୨୭ରୁ ଭାଗ୍ୟଶ୍ରୀ ମେମୋରିଆଲ୍ ଚେସ୍
ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସଆର ଚେସ୍ ସେଣ୍ଟର ଆନୁକୂଲ୍ୟରେ ଚଳିତ ମାସ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଫୁଲନଖରାସ୍ଥିତ କୁରାଙ୍ଗ୍ ଶାସନ, ଆମ୍ରପଲ୍ଲୀ ରିର୍ସଟରେ ଥିବା ଶୀତତାପ ନିୟନ୍ତ୍ରିତ ଚେସ ହଲରେ ପ୍ରଥମ ଏସଆର ଅଲ୍ ଓଡ଼ିଶା ଓପନ ଫିଡ଼େ ରେଟିଂ ଚେସ ପ୍ରତିଯୋଗିତା ଭାଗ୍ୟଶ୍ରୀଙ୍କ ମେମୋରିରେ ଅନୁଷ୍ଠିତ ହେବ ।
ବିଶ୍ୱ ଚେସ ସଂଘ, ସର୍ବଭାରତୀୟ ଚେସ୍ ମହାସଂଘ ଓ ରାଜ୍ୟ ଚେସ୍ ସଂଘର ସ୍ୱୀକୃତିପ୍ରାପ୍ତ ଏହି ପ୍ରତିଯୋଗିତାରେ ରାଜ୍ୟର ତୃଣମୂଳସ୍ତରରୁ ଲୁକ୍କାୟିତ ଚେସ୍ ପ୍ରତିଭା ଚିହ୍ନଟ ଓ ଚେସ୍ ଖେଳାଳିଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କୁ ଅନ୍ତର୍ଜାତୀୟ ଫିଡ଼େ ରେଟିଂ ପାଇବା ସହଜ କରିବା ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏଥିରେ ୨ ଲକ୍ଷ ୧୦୦ ଟଙ୍କା ପୁରସ୍କାର ଓ ୮୯ଟି ଆକର୍ଷଣୀୟ ଟ୍ରଫି ଓ ୫୪ଟି ମେଡ଼ାଲ କୃତି ପ୍ରତିଯୋଗିତାମାନଙ୍କୁ ପୁରସ୍କାର ଆକାରରେ ଦିଆଯିବ । ରାଜ୍ୟର ଯେକୌଣସି ଖେଳାଳି ଏଥିରେ ପ୍ରବେଶିକା ଦେୟ ୧୦୦୦ ଟଙ୍କା ଦେଇ ସିଧାସଳଖ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ସମସ୍ତ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ଏସ୍ଆର୍ ଚେସ୍ ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବେଣୁଧର ଦାଶ (ସମାଜ), ଅଜୟ କୁମାର ଦାସ (ନନ୍ଦିଘୋଷ ଟିଭି) ଓ କିଟ୍ ଓ କିସ୍ର କ୍ରୀକ୍ଷା ମହାପ୍ରବନ୍ଧକ ଗଗନେନ୍ଦୁ ଦାଶଙ୍କୁ ସ୍ୱତନ୍ତ୍ର ଭାବରେ ଏସ୍ଆର୍ ଚେସ୍ ସମ୍ମାନରେ ସମ୍ବର୍ଦ୍ଧନା କରାଯିବ ।