ଅଣ୍ଡର-୧୯ ବିଶ୍ୱକପ୍ରେ ବୈଭବଙ୍କ ବିସ୍ଫୋରଣ... ଭାରତର ‘ଚାମ୍ପିଅନ୍’ ଛକା
ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଭାରତ ତାର ଦବଦବା ଜାରି ରଖିଛି । ଆଜି ଫାଇନାଲ୍ରେ ଇଂଲଣ୍ଡକୁ ବିଶାଳ ୧୦୦ ରନର ବ୍ୟବଧାନରେ ପରାସ୍ତ କରି ଭାରତ ଷଷ୍ଠ ଥର ପାଇଁ ଚାମ୍ପିଅନ ହୋଇଛି । ଭାରତର ଦୁର୍ଦ୍ଦଶ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ୧୭୫ ରନର ପାଳି ଖେଳିଛନ୍ତି । ହରାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୪୧୧ ରନ୍ କରିଥିଲା । ବୈଭବ ସୂର୍ଯ୍ୟବଂଶୀ ୮୦ଟି ବଲ୍ରୁ ୧୫ ଚୌକା ଓ ୧୫ ଛକା ସହାୟତାରେ୧୭୫ ରନ କରିଥିଲେ । ସୂର୍ଯ୍ୟବଂଶୀ ମାତ୍ର ୫୫ ବଲ୍ରେ ତାଙ୍କ ଶତକ ପୂରଣ କରିଥିଲେ । ଅଧିନାୟକ ଆୟୂଷ ମହାତ୍ରେ ୫୧ଟି ବଲ୍ରୁ ୫୩ ରନ୍ କରିଥିବା ବେଳେ ବେଦାନ୍ତ ତ୍ରିବେଦୀ ୩୨, ବିହାନ ମଲହୋତ୍ରା ୩୦, ଅଭିଜ୍ଞ କୁଣ୍ଡୁ ୪୦, ଆରଏସ ଆମ୍ବ୍ରିଶ ୧୮ ରନ୍ ଓ କନିଷ୍କ ଚୌହାନ ୩୭ ରନ କରିଥିଲେ । ୪୧୧ ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୧୯ ରନରେ ତାର ପ୍ରଥମ ୱିକେଟ ହରାଇଥିଲା । ପରେ ଗୋଟିଏ ପରେ ଗୋଟିଏ ୱିକେଟ ଗଡ଼ି ଚାଲିଥିଲା । ବେନ ଡାଓକିନସ ଓ କାଲେବ ଫାଲକନର ଧେର୍ଯ୍ୟର ସହ ବ୍ୟାଟିଂ କରିଥିଲେ ବି ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ । ଇଂଲଣ୍ଡ ୪୦.୨ ଓଭରରେ ସମସ୍ତ ୱିକେଟ ହରାଇ ୩୧୧ ରନ କରିଥିଲା । ଫଳରେ ଭାରତ ଷଷ୍ଠ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଚାମ୍ପିଅନ ହୋଇଛି । ଡାଓକିନସ ୬୬ ଓ କାଲେବ ଫାଲକନର ୧୧୫ ରନ୍ କରିଥିଲେ । ଭାରତ ପକ୍ଷରୁ ଆରଏସ ଅମ୍ବ୍ରିଶ ୩ଟି ୱିିକେଟ ନେଇଥିବା ବେଳେ ଦୀପେଶ ଦେବେନ୍ଦ୍ରନ ଓ କନିଷ୍କ ଚୌହାନ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଖିଲନ ପଟେଲ ଓ ଆୟୁଷ ମାହୋତ୍ରେ ୧ଟି ଲେଖାଏଁ ୱିକେଟ ନେଇଥିଲେ । ବିସ୍ଫୋରକ ଇନିଂସ ପାଇଁ ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର ଅଫ ଦ ମ୍ୟାଚ୍ ହୋଇଛନ୍ତି ।