‘ଫିନ୍‌ଟେକ୍‌’ ପାଲଟିଛି ଜୀବନରେଖା 

‘ଫିନ୍‌ଟେକ୍‌’ ପାଲଟିଛି ଜୀବନରେଖା 

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରଠାରେ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଓ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ବ୍ଲାକ ସ୍ୱାନ ସମ୍ମିଳନୀ ଭାରତରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆମେ ଏପରି ଏକ ସମୟରେ ବଞ୍ଚୁଛୁ ଯେତେବେଳେ ପ୍ରଯୁକ୍ତିବିଦ୍ୟା ଅଭୂତପୂର୍ବ ଗତିରେ ବିକଶିତ ହେଉଛି । ନୂତନ ଉଦ୍ଭାବନ ଏତେ ଦ୍ରୁତ ଗତିରେ ହେଉଛି ଯେ ଆମର ବ୍ୟବସ୍ଥା, ଦକ୍ଷତା ଓ ବ୍ୟବସାୟିକ ମଡେଲଗୁଡ଼ିକ ପ୍ରାୟତଃ ଏହା ସହ ତାଳ ଦେବା ପାଇଁ ସଂଘର୍ଷ କରୁଛନ୍ତି । ଏହି ସମୟରେ ଏପରି ଦ୍ରୁତ ପ୍ରଗତିଗୁଡ଼ିକ ସାଇବର ସୁରକ୍ଷା ବିପଦ, ଡିପ୍‌ ଫେକ୍‌, ଭୁଲ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପରେ ବର୍ଦ୍ଧିତ ନିର୍ଭରଶୀଳତା ସମେତ ଗମ୍ଭୀର ଆହ୍ୱାନ ମଧ୍ୟ ନେଇ ଆସୁଛି । ତଥାପି ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ନବସୃଜନ ଓ ଅଭିବୃଦ୍ଧି ଉପରେ ଏକ ବିରାଟ ସକାରାତ୍ମକ ପ୍ରଭାବ ପକାଇଥାଏ । ଏଭଳି ସ୍ଥିତିରେ ବ୍ଲାକ୍‌ ସ୍ୱାନ୍‌ ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନିଜ କ୍ଷମତାକୁ ଆହୁରି ବୃଦ୍ଧି କରିବା ଲାଗି ଦକ୍ଷତାକୁ ଉପଯୋଗ କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ଡିଜିଟାଲ୍‌ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବା ନିମନ୍ତେ ଅଭିନବ ପଦ୍ଧତିଗୁଡ଼ିକୁ ଅନୁସନ୍ଧାନ କରାଯାଇପାରିବ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ । ଗତ ଦଶନ୍ଧିରେ ଭାରତ ଆର୍ଥିକ ବ୍ୟବସ୍ଥାରେ ଏକ ପ୍ରଭାବଶାଳୀ ବିପ୍ଳବ ଦେଖିବାକୁ ମିଳିଛି । ବ୍ୟାଙ୍କ ଆକାଉଣ୍ଟରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଏବଂ ଡିଜିଟାଲ ଅର୍ଥ ନେଣଦେଣ ଚାଷୀ, ଛୋଟ ଦୋକାନୀ ଏବଂ ମହିଳାମାନଙ୍କ ପାଇଁ ବହୁତ ସାଧାରଣ ହୋଇଯାଇଛି । ସେମାନଙ୍କ ପାଇଁ ‘ଫିନଟେକ୍‌’ ଏକ ବୈଷୟିକ ଶବ୍ଦ ନୁହେଁ, ଏହା ସେମାନଙ୍କର ଜୀବନରେଖା ପାଲଟିଛି ।  ରାଷ୍ଟ୍ରପତି କହିଥିଲେ, ଭାରତର ଫିନଟେକ୍‌ କାହାଣୀକୁ କେବଳ ପ୍ରଯୁକ୍ତିବିଦ୍ୟାର ନୁହେଁ ବରଂ ଲିଙ୍ଗଗତ ନ୍ୟାୟର ଗାଥା ଭାବରେ ମଧ୍ୟ ମନେ ରଖାଯିବା ଉଚିତ । ଡିଜିଟାଲ୍‌, ଆର୍ଥିକ ଏବଂ ବୀମା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ଏବଂ ନବସୃଜନ ଇକୋସିଷ୍ଟମ ଗଠନ ପାଇଁ ଓଡ଼ିଶା ସରକାର ଭାରତନେତ୍ର ପ୍ରୟାସ ଆରମ୍ଭ କରିଥିବାରୁ ସେ ଖୁସି ହୋଇଥିଲେ ।