଦର କିନ୍ନର ସଂଘ ସଭାପତି ଛବି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସମାଜରେ କିନ୍ନରମାନେ କିଭଳି ନିଜର ଅଧିକାର ପାଇ ପାରିବେ ଓ ସେମାନେ ନିଜର ମୌଳିକ ଅଧିକାର ଯଥା, ଟ୍ରାନ୍ସଜେଣ୍ଡର କାର୍ଡ, ଆଧାର କାର୍ଡ, ରାସନ କାର୍ଡ, ଭତ୍ତା ପାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ଢେଙ୍କାନାଳ ସଦର, ଗଁଦିଆ, ପରଜଙ୍ଗ, କାମାକ୍ଷାନଗର ଅଞ୍ଚଳରେ ଥିବା କିନ୍ନରମାନେ ଯୋଗ ଦେଇଥିଲେ । ସଖା ଅନୁଷ୍ଠାନ ତାର ସମ୍ପୂର୍ଣ୍ଣ ସହଯୋଗ କରି ଢେଙ୍କାନାଳରେ ଥିବା କିନ୍ନରମାନଙ୍କ ଦକ୍ଷତା ବିକାଶରେ ସହାୟତା ହେବ ଓ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଆପ୍ରାଣ ଉଦ୍ୟମ କରିବ ବୋଲି ସଖା ଅନୁଷ୍ଠାନର ସଭାପତି ନେହା ମହାପାତ୍ର ମତପ୍ରକାଶ କରିଥିଲେ । ଆଗାମୀ ଜାନୁଆରୀ ମାସରେ ଢେଙ୍କାନାଳ ଜିଲ୍ଲାରେ ଥିବା ସମସ୍ତ କିନ୍ନରଙ୍କୁ ନେଇ ଏକ ବଡ଼ ଧରଣର ସଚେତନତା କାର୍ଯ୍ୟକ୍ରମ କରିବା ସହିତ ରାଜ୍ୟସ୍ତରୀୟ ମଡଲିଂ ପ୍ରତିଯୋଗିତା କରାଯିବ ବୋଲି ଶ୍ରୀମତୀ ମୀରା ପରିଡା କହିଛନ୍ତି । ଶେଷରେ ସଦର କିନ୍ନର ସଂଘର ସଭାପତି ଛବି କିନ୍ନର ଧନ୍ୟବାଦ ଅର୍ପଣ କରିଥିଲେ ।