ସାବଧାନ ଅଯୋଗ୍ୟ ! କାଳିଆ ଟଙ୍କା ଫେରାଇବାକୁ ପଡ଼ିବ
Kalia Yojana

ଭୁବନେଶ୍ୱର : ପାଖାପାଖି ୧୩ ଲକ୍ଷ ଅଯୋଗ୍ୟ କାଳିଆ ଟଙ୍କା ନେଇଥିଲେ । ଏଥିପାଇଁ ରାଜ୍ୟ ରାଜକୋଷରୁ ୭୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଟଙ୍କା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ କାଗ୍ ବି ପରାମର୍ଶ ଦେଇଛନ୍ତି । ହେଲେ ସରକାର ଏହି ଟଙ୍କା ଫେରାଇ ଆଣିବାକୁ ପଦକ୍ଷେପ ନେବେ ତ ? ତାହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଖାଲି ସେତିକିନୁହେଁ, କାଳିଆ ଓ ଏସଇସିସି ତଥ୍ୟ ବି ମେଳ ଖାଇଲାନାହିଁ । କାଳିଆରେ ଯିଏ ଗୋଲାପି, ଏସଇସିସିରେ ସେ ସାବିତ୍ରୀ, କାଳିଆରେ ପୁଷ୍ପା, ଏସଇସିସିରେ ବିଶାଖା । ଏଭଳି ଅସଙ୍ଗତି ବି ଲମ୍ବିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି କାଗ୍ ଅଳ୍ପ କିଛି ଉଦାହରଣ ବି ଦେଇଛନ୍ତି । ସରକାରୀ ଚାକିରୀଆ, ପେନସନ ଉପଭୋକ୍ତା, ଆୟକର ଦାତା ବି କାଳିଆ ଟଙ୍କା ହଜମ କରିଦେଇଛନ୍ତି । ଏକଥା ନବୀନ ସରକାର ବି ଜାଣିଥିଲେ । ଅଯୋଗ୍ୟ ରାଜକୋଷ ଲୁଟ କରୁଥିଲେବି ଭୋଟ ପାଇଁ ନବୀନ ଆଖିରେ ଅନ୍ଧପୁଟୁଳି ବାନ୍ଧିଥିଲେ । ନବୀନ ସରକାର ପ୍ରାୟ ୧୦ ଲକ୍ଷ ଅଯୋଗ୍ୟଙ୍କୁ ଧରିଥିଲେବି ଟଙ୍କା ଆଦାୟ କରିବାକୁ ହାତ ଥରିଥିଲା । ଯଦି ସେତିକି ଟଙ୍କା ଫେରାଇ ଆଣିଥା’ନ୍ତେ ତାହେଲେ ୫୦ ହଜାର ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିପାରିଥା’ନ୍ତା ।
କାଳିଆ ଯୋଜନାର ହିତାଧିକାରୀ ଚୟନ ବେଳେ ଅନିୟମିତତା ହେବବୋଲି ଜଳ ଜଳ ହୋଇ ବାରି ହୋଇପଡ଼ିଥିଲା । ସେତେବେଳେ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଥିଲା । ଏଥିପାଇଁ ଆବେଦନ ପ୍ରକ୍ରିୟା ଥିଲେବି ସେହି କାଗଜ ସବୁ ଖତଗଦାକୁ ପଳାଇଲା । କାହିଁକିନା ଆଗକୁ ନିର୍ବାଚନ ଥିବାରୁ ସରକାର ତରବରିଆ ଭାବେ ହିତାଧିକାରୀ ଚୟନ କରିଥିଲେ । ସମବାୟ ସମିତିରେ ଥିବା ଚାଷୀ ତାଲିକା ଆଧାରରେ ପ୍ରଥମେ ହିତାଧିକାରୀ ଚୟନ କରାଗଲା । ସମବାୟ ସମିତିରେ ଚାକିରୀଆ ବ୍ୟକ୍ତି ବି ଖାତା ଖୋଲିପାରିବେ, ଥିଲାବାଲା ବି ଚାଷ ଋଣ ନେଇପାରିବେ । ତେଣୁ ସେମାନଙ୍କୁ କାଳିଆ ଯୋଜନାର ହିତାଧିକାରୀ କରାଯିବାରୁ ତାଲିକାରେ ଅନେକ ଅଯୋଗ୍ୟ ଯୋଡ଼ି ହୋଇଯିବା ସ୍ୱାଭାବିକ । ସେମାନେ କିସ୍ତି ପାଇସାରିବା ପରେ ତତ୍କାଳୀନ ସରକାରଙ୍କ ଚେତା ପଶିଥିଲା । ହେଲେ ଟଙ୍କା ଆଦାୟ ପାଇଁ ସରକାର ପଦକ୍ଷେପ ନେଇନଥିଲେ । ଭୋଟ୍ ବ୍ୟାଙ୍କ ପାଇଁ ନବୀନ ସରକାର ନୀରବ ରହିବାକୁ ବାଧ୍ୟ ହୋଇଥିଲେ ।
ସମ୍ପ୍ରତି ମୋହନ ସରକାର ନବୀନ ସରକାରଙ୍କ ଅମଳରେ ହୋଇଥିବା ଲୁଟ୍ର ଖୋଳତାଡ଼ କରୁଛନ୍ତି । କାହାକୁ ଛଡ଼ାଯିବ ନାହିଁ ବୋଲି କହୁଛନ୍ତି । ସେହିଭଳି କାଗ୍ ବି ଅଯୋଗ୍ୟଙ୍କ ଠାରୁ କାଳିଆ ଟଙ୍କା ଫେରସ୍ତ ପାଇଁ ପରାମର୍ଶ ଦେଇଛନ୍ତି । ଏହି ମଉକାରେ ମୋହନ ସରକାର ଟଙ୍କା ଫେରାଇ ଆଣିବାକୁ ପଦକ୍ଷେପ ନେବେ ନା ୭୮୨ କୋଟି ଟଙ୍କା ଅଯୋଗ୍ୟଙ୍କ ପିଣ୍ଡିକାରେ ସ୍ୱାହା ହୋଇଯିବ ।