ଉପରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କୁ ଫୋନ୍ କଲେନି ମୋଦି?

ଉପରାଷ୍ଟ୍ରପତି ନିର୍ବାଚନ:  ନବୀନଙ୍କୁ ଫୋନ୍ କଲେନି ମୋଦି?

ଭୁବନେଶ୍ୱର:  ଉପରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଦୃଷ୍ଟିରୁ ଏନଡ଼ିଏ ବଳୁଆ ଅଛି  । ବିଜେପି ଓ ସହଯୋଗୀ ଦଳର ଭୋଟରେ ବି ଏନଡ଼ିଏ ପ୍ରାର୍ଥୀ ସିପି ରାଧାକ୍ରୀଷ୍ଣନ୍ ବାଜିମାତ୍ କରିପାରିବେ  । ତେବେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ଅଧିକ ସମର୍ଥନ ଯେଭଳି ନମିଳିବ ସେନେଇ ବି ବିଜେପି ରଣନୀତି କରିଛି  । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ୱାଇଏସଆରସିପି, ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଓ କେସିଆରଙ୍କ ବିଆରଏସର ସମର୍ଥନ ପାଇଁ ବିଜେପି ଆଶା ରଖିଛି  । ତେବେ ଅତୀତରେ ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ କଲ୍ କରି ସମର୍ଥନ ଲୋଡୁଥିବାବେଳେ ଏଥର କିନ୍ତୁ ଫୋନ୍ କାହିଁକି ଆସିନାହିଁ ତାହାକୁ ନେଇ ବି ଚର୍ଚ୍ଚା ଜୋରଧରିଛି  । 
କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାଶ୍ ବେଳେ ହେଉ ଅବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କର ସହଯୋଗ ଲୋଡ଼ିଥା’ନ୍ତି ମୋଦି  । ଏମିତିବି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବି ଫୋନ୍ କରିବାର ନଜିର ରହିଛି  । କେହିକେହି କହିପାରନ୍ତି ଏଥର କିନ୍ତୁ ରାଜନାଥ ସିଂଙ୍କୁ ଦଳ ଉପରାଷ୍ଟ୍ରପତି ନିର୍ବାଚନ ଦାୟିତ୍ୱ ଦେଇଥିବାବେଳେ ସେ ନବୀନଙ୍କ ସହ ଫୋନ୍ କରି କଥା ହୋଇଛନ୍ତି  । ହେଲେ ବିଜେପି ସବୁବେଳେ ଭିନ୍ନଭିନ୍ନ ନେତାଙ୍କୁ ଏଭଳି ଗୁରୁ ଦାୟିତ୍ୱ ଦେଇଥାଏ  । ସେ ସମୟରେ କିନ୍ତୁ ନବୀନଙ୍କୁ ମୋଦି କଲ୍ କରନ୍ତି  । ଇତିମଧ୍ୟରେ ଅବଶ୍ୟ ମୋଦିଙ୍କର ଫୋନ୍ କଲ ଆସିଛି  । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ସେ ପଚାରିବୁଝିବା ସହ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି  । ମୋଦିଙ୍କ ଭଳି ଏଆଇସିିସି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ନବୀନଙ୍କୁ କଲ୍ କରି ସ୍ୱାସ୍ଥ୍ୟ କଥା ପଚାରିଛନ୍ତି  । ହେଲେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କେହି କିନ୍ତୁ ନବୀନଙ୍କ ସହ କଥା ହୋଇନାହାନ୍ତି  । ସେପଟେ ବିଜେଡ଼ିର ଆଭିମୁଖ୍ୟ କ’ଣ ରହିବ, ତାହା ବି ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ  ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ଥିବା ଏନଡ଼ିଏର ୪୨୫ ପ୍ରାର୍ଥୀଙ୍କର ଶତ ପ୍ରତିଶତ ଭୋଟ୍ ପାଇଁ ଦଳ ଗୁରୁତ୍ୱାରୋପ କରିଛି  । ସବୁ ସାଂସଦ ଯେଭଳି ମତଦାନ ଦିନ ଉପସ୍ଥିତ ରହିବେ ସେଥିପାଇଁ ଯୋଜନା କରାଯାଇଛି  । ଏମିତିକି ସେପ୍ଟେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୈଶଭୋଜନ ଦେବେ  । ସବୁ ସାଂସଦ ଦିଲ୍ଲୀରେ ଉପସ୍ଥିତ ରହି ସାମିଲ୍ ହେବା ସହ ସେପ୍ଟେମ୍ବର ୯ରେ ଭୋଟ୍ ସୁନିଶ୍ଚିତ କରିବେ  । ଏଥିପାଇଁ ନେତାମାନଙ୍କୁ ବି ଦାୟିତ୍ୱ ଆବଣ୍ଟନ କରାଯାଇଛି  ।
ଉତ୍ତରପ୍ରଦେଶରେ ସାଂସଦମାନଙ୍କ ଦାୟିତ୍ୱ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଓ ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ  । ବିହାର ପାଇଁ ଦାୟିତ୍ୱରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ  । ସେହିପରି ଚିରାଗ ପାଶୱାନ ଓ ସଞ୍ଜୟ ଝାଙ୍କୁ ମଧ୍ୟ ଏଲଜେପି ଓ ଜେଡ଼ିୟୁ ଦାୟିତ୍ୱ ଦିଆଯାଇଛି  । ଆସନ୍ତାକାଲି ଠାରୁ ଅର୍ଥାତ୍ ସେପ୍ଟେମ୍ବର ୬ରୁ ୮ ପର୍ଯ୍ୟନ୍ତ ଏନଡ଼ିଏ ସାଂସଦଙ୍କ ପାଇଁ କର୍ମଶାଳାର  ଆୟୋଜନ କରାଯାଇଛି  । ଯେଭଳି ଭୋଟ ଦାନରେ ତ୍ରୁଟି ନରହେ ସେଥିପାଇଁ ଏହା ଆୟୋଜନ କରାଯାଇଛି ବୋଲି ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ୍ କହିଛନ୍ତି  ।
ସଂସଦରେ ବିଜେଡ଼ିର ୭ ଓ ବିଆରଏସର ୪ ରାଜ୍ୟସଭା ସାଂସଦ ଅଛନ୍ତି  । ପ୍ରଧାନମନ୍ତ୍ରୀ ଏନେଇ ନବୀନଙ୍କ ସହ କଥା ହେବେବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି  । ସେପଟେ ବିଆରଏସର ଭୋଟ୍ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ କୁହାଯାଇଛି  । ତେଲୁଗୁ ପ୍ରାର୍ଥୀ ଦିଆଯାଇଥିବାରୁ ବିଆରଏସକୁ ଏନେଇ ନିବେଦନ କରାଯାଇଛି  । ସେହିପରି ୱାଇଏସଆରସିପିର ବି ୪ ସାଂସଦ ଲୋକସଭାରେ ଥିବାବେଳେ ରାଜ୍ୟସଭାରେ ୭ ସାଂସଦ ଅଛନ୍ତି  । ତେବେ ଏହା ଏନଡ଼ିଏକୁ ସମର୍ଥନ କରିବ ବୋଲି କହିସାରିଛି  । ଆନ୍ଧ୍ରପ୍ରଦେଶରେ ବିଜେପି ଓ ଟିଡ଼ିପିର ମେଣ୍ଟ ସରକାର ଥିବାବେଳେ ୱାଇଏସଆରସିପି ଏନଡ଼ିଏକୁ ସମର୍ଥନ କରି କିଛି ନୂଆ ଚାଲ୍ ଚଳାଇଥିବା କୁହାଯାଉଛି  ।
ଉପରାଷ୍ଟ୍ରପତି ନିର୍ବାଚନରେ ସିକ୍ରେଟ ବାଲାଟର ଭୋଟ୍ ହୁଏ  । କୌଣସି ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ  । ଏମିତିବି ଜିତିବା ପାଇଁ ୩୯୧ ଭୋଟ୍ ଦରକାର ଥିବାବେଳେ ଏନଡ଼ିଏ ପାଖରେ ୪୨୫ ଭୋଟ୍ ଅଛି  । ସେହିପରି ବିଜେଡ଼ିର ୭ ସାଂସଦଙ୍କ ମଧ୍ୟରୁ ୫ ସାଂସଦ ଏନଡ଼ିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମନସ୍ଥ କରି ସାରିଥିବାବେଳେ ଦୁଇ ସାଂସଦଙ୍କ ମତିଗତି ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ  ।
ସୂଚନାଯୋଗ୍ୟଯେ, ଏନଡ଼ିଏର ଏବେ ୫୫% ଭୋଟ୍ ଥିବାବେଳେ ତାହାକୁ ୬୦%କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରହିଛି  । ଗତ ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନକରଙ୍କୁ ୫୨୮ ଭୋଟ୍ ମିଳିଥିଲା  । ଅର୍ଥାତ୍ ସେହି ୭୪.୪% ଭୋଟ୍ ପାଇଥିଲେ  । ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେ ୩୪୬ ଭୋଟରେ ପରାସ୍ତ କରିଥିଲେ  । ଗାଏମୋଟ୍ କହିଲେ ଧନକର ଇତିହାସ ରଚିଥିôଲେ  ।