ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର : ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି । ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି । ୨୫ରୁ ଅଧିକ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରର ଗେଟ୍ ସାମ୍ନାରେ ହଙ୍ଗାମା ସୃଷ୍ଟି କରିଥିଲେ। ସୂଚନା ଅନୁଯାୟୀ, ଖରାପ ପାଗ କାରଣରୁ ଗତ ରାତିରେ ଦିଲ୍ଲୀରୁ କୋଲକାତା ଯାଉଥିବା ଏକ ଘରୋଇ ଏୟାରଲାଇନ୍ସର ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅଟକି ରହିଥିଲା । ପାଗ ସଫା ହେବା ପରେ ମଧ୍ୟ ଏହି ଏୟାରଲାଇନ୍ସର ବିମାନ ସେବା ପୁନରାରମ୍ଭ ହୋଇନଥିଲା ।

ସୂଚନା ଅନୁଯାୟୀ, ଖରାପ ପାଗ କାରଣରୁ ଭୁବନେଶ୍ୱର ବିମାନବନ୍ଦରରେ ମୋଟ ଆଠଟି ଏୟାରଲାଇନ୍ସର ବିମାନ ଅଟକି ରହିଥିଲା । ଯେଉଁଥିରୁ ଛଅଟି ବିମାନ ସେମାନଙ୍କ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବେଳେ ଦୁଇଟି ବିମାନ ଏପର୍ଯ୍ୟନ୍ତ ଉଡ଼ାଣ କରିନାହିଁ । ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବାରୁ ହଙ୍ଗାମା ସୃଷ୍ଟି କରିଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ କ୍ରୁଦ୍ଧ ଯାତ୍ରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ଯାତ୍ରୀଙ୍କୁ ଶୀଘ୍ର ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ଆଶ୍ୱାସନା ଦେଇ କୋଲକାତା ପାଇଁ ଯାତ୍ରୀଙ୍କୁ ନେବାର ବ୍ୟବସ୍ଥା ଆରମ୍ଭ ହୋଇଛି ।