କୁଆଡେ଼ ଢଳିବେ ଜିତୁ ମିତ୍ର

Jitu Mitra

କୁଆଡେ଼ ଢଳିବେ ଜିତୁ ମିତ୍ର

ଭୁବନେଶ୍ୱର : ଖୋର୍ଦ୍ଧା ରାଜନୀତିକ ସମୀକରଣ ବଦଳିବାରେ ଲାଗିଛି  । ବିଜୁ ଜନତା ଦଳ ରାଜେନ୍ଦ୍ର ସାହୁଙ୍କ ଉପରେ ପୁଣି ଭରସା କରିଥିବାବେଳେ ଭାରତୀୟ ଜନତା ପାର୍ଟି ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଛି  । ବିଜେଡ଼ିରେ ଥିବାବେଳେ ରାଜ ଓ ଗଣେଶଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଥିବାବେଳେ ଏବେ ଦୁଇ ନେତା ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି  । ଅପରପକ୍ଷରେ ଟିକେଟ ପାଇନଥିବାରୁ କାଳୁ ଖଣ୍ଡାୟତିରାୟ ବିଜେପି ଛାଡ଼ି ଏବେ ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି  । ଫଳରେ ବିଜେପି ଅଙ୍କ ଗୋଳମାଳିଆ ହୋଇଯାଇଛି  । ଏସବୁ ଅଙ୍କ ଭିତରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର କେଉଁପଟକୁ ଢଳିବେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି  ।

ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ଜିତୁ ଓ ରାଜଙ୍କର ଭଲ ସଂଗଠନ ରହିଛି  । ଏକଦା ଜିତୁ ଓ ରାଜ ଥିଲେ ଗୁରୁ ଶିଷ୍ୟ  । କିନ୍ତୁ ପରେ ଉଭୟଙ୍କ ମଧ୍ୟରେ କ୍ଷମତା ଲଢେ଼ଇ ଜୋର ହୋଇଥିଲା  । ଖୋର୍ଦ୍ଧାରୁ ଜିତୁ ଥରେ ସ୍ୱାଧୀନ ଓ ଦୁଇଥର ବିଜେଡ଼ିରୁ ବିଧାୟକ ହୋଇଥିବାବେଳେ ରାଜ ମଧ୍ୟ ଥରେ ସ୍ୱାଧୀନ ଓ ଥରେ ବିଜେଡ଼ିରୁ ବିଧାୟକ ହୋଇଛନ୍ତି  । ଉଭୟଙ୍କର ଖୋର୍ଦ୍ଧା ସହର ଓ ଗ୍ରାମାଞ୍ଚଳରେ ଭଲ ଭୋଟ ବ୍ୟାଙ୍କ ରହିଛି  । 

ଅତୀତରେ ଜିତୁ ମିତ୍ର ଟିକେଟ ନପାଇବାରୁ ସ୍ୱାଧୀନ ଓ ବିଜେପିରୁ ପ୍ରାର୍ଥୀ ହେବାର ନଜିର ରହିଛି  । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି  । ସେହିପରି ବିଗତ ଦେଢ଼ ଦଶନ୍ଧି ଧରି ଜିତୁ ଓ ରାଜଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ  । ଏଭଳି କ୍ଷେତ୍ରରେ ଜିତୁ କେଉଁପଟକୁ ଢଳିବେ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି  ।

ସମ୍ପ୍ରତି ଖୋର୍ଦ୍ଧା ରାଜନୀତିକୁ ଅନୁଶୀଳନ କଲେ ଜିତୁ ଯେଉଁପଟକୁ ଯିବେ ତାଙ୍କର ପଲା ଭାରିରହିବ  । କାଳୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବାରୁ ଗଣେଶଙ୍କର ଭୋଟ ପ୍ରଭାବିତ ହେବା ନିଶ୍ଚିତ ହୋଇଯାଇଛି  । ଯଦି ଜିତୁ ପୁରୁଣା ତିକ୍ତତା ଭୁଲି ରାଜଙ୍କୁ ସହଯୋଗ କରନ୍ତି ତେବେ ରାଜେନ୍ଦ୍ରଙ୍କ ବିଜୟ ସୁନିଶ୍ଚିତ କହିଲେ ଭୁଲ ହେବନାହିଁ  । କିନ୍ତୁ ଜିତୁ ଯଦି ପ୍ରଶାନ୍ତଙ୍କୁ ସମର୍ଥନ କରନ୍ତି ତେବେ ରାଜ ଓ ଗଣେଶଙ୍କ ମଧ୍ୟରେ କଡ଼ା ଟକ୍କର ହେବ  । ସେହିପରି ବିଜେଡ଼ିର କେତେକ ଆଗଧାଡ଼ିର ନେତା ଗଣେଶଙ୍କୁ ଏବେ ସମର୍ଥନ କରୁଛନ୍ତି  । ତେବେ ସେମାନଙ୍କ ହାତରେ ଅଧିକ ଭୋଟ ନଥିବା ଜାଣିବାକୁ ମିଳିଛି  । ତେଣୁ ଜିତୁଙ୍କ ସମର୍ଥନ ହାସଲ ପାଇଁ ଉଭୟ ରାଜ ଓ ଗଣେଶ ଗୋଟି ଚଳାଇବା ଆରମ୍ଭ କରିଦେଇଛନ୍ତି  । ସେପଟେ ବିଜେଡ଼ି ପକ୍ଷରୁ ଜିତୁଙ୍କ ଉପରେ ବି ଚାପ ପକାଇବା ଆରମ୍ଭ ହୋଇଛି  । ସପ୍ତାହକ ମଧ୍ୟରେ ଖୋର୍ଦ୍ଧା ରାଜନୀତିର ଚିତ୍ର ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି  ।