ଅର୍ଥ ଲଗାଣକାରୀ ସଂସ୍ଥା ମାୟା ଜାଲରେ ମହିଳା ଗୋଷ୍ଠୀ

KORAPUT NEWS

ଅର୍ଥ ଲଗାଣକାରୀ ସଂସ୍ଥା ମାୟା ଜାଲରେ ମହିଳା ଗୋଷ୍ଠୀ

ଜୟପୁର - କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଏବେ ଛତୁ ଫୁଟିଲା ଭଳି ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିବାରେ ଲାଗିଛି  । ଏସବୁ ଅର୍ଥ ଲଗାଣକାରୀ ସଂସ୍ଥା ବା ମାଇକ୍ରୋ ଫାଇନାନ୍ସ କମ୍ପାନୀର ମାୟାଜାଲରେ ମହିଳା ଗୋଷ୍ଠୀମାନେ ଫସି ଆର୍ôଥକ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି  । ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିଭିନ୍ନ ଗାଁ ଠାରୁ ସହର ପର୍ଯ୍ୟନ୍ତ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାଙ୍କୁ ଋଣ ଯୋଗାଇଥିବା ବେଳେ ସୁଧ ଆକାରରେ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି  । ଋଣ ଦେବା ପରେ ପ୍ରତି ସପ୍ତାହରେ ସମ୍ପୃକ୍ତ ସଂସ୍ଥାର ପ୍ରତିନିଧିମାନେ ଘରକୁ ଘର ଯାଇ ଋଣୀ ବ୍ୟକ୍ତିଙ୍କ ଠାରୁ ସୁଧ ଓ ଋଣ ବାବଦ କିସ୍ତି ଆଦାୟ କରୁଛନ୍ତି  । ଏପରିକି କେହି ଯଦି କିସ୍ତି ପରିଶୋଧ କରି ନ ପାରିଲେ ସେମାନଙ୍କୁ ନାନାପ୍ରକାର ଧମକ ଦେବା ସହ କୋର୍ଟ କଚେରି ଭୟ ମଧ୍ୟ ଦେଖାଉଛନ୍ତି  । ଏପରିକି ଗୋଟେ ଋଣ ଶୁଝିବା ପାଇଁ ଆଉ ଗୋଟେ ଋଣ କରିବାକୁ ବାଧ୍ୟ ହେଉଛନ୍ତି ନିରୀହ ମହିଳା  । ସହଜ ଓ ସୁବିଧାରେ ଘର ପାଖରେ ଋଣ ମିଳିଯିବା ସହ ସାପ୍ତାହିକ ଓ ମାସିକିଆ କିସ୍ତି ଆକାରରେ ପରିଶୋଧ ବ୍ୟବସ୍ଥା କରାଯାଇଥିବା ହେତୁ ମହିଳାମାନେ ଏହି ଋଣ କାରବାରରେ ସହଜରେ ସାମିଲ ହେଉଛନ୍ତି  । ମାଇକ୍ରୋଫାଇନାନ୍ସ କମ୍ପାନୀର ଏଜେଂଟ ମାନେ ନିଜ ବ୍ୟବସାୟ ନେଟୱାର୍କ ବଢ଼ାଇବା ପାଇଁ ମହିଳା ଗୋଷ୍ଠୀଙ୍କୁ ହାତ ବାରିଶି କରୁଥିବା ଅଭିଯୋଗ ହେଉଛି  । ଶହ ଶହ ମହିଳା ଗୋଷ୍ଠୀର ସଦସ୍ୟା ଗ୍ରାମାଚଂଳରେ ଏଭଳି ମାୟାଜାଲରେ ଛନ୍ଦି ହୋଇ ରହିଛନ୍ତି  । ସମାଜର ମୁୁଖ୍ୟସ୍ରୋତରେ ସାମିଲ ହୋଇ ପାରି ନଥିବା, ଭୌଗୋଳିକ ଭାବେ ବିଚ୍ଛିନ୍ନ ଥିବା ତଥା ବ୍ୟାଙ୍କିଙ୍ଗ ସେବା ଠାରୁ ଦୂରରେ ଥିବା ବେରୋଜଗାର ଏବଂ ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱାବଲମ୍ବୀ କରିବା ମାଇକ୍ରୋ ଫାଇନାନ୍ସର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଏହି ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଲାଭଖୋର ମନବୃତି ନେଇ ମାତ୍ରାଧିକ ସୁଧ ଆଦାୟ କରୁଥିବା ଅଭିଯୋଗ ହେଉଛି  । ଏପରିକି ସ୍ଥଳବିଶେଷରେ ୨୪ ପ୍ରତିଶତ ଯାଏଁ ସୁଧ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି ଓ ମହିଳାମାନେ ଏହି ଅର୍ଥ ଲଗାଣକାରୀ କମ୍ପାନୀଗୁଡ଼ିକର ଜଟିଳ ଗଣିତ ବୁଝି ନ ପାରି ଶୋଷଣର ଶିକାର ହେଉଛନ୍ତି  । ଆର୍ôଥକ ନେଣଦେଣରେ ସମ୍ପୃକ୍ତ ଥିବା ଏହି କମ୍ପାନୀଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପଞ୍ଜିକୃତ ହୋଇ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁସାରେ ପରିଚାଳିତ ହେବା ଅନିବାର୍ଯ୍ୟ ହୋଇଥିବା ସ୍ଥଳେ ଏମାନେ ପଞ୍ଜିକୃତ ହୋଇଛନ୍ତି ନା ନାହିଁ ଏବଂ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁସରଣ କରୁଛନ୍ତି ନା ନାହିଁ ତାହା ଯାଂଚ୍‌ ହେବାର ଆବଶ୍ୟକତା ରହିଛି  । ପୂର୍ବରୁ ମହାନଦୀ ଫାଉଣ୍ଡେସନ, ଫ୍ଲୋରିଶ ଇଣ୍ଡିଆ, ସିସୋର ଭଳି ସଂସ୍ଥାରେ ପୁଞ୍ଜି ନିବେଶ କରି ଅନେକ ବ୍ୟକ୍ତି ସର୍ବସ୍ୱାନ୍ତ ହୋଇଥିବା ବେଳେ ଏବେ ଋଣଭାର ବେଡ଼ି ଉପରେ କରଡା ମାଡ଼ ସଦୃଶ ହୋଇଛି  । ଯଦି ପ୍ରଶାସନ ତରଫରୁ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଭବିଷ୍ୟତରେ ଚିଟଫଣ୍ଡ ଭଳି ଏକ ବଡ଼ଧରଣର ବିପର୍ଯ୍ୟୟ ସମ୍ମୁଖୀନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ  । ଜୟପୁର ସହରରେ ଗଳି ଗନ୍ଦିରେ କାର୍ଯ୍ୟାଳୟ ଖୋଲି ମହିଳା ମାନଙ୍କୁ ଋଣ ଦେବା ନାମରେ ଲୁଟ ଚାଲିଥିବା ଅଭିଯୋଗ ହେଉଛି ।