ରସାୟନ ବିଭାଗ ପକ୍ଷରୁ ପାଠଚକ୍ର

 ଆନନ୍ଦପୁର : ଚଳିତ ଶିକ୍ଷାବର୍ଷରେ ପ୍ରଥମ ପାଠଚକ୍ର କୁଶଳେଶ୍ୱର ଆଞ୍ଚଳିକ କଲେଜରେ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ "ମଲିକୁଲାର ଅର୍ବିଟାଲ୍ ଥିଓରୀ’ ଶୀର୍ଷକରେ ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ ମିଶ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପାଠଚକ୍ରର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ମହେଶ୍ୱର ଜେନା ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ବିଜୟ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଦିଗରେ ଉଦବୋଧନ ରଖିଥିଲେ । ତୃତୀୟ ବର୍ଷର ଛାତ୍ରୀ ଶୁଭଦର୍ଶନୀ ପଲେଇ ପାଠଚକ୍ର ଉପରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦେବା ସହିତ ପ୍ରଶ୍ନୋତ୍ତର ଭାଗରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକ ରାଷ୍ଟ୍ର ରଞ୍ଜନ ବାରିକ ଧନ୍ୟବାଦ୍ ଦେଇଥିବା ବେଳେ, ହୃଦାନନ୍ଦ ଦାଶ ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।