କିଏ ଶୁଣୁଛି ନିଦେ୍ର୍ଦଶ?


୧୯୩୬ରେ ଓଡ଼ିଶା ଭାଷାଭିତ୍ତିକ ପ୍ରଦେଶ ପରିଗଣିତ ହେବା ପରେ ଓଡ଼ିଶାର ପ୍ରଶାସନିକ ଭାଷା ଭାବେ ଓଡ଼ିଆ ଭାଷାର ବ୍ୟବହାର ଉପରେ ପ୍ରାଥମିକତା ଦିଆଯିବ ବୋଲି ଆଶା କରାଯାଉଥିଲା । ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଇଂରେଜମାନେ ଇଂରାଜୀ ଭାଷା ଉପରେ ଗୁରୁତ୍ୱ ଦେଉଥିଲେ । ସ୍ୱାଧୀନତା ପରେ ଗଣତାନ୍ତ୍ରିକ ବ୍ୟବସ୍ଥା କେବଳ ଇଂରେଜମାନଙ୍କ ଅନୁକରଣ କରିଚାଲିଲା । ଏହା ଫଳରେ ଦେଶର ଅଶିକ୍ଷିତ ଗରିବ ତଥା ଅନଗ୍ରଶର ଲୋକମାନେ ପ୍ରଶାସନର ଭାଷା ବୁଝିବା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଲେ । ଇଂରେଜମାନେ ସେମାନଙ୍କର ଉଚ୍ଚାରଣ ଶୈଳୀ ଅନୁଯାୟୀ ଓଡ଼ିଆ ସ୍ଥାନଗୁଡ଼ିକର କିମ୍ଭୁତ କିମ୍ବାକାର ନାମକରଣ କରିଦେଲେ । କେବଳ ସେତିକି ନୁହେଁ ବିଭିନ୍ନ ଜାତିର ଇଂରାଜୀ ବନାନ କ୍ଷେତ୍ରରେ ଏଭଳି ଭାବେ ଲେଖି ଦେଇ ଗଲେ ଯେ ବନାନ୍କୁ ନେଇ ଏଯାଏଁ ଜାତିଗତ ପ୍ରମାଣ କ୍ଷେତ୍ରରେ ମୋକଦ୍ଦମାଗୁଡ଼ିକ କୋର୍ଟ କଚେରୀରେ ଗଡୁଛି । ଓଡ଼ିଆ ଭାଷାର ବ୍ୟାକରଣଗତ ସ୍ୱାତନ୍ତ୍ର୍ୟ, ବର୍ଣ୍ଣସଂଖ୍ୟା, କଥିତ ଭାଷାରେ ଶକ୍ତିପାତ ଆଦି ସ୍ୱାତନ୍ତ୍ର୍ୟକୁ ନେଇ ଇଂରାଜୀ ଭାଷାରେ ଲେଖାଯିବା ସମୟରେ ଏହି ଭଳି ସମସ୍ୟାମାନ ଉପୁଜିଛି । ଏହା ସହିତ କୋର୍ଟ-କଚେରୀମାନଙ୍କରେ ଓଡ଼ିଆ ଶବ୍ଦର ଇଂରାଜୀ ବନାନକୁ ନେଇ ବେଳେ ବେଳେ ଏଭଳି ତର୍ଜମା ହୁଏ ଯେ ସେଗୁଡ଼ିକ ତର୍ଜମା ନ ହୋଇ ବିତଣ୍ଡାରେ ପରିଣତ ହୋଇଯାଏ । ରାଜ୍ୟ ବିଧାନସଭାରେ ମଧ୍ୟ ଓଡ଼ିଆ ଶବ୍ଦକୁ ନେଇ ଢେର ବିତଣ୍ଡା ହୋଇଥିବାର ପ୍ରମାଣ ଅଛି । 
ଓଡିଶାରେ ସରକାରୀ ସ୍ତରରେ ଓଡିଆ ଭାଷାର ପ୍ରଚଳନକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ନିଦେ୍ର୍ଦଶ ପ୍ରକାଶ ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସିଟି ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରିନାହିଁ । ବିଗତ ବର୍ଷମାନଙ୍କରେ ରାଜ୍ୟ ବିଧାନସଭାରେ ଭାଷା ଆଇନ ବିଲ୍ ଗୃହୀତ ହେବା ପରେ ରାଜ୍ୟର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିର ନାମଫଳକ ଓଡ଼ିଆ ଭାଷାରେ ହେବ ବୋଲି ସରକାର ଏକ ନିଦେ୍ର୍ଦଶ ଜାରି କରିଥିଲେ । ତେବେ ଏବେ ସୁଦ୍ଧା ସେହି ନିଦେ୍ର୍ଦଶକୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମାନିଥିବା ଦେଖିବାକୁ ମିଳିଲା ନାହିଁ । ସରକାର ଜାରି କରିଥିବା ନିଦେ୍ର୍ଦଶନାମାରେ ରହିଥିଲା ଯେ ପ୍ରଥମ ଥର ନିଦେ୍ର୍ଦଶକୁ ଅମାନ୍ୟ କଲେ ଏକ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଅମାନ୍ୟରେ ତିନି ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଏଭଳି ଏକ ନଦେ୍ର୍ଦଶନାମା ବାହାରିବାର ଦିନେ/ଦୁଇଦିନ ପର୍ଯ୍ୟନ୍ତ ଖୁବ ଆଲୋଚନା ହେଲା । ତା'ପରେ ଏହାକୁ କାର୍ଯ୍ୟକାରୀ କରିବା କଥା ଲୋକେ ଭୁଲିଗଲେ ଓ ସରକାର ବି ଭୁଲିଗଲେ । ପରେ ଲାଗିଲା ସେତେ ଯେମିତି ପୂର୍ବରୁ ଜାରି ହୋଇଥିବା ନିଦେ୍ର୍ଦଶ ବା ଅଧ୍ୟାଦେଶ ପରି ସେହି ମଧ୍ୟ ଅଳିଆଗଦାକୁ ଚାଲିଗଲା । 
ତେବେ ଗତ ମାସ ୬ ତାରିଖରେ ନଗର ଉନ୍ନୟନ ବିଭାଗର ବିଭାଗୀୟ ସଚିବ ଏକ ନିଦେ୍ର୍ଦଶାନାମା ଜାରି କରିଥିଲେ ଯେ ରାଜ୍ୟର ସମସ୍ତ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ଅଧିନରେ ଆସୁଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖାଯିବା ପାଇଁ ବାଧ୍ୟ । ଏହି ନିଦେ୍ର୍ଦଶାନାମାକୁ ବର୍ତ୍ତମାନ ମାସେରୁ ଅଧିକ ସମୟ ହୋଇ ଯାଇଥିଲେ ସୁଦ୍ଧା ତାହା କେତେ ଫଳପ୍ରଦ ହୋଇଛି, ତାହା ହିଁ ବଡ଼ ପ୍ରଶ୍ନ । ପୂର୍ବ ପ୍ରୟାସ ଏବଂ ନିଦେ୍ର୍ଦଶ ଅଳିଆଗଦାକୁ ଚାଲିଗଲା ଭଳି ଏହି ନିଦେ୍ର୍ଦଶାନାମା ମଧ୍ୟ ଚାଲିଯିବନି ତ? 
ଭାଷା କେବଳ ଭୌଗଳିକ ଭୂଖଣ୍ଡର ପରିଚୟ ନୁହେଁ । ଏହା ଶାସକ ସହ ଲୋକମାନଙ୍କର ସଂଯୋଗର ସେତୁ । ଲୋକେ କହୁଥିବା ଭାଷା ଏବଂ ଶାସକ କହୁଥିବା ଭାଷା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେଲେ ପ୍ରଶାସନିକ ବ୍ୟବସ୍ଥା ବହୁ କ୍ଷେତ୍ରରେ ବିଫଳ ହେବ । ସରକାରଙ୍କ ଯୋଜନା ଲୋକମାନଙ୍କ ପାଇଁ ହେଉଥିବା ସ୍ଥଳେ ଯୋଜନାର ଭାଷା ଏବଂ  ଲୋକମାନଙ୍କ ଭାଷା ଅଲଗା ହେଲେ ଯୋଜନା ଅଧିକାଂଶ କ୍ଷେତ୍ରରେ ବିଫଳ ହେଉଥିବାର ପ୍ରମାଣ ରହିଛି । ତେଣୁ ଓଡିଶାରେ ଓଡିଆ ଭାଷାର ପ୍ରଚଳନ ଜରୁରୀ, କିନ୍ତୁ ପ୍ରଚଳନ କରାଇବା ପାଇଁ ସରକାରଙ୍କର ଇଚ୍ଛାଶକ୍ତି  ସହିତ ତତ୍ପରତା ରହିବା ମଧ୍ୟ ଜରୁରୀ । ଏ କ୍ଷେତ୍ରରେ ଯିଏ ଅବମାନନା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ ହେଉ ।