ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣକାରୀ ଶିକ୍ଷକମାନଙ୍କୁ ଶ୍ରେଷ୍ଠ ସମ୍ମାନ- ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan

ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣକାରୀ ଶିକ୍ଷକମାନଙ୍କୁ ଶ୍ରେଷ୍ଠ ସମ୍ମାନ- ଧର୍ମେନ୍ଦ୍ର ପ୍ରଧାନ

ଦେଶର ଶ୍ରେଷ୍ଠ ୫୦ ଜଣ ଶିକ୍ଷକ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ହେଲେ ସମ୍ମାନିତ
ଓଡ଼ିଶାର ଡ. ଦ୍ୱିତୀ ଚନ୍ଦ୍ର ସାହୁ ଏବଂ ସନ୍ତୋଷ କୁମାର କରଙ୍କୁ ‘ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ
ସମ୍ମାନିତ ଶ୍ରେଷ୍ଠ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଜୀବନକୁ ସମୃଦ୍ଧ କରିବା ଏବଂ ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ଅତୁଟ ସମର୍ପଣର ସ୍ୱୀକୃତି
ଜାତୀୟ ଶିକ୍ଷକ ପୁରସ୍କାର ତ୍ୟାଗ, ତପସ୍ୟା ଏବଂ ଅଦ୍ୱିତୀୟ ଯୋଗଦାନର ଅନନ୍ୟ ଉତ୍ସବ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୫, ୨୦୨୪ – ପବିତ୍ର ‘ଗୁରୁ ଦିବସ’ରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ ଭାରତବର୍ଷର ୫୦ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ  ‘ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୪’ ପ୍ରଦାନ କରିଛନ୍ତି ।  

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ପ୍ରତିଭାବାନ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ମାର୍ଗଦର୍ଶନ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁରୁ ଦିବସର ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।  ସେ କହିଛନ୍ତି ଯେ ଜାତୀୟ ଶିକ୍ଷକ ପୁରସ୍କାର ତ୍ୟାଗ, ତପସ୍ୟା ଏବଂ ଅଦ୍ୱିତୀୟ ଯୋଗଦାନର ଅନନ୍ୟ ଉତ୍ସବ । ମାନ୍ୟବର ରାଷ୍ଟ୍ରପତି ଗୁରୁ ଦିବସରେ ସୁଦୃଢ ସମାଜ ଏବଂ ସଶକ୍ତ ରାଷ୍ଟ୍ରର ଆଧାରଶିଳା ରଖୁଥିବା ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରର ଗଠନ ତଥା ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକମାନଙ୍କୁ ଏହା ଉପଯୁକ୍ତ ସମ୍ମାନ । ଏହି ସମ୍ମାନ ଜୀବନକୁ ସମୃଦ୍ଧ କରିବା ଏବଂ ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ଅତୁଟ ସମର୍ପଣର ସ୍ୱୀକୃତି । ଜାତୀୟ ଶିକ୍ଷା ନୀତିର  ଭାବନାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ସମଗ୍ର ଭାରତରେ ଦକ୍ଷତା ପ୍ରଶିକ୍ଷଣ ଏବଂ ବିଦ୍ୟାଳୟ ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଆମର ଶିକ୍ଷକ ଏବଂ ସେମାନଙ୍କର ଅତୁଳନୀୟ ଅବଦାନକୁ ପାଳନ କରିବା ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି ।

ଓଡ଼ିଶା ସମେତ ଦେଶର ୫୦ ଜଣ ପ୍ରତିଭାବାନ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଡ. ଦ୍ୱିତୀ ଚନ୍ଦ୍ର ସାହୁ ଏବଂ ସନ୍ତୋଷ କୁମାର କର ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।