ସୀମାରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ

ଏଜେନ୍ସି ।ା ନୂଆଦିଲ୍ଲୀ: ଲଦାଖର ଡେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଲାଗି ରହିଥିବା ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ । ଆସନ୍ତା ମଙ୍ଗଳବାର ସୁଦ୍ଧା ଏହି ଦୁଇ ସୀମାନ୍ତ ଅଞ୍ଚଳରୁ ଭାରତ ଓ ଚାଇନା ପରସ୍ପରର ସେନା ଯବାନଙ୍କୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବେ । ୨୦୨୦ ଗଲୱାନ ଘାଟି ବିବାଦ ପରଠାରୁ ଏଠାରେ ଦୁଇ ଦେଶ ପକ୍ଷରୁ  ଯବାନଙ୍କୁ ମୁତୟନ କରାଯାଇଥିଲା । ହେଲେ ଏବେ ଉତ୍ତେଜନା ହ୍ରାସ ସହ ସେନା ପ୍ରତ୍ୟାହାର ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି । ଏଥିସହ ସେନା ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି । ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ସୁଦ୍ଧା ଏହା ଶେଷ ହେବ ବୋଲି ସେନା ସୂତ୍ରରୁ ଖବର ମିଳିଛି । ୨୦୨୦ ବିବାଦ ପୂର୍ବରୁ ଦୁଇ ଦେଶର ସେନା ଯେଉଁ ଠାରେ ମୁତୟନ ହୋଇଥିଲେ, ସେଠାକୁ ଚାଲିଯିବେ । ସୀମାରେ ଉଭୟ ଦେଶ ନିର୍ମାଣ କରିଥିବା ଅସ୍ଥାୟୀ ଭିତ୍ତିଭୂମି ଯଥା ଟେଣ୍ଟ ଓ ଅନ୍ୟାନ୍ୟ ଜିନିଷକୁ ହଟାଇବେ । ତେବେ ଗ୍ରାଉଣ୍ଡ କମାଣ୍ଡର୍ସଙ୍କ ମଧ୍ୟରେ ନିୟମିତ ମିଟିଂ ଜାରି ରହିବ । ଡେପସାଙ୍ଗ ଓ ଡେମଚୋକରେ ଉଭୟ ଦେଶ ସର୍ଭେଲାନ୍ସ କରିପାରିବେ । ସେହିପରି ଏଠାରେ ପାଟ୍ରୋଲିଂ କରିବା ପୂର୍ବରୁ ଉଭୟ ଦେଶକୁ ସୂଚନା ଦେଇପାରିବେ । ଏହାଦ୍ୱାରା ଭୁଲ ବୁଝାମଣା ସୃଷ୍ଟି ହେବ ନାହିଁ । ଗତ ସପ୍ତାହରେ ଦୁଇ ଦେଶ ଉକ୍ତ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ରାଜି ହୋଇଥିଲେ । ଏହାଦ୍ୱାରା ଦୀର୍ଘ ମାସ ଧରି ଏଲଏସିରେ ଜାରି ରହିଥିବା ମିଲିଟାରୀ ଓ କୂଟନୀତିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶା ସୃଷ୍ଟି ହୋଇଥିଲା । ଏହାପରେ ରୁଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଦୀର୍ଘ ୫ ବର୍ଷ ପରେ ଦୁଇ ନେତା ପରସ୍ପର ସହ କଥା ହେବା ସହ ହାତ ମିଳାଇଥିଲେ । ଦୁଇ ଦେଶର ଆଲୋଚନା ପରେ ଏବେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଖବର ସାମ୍ନାକୁ ଆସିଛି । ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଗଲୱାନ୍ ଘାଟିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ କେଉଁ ଦେଶ ଏଲଏସିର କେତେ ଭିତର ଯାଏ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିବା ସହ, ସୀମାର ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ ଦୁଇ ଦେଶ । ଏହାର ସମାଧାନ ପାଇଁ ବହୁ ପର୍ଯ୍ୟାୟରେ କୋର୍ କମାଣ୍ଡର ସ୍ତରୀୟ ବୈଠକ ଏବଂ କୂଟନୀତିକ ଆଲୋଚନା ହୋଇଥିଲା । ଶେଷରେ ଭାରତ ଓ ଚାଇନା ମଧ୍ୟରେ ଆପୋସ ବୁଝାମଣା ସଫଳ ହୋଇଛି ।