ପଟ୍ଟାମୁଣ୍ଡାଇରେ ବନ୍ୟା, ସରକାରୀ ସହାୟତା ଦାବି

 ପଟ୍ଟାମୁଣ୍ଡାଇ:  କେନ୍ଦ୍ରାପଡ଼ା ବିଧାନସଭା ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକ ବନ୍ୟା ସହାୟତା କ୍ଷେତ୍ରରେ ଚରମ ଅବହେଳାର ଶିକାର ହୋଇଛି  । ବ୍ରାହ୍ମଣୀ ଓ କାଣୀ ନଦୀରେ ୪ଥର ବନ୍ୟା ଆସି ମାସ ମାସ ଧରି ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିର ବହୁ ଅଞ୍ଚଳ ଓ ଚାଷଜମି ପାଣି ଘେରରେ ରହିବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ବହୁ ଘରଦ୍ୱାର, ରାସ୍ତାଘାଟ କ୍ଷତିଗସ୍ତ ହେବା ସହିତ ହଜାର ହଜାର ଏକର ଜମିର ଧାନ ମୁଗ ବିରି ଓ ପନିପରିବା ଫସଲ ସମୂଳେ ନଷ୍ଟ ହୋଇଛି  । ସରକାର ଅନ୍ୟ ଜିଲ୍ଲାକୁ ସହାୟତା ଯୋଗାଇ ଦେଇଛନ୍ତି ଓ ମାତ୍ର ଦୁଃଖର ବିଷୟ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ପଟ୍ଟାମୁଣ୍ଡାଇ ବ୍ଳକ ଓ ମୁନସିପାଲଟିକୁ ବନ୍ୟାଞ୍ଚଳ ଘୋଷଣା କଲେ ନାହିଁ କିମ୍ବା ବନ୍ୟା ରିଲିଫ ସାହାର୍ଯ୍ୟ ଘୋଷଣା କଲେ ନାହିଁ  । ବନ୍ୟା ବିପନ୍ନ ଲୋକମାନେ ମାସ ମାସ ଧରି ପାଣି ଘେରରେ ରହି ନର୍କ ଯନ୍ତ୍ରଣା ଭୋଗ କରିଛନ୍ତି  । ଏପରିକି ବନ୍ୟା ପାଣିରେ ବୁଡି ଯାଇ ୨ଜଣଙ୍କ ପ୍ରାଣହାନୀ ଘଟିଛି  । ବନ୍ୟା ଦ୍ୱାରା ବାରମ୍ବାର ଫସଲ ହରାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି  । ଗରିବ ଖଟିଖିଆ ମାନେ କାମ ଧନ୍ଦା ନପାଇ ଭୋକ ଉପାସରେ ରହିଛନ୍ତି  । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ବ୍ଲକ ସ୍ତରୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ବନ୍ୟା ବିଭେଷିକାର ଭୟାବହତା ଅନୁଭବ କରିଛନ୍ତି ଓ ଏସବୁ ସତ୍ୱେ ସରକାର କେବଳ ବନ୍ୟାଞ୍ଚଳ ଲୋକମାନଙ୍କ ପାଇଁ କିଛି ବୋଟ, ଡ଼ଙ୍ଗା ଓ ଗୋ ଖାଦ୍ୟ ଯୋଗାଇ ଦେଇନାହାଁନ୍ତି କିମ୍ବା ଚାଷୀ ମାନଙ୍କ ଫସଲ କ୍ଷୟକ୍ଷତି ମିଳିନାହିଁ   । ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିକୁ ବନ୍ୟାଞ୍ଚଳ ଭାବେ ଘୋଷଣା କରି ରିଲିଫ ସମେତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ସରକାରଙ୍କ ଠାରେ ଦାବୀ କରିଛନ୍ତି  ।