ଷ୍ଟାର୍‌ ହୋଟେଲ୍‌ର ବିବାହମଣ୍ଡପରୁ ଲୁଟ୍

ଭୁବନେଶ୍ଵର: ଅତିଥି ବେଶରେ ଦୁଇ ଚୋର ଏକ ବଡ଼ ଜାଗାରୁ ଲୁଟ୍‌ କରି ଚମ୍ପଟ ମାରିଛନ୍ତି । ରାଜଧାନୀର ଏକ ଷ୍ଟାର୍‌ ହୋଟେଲ୍‌ର ବିବାହମଣ୍ଡପରୁ ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ଲକ୍ଷାଧିକ ଟଙ୍କା ଓ ବହୁ ଗହଣା ଲୁଟି ନେଇଛନ୍ତି । ଏପରିକି ବାହାଘର ପରେ ଦେଣନେଣ ପାଇଁ ଥିବା ୨ ଲକ୍ଷ ଟଙ୍କା ଓ କନ୍ୟାର୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଲୁଟି ଦୁଇ ଚୋର ପାର୍ ହୋଇଯାଇଛନ୍ତି। ସିସିଟିଭିରେ ଏହି ଦୁଇ ଜଣଙ୍କ ସମସ୍ତ କଳା କାରନାମା କଏଦ ହୋଇଛି । ମାତ୍ର ୧୫ ମିନିଟ୍‌ ଭିତରେ ଚୋରଦ୍ଵୟ ଘଟଣାସ୍ଥଳରୁ ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଉଠାଇ ଏକ କାର୍ ଯୋଗେ ଛୁ’ ମାରିଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୈତ୍ରୀବିହାର ଥାନା ପୋଲିସ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ । 
ସୂଚନା ମୁତାବକ, ଏକ କର୍ପୋରେଟ୍ ସଂସ୍ଥାର ଅବସରପ୍ରାପ୍ତ ଏଚ୍ଆର୍ ସରୋଜ କୁମାର ମିଶ୍ରଙ୍କ ଡାକ୍ତର ଝିଅ ସଂଜନିକା ମିଶ୍ରଙ୍କ ସହ ଝାଡ଼ଖଣ୍ଡ ଚକ୍ରଧରପୁରର ଡାକ୍ତର ଅଭିଷେକ ଷଡ଼ଙ୍ଗୀଙ୍କ ବିବାହ ହେଉଥିଲା । ରବିବାର ସନ୍ଧ୍ୟାରେ ମୈତ୍ରୀବିହାର ଥାନା ଅଞ୍ଚଳର ଏକ ଷ୍ଟାର୍ ହୋଟେଲ୍‌ରେ ଏହି ବିବାହ ଅନୁଷ୍ଠିତ ହେଉଥିଲା । ସିସିଟିଭି ଫୁଟେଜ୍ ଅନୁସାରେ ଲୁଟେରା ଦ୍ଵୟ ବରଯାତ୍ରୀଙ୍କ ମେଳରେ ଆସିଥିଲେ। ହୋଟେଲ୍‌ ବାହାରେ ପାକିଂରେ କାର୍ ରଖିଥିଲେ । ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ମଣ୍ଡପରେ ଗହଳି ଆହୁରି ବଢ଼ି ଯାଇଥିଲା । କନ୍ୟା ସଂଜନିକାଙ୍କ ମଣ୍ଡପରେ ଉପହାର ସବୁ ଏକ ବ୍ୟାଗ୍‌ରେ ରହିଥିଲା। ସଂଜନିକାଙ୍କ ମା' ଉପହାର ସବୁକୁ ସଂଗ୍ରହ କରି ବ୍ୟାଗରେ ରଖୁଥିଲେ । ବରଯାତ୍ରୀ ମେଳରେ ଥିବା ଲୁଟେରାଦ୍ଵୟ ବେଶ୍ କିଛି ସମୟ କନ୍ୟାଙ୍କ ମଣ୍ଡପ ନିକଟରେ ଏପଟ ସେପଟ ହେଲେ । ମଣ୍ଡପ ଉପରେ ଅତିଥିମାନେ ସଂଜନିକାଙ୍କ ସହ ଫଟୋ ସୁଟ୍ କରୁଥିଲେ । ଏତିକି ବେଳେ ମଣ୍ଡପରେ ଫଟୋ ଉଠାଇବାକୁ ଭିଡ଼ ହୋଇଗଲା। ଏହି ମଉକାରେ ଜଣେ ଚୋର ସ୍ବାଭାବିକ ଭାବେ ମଣ୍ଡପ ଉପରକୁ ଯାଇ ସଂଜନିକାଙ୍କ ମା’ ରଖିଥିବା ବ୍ୟାଗକୁ ଉଠାଇଥିଲା ଏବଂ ମଣ୍ଡପ ତଳକୁ ଆସିଥିଲା । ମଣ୍ଡପ ତଳେ ଥିବା ଅନ୍ୟ ଲୁଟେରା ଜଣକ ତାଉପରେ ନଜର ରଖିଥାଏ । ନାଚଗୀତ ଓ ଫଟୋ ଉଠାରେ ଅତିଥିମାନେ ଏମିତି ବ୍ୟସ୍ତ ଥିଲେ ଯେ, ବ୍ୟାଗ୍ ଧରି ବେଶ୍ ଆରାମରେ ତଳକୁ ଆସୁଥିବା ଲୁଟେରାକୁ ଦେଖିପାରି ନଥିଲେ। ଏହାପରେ ଲୁଟେରାଦ୍ଵୟ ହୋଟେଲ୍‌ ବାହାରକୁ ଆସି କାର୍ ଯୋଗେ ପଳାଇଥିଲେ । ସରୋଜଙ୍କ ସୂଚନାନୁସାରେ ବ୍ୟାଗରେ ୧୦ ଭରିରୁ ଅଧିକ ଓଜନର ସୁନାଗହଣା ସହିତ ୨.୫ ଲକ୍ଷ ଟଙ୍କା ଥିଲା । ବର ପାଇଁ ଡାଇମଣ୍ଡ୍ କୋଟିଂ ବ୍ରେସ୍‌ଲେଟ୍‌, କନ୍ୟାର ଡାଇମଣ୍ଡ୍ କୋଟିଂ ଚୁଡ଼ି, କାନଫୁଲ, ନଣନ୍ଦ ମୁଦି ଓ ଶ୍ୱଶୁର ଘର ପକ୍ଷରୁ ମିଳିଥିବା କନ୍ୟାଙ୍କ ସୁନା ଗହଣା ବ୍ୟାଗ୍‌ରେ ଥିଲା । ଉପହାର ବାବଦରେ ସଂଜନିକାଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କା ମିଳିଥିଲା ବୋଲି କୁହାଯାଉଛି । ଏହାବାଦ ହୋଟେଲ୍‌ର ବକେୟା ୫୦ ହଜାର ଟଙ୍କା ମଧ୍ୟ ବ୍ୟାଗରେ ଥିଲା ବୋଲି ସରୋଜ କହିଛନ୍ତି । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି ।