ବାଟ ହୁଡିଛି ବିକାଶ, ସାତସପନ ବିଜୁଳି ଆଲୁଅ
ଭୁବନେଶ୍ୱର: ବାଟ ହୁଡିଛି ବିକାଶ, ସାତସପନ ପାଲଟିଛି ବିଜୁଳି ଆଲୁଅ । ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ଅନେକ ଗାଁ ଓ ବସ୍ତି ଅଛି, ଯେଉଁଠି ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି । ରାଉରକେଲା ସହର ଠୁ ମାତ୍ର ୧୭/୧୮ କିମି ଦୂର ଲାଠିକଟା ଓ ଗୁରୁଣ୍ଡିଆ ସୀମାନ୍ତରେ ୬ରୁ ଅଧିକ ବସ୍ତି ଓ ଗାଁର ଲୋକେ ସ୍ୱାଧୀନତାର ୭୭ ବର୍ଷ ପରେ ବି ଅବହେଳିତ ଅବସ୍ଥାରେ ରହିଛନ୍ତି । ଏସବୁ ଗାଁ ମଧ୍ୟରେ ରହିଛି କୁସୁମଟୋଲା, ହଳଦୀବେଡା, ପୋଖରୀଟୋଲା, ଚୁରୁମାଢିପା, ହିନ୍ଦିପିଡିହି ଓ କେନ୍ଦୁଘାଟି । ପ୍ରାୟ ଦେଢଶହରୁ ଅଧିକ ପରିବାର ବାସ କରୁଥିବା ଏହି ଗାଁ ଗୁଡିକ ଯେମିତି ସରକାରୀ କଳ ପାଇଁ କୌଣସି ଗୁରୁତ୍ୱ ରଖେନାହିଁ । ଆଜି ପର୍ଯ୍ୟନ୍ତ ଏହି ଗାଁ ଗୁଡିକ ପାଇଁ ବିଜୁଳି ଆଲୁଅ ସାତସପନ ପାଲଟିଥିବାବେଳେ ଗାଁ ପାଇଁ ଖଣ୍ଡେ ଭଲ ରାସ୍ତା ବି ନାହିଁ । ବିଶୁଦ୍ଧ ପାଇପ୍ ପାଣି ବିଷୟ ନ କହିବା ଭଲ । ପାହାଡ ପାଦଦେଶରେ ଥିବା କୂଅପାଣି ଏକମାତ୍ର ଭରସା । ଖରାଦିନେ କୂଅ ଶିଖିଗଲେ ପାଣି ପାଇଁ ଏମାନେ ପ୍ରାୟ ୫ କିମି ଦୂରକୁ ଯାଇଥାନ୍ତି । ମୋବାଇଲ୍ ସେବାନାହିଁ । ମୋବାଇଲ୍ରେ ସମ୍ପର୍କୀୟ ଓ ବନ୍ଧୁବାନ୍ଧଙ୍କ ସହ ଭଲମନ୍ଦ ପଦଟିଏ କଥା ହେବାକୁ ଏମାନଙ୍କୁ ଗାଁ ଠାରୁ ୭ କିମି ଦୂର ବଜାର ଆସିବାକୁ ପଡିଥାଏ । ପୁଣି ସେଠାରେ ମୋବାଇକୁ ଚାର୍ଜ କରି ଘରକୁ ଫେରିଯାଆନ୍ତି । ବିଜୁଳି ନଥିବାରୁ ପିଲାମାନେ ଡିବି ଆଲୁଅରେ ପାଠ ପଢନ୍ତି । ହାତୀ ଆକ୍ରମଣ ଭୟ ଏମାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ସଞ୍ଜ ନଇଁଲେ ବାହାରକୁ କାମ ଯାଇ ଯାଇଥିବା ଲୋକେ ଗାଁକୁ ଫେରିଆସନ୍ତି । ଅତି ଜରୁରୀ କାମ ନଥିଲେ ସନ୍ଧ୍ୟା ପରେ କେହି ଘରୁ ବାହାରନ୍ତି ନାହିଁ । ଭୋଟବର୍ଜନ ନିଷ୍ପତ୍ତି ନେଇଥିବାରୁ ବର୍ଷକ ତଳେ ଜିଲ୍ଲା ପ୍ରଶାସନର ଅଧିକାରୀ ୬ ଗାଁ ଓ ବସ୍ତି ପରିଦର୍ଶନରେ ଯାଇଥିଲେ । ଗାଁରେ ରହିଥିବା ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଅବଗତ ହୋଇଥିଲେ । ନିର୍ବାଚନ ପୂର୍ବରୁ ରାସ୍ତା ଓ ଆଲୋକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ନିର୍ବାଚନ ସରିବା ପରେ ଏମାନଙ୍କ ସମସ୍ୟାକୁ ବିଭାଗୀୟ ଅଧିକାରୀ ଭୁଲିଗଲେ । ଏବେ ସରକାର ବଦଳିଛି । ବର୍ଷବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଗ୍ରାମବାସୀ ବିକାଶର ଆଲୋକ ଦେଖିବେ ବୋଲି ଆଶା ବାନ୍ଧିଛନ୍ତି । ଗାଁର ସେବିଆନ୍ ମାନ୍ କି କହନ୍ତି, ଗତ ୨୫ ବର୍ଷ ମଧ୍ୟରେ ପୂର୍ବ ସରକାର ଆମକୁ ବହୁ ପ୍ରତିଶ୍ରୁତି ଦେଇଥିଲେ । ରାସ୍ତା, ବିଜୁଳି ଓ ପାନୀୟ ଜଳ ସମସ୍ୟା ଆଦିରୁ ଗୋଟିଏ ବି ସମାଧାନ ହୋଇପାରିଲାନାହିଁ । ଫୁଲମଣି ମାନ୍କି କହିଛନ୍ତି, ଏବେ ନୂଆ ସରକାର ଆସିଛି । ଉପାନ୍ତ ଗାଁକୁ ବିକାଶକୁ ପ୍ରାଥମିକତା ଦେବେ ବୋଲି ଆମେ ଆଶାବାଦୀ ।