ସର୍ବବ୍ୟାପୀ ଅନନ୍ତ ଅକ୍ଷୟ ଆଲୋକ

ଡ.ସୁରେଶ କୁମାର ନାୟକ : 
ସକଳ ବସ୍ତୁର ଆଧାର, ସକଳ ବେଦର ମାତା, ସକଳ ଭାଷାର ଭିତ୍ତି, ସକଳ ନାଦଯାତ ହେଉଛି ପବିତ୍ର ଏକାକ୍ଷରୀ ମନ୍ତ୍ର "ଓଁ' । କହିବାକୁ ଗଲେ ଆମେ ସମସ୍ତେ ଏହି ଓଁ ଗୂଢ଼ତତ୍ତ୍ୱର କେବଳ ଅକ୍ଷର ଭିତରେ ନୁହେଁ ଆମେ ଓଁରେ ନିବାସ କରୁ, ଅବସ୍ଥାନ କରୁ ଏବଂ ଆମର ଅନ୍ତିମ ବିଶ୍ରାମ ହିଁ ସେହି ଓଁ ।  "ଓଁ' ଆତ୍ମିକ ବଳ ଦିଏ  । "ଓଁ'ର ଉଚ୍ଚାରଣ ଦ୍ୱାରା ଜୀବନୀଶକ୍ତି (ପ୍ରାଣଶକ୍ତି) ଊଦ୍ଧ୍ୱର୍ଗାମୀ ହୁଏ  । ଏହାର ସାତବାର ଉଚ୍ଚାରଣ ଦ୍ୱାରା ଶରୀରର ରୋଗ ଉତ୍ପନକାରୀ କୀଟାଣୁ ଦୂର ହେବାକୁ  ଲାଗନ୍ତି ବରଂ ଚିତ୍ତରୁ ହତାଶା-ନିରାଶା ଭାବ ମଧ୍ୟ ଦୂର ହୁଏ  । ଏହି କାରଣରୁ ହିଁ ଋଷି-ମୁନିଗଣ ସମସ୍ତ ମନ୍ତ୍ର ଆଗରେ "ଓଁ' ଯୋଡ଼ିଛନ୍ତି  । ଓଁ ହେଉଛି ନାଦ ବ୍ରହ୍ମ । ନାଦ ଯାହାର ଅର୍ଥ ହେଉଛି ଶବ୍ଦ । ଶବ୍ଦ ହେଉଛି ତରଙ୍ଗ ତେଣୁ ପ୍ରଥମ ଶବ୍ଦ ତରଙ୍ଗ ହେଉଛି ଓଁ । ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି "ବ୍ରହ୍ମ ଏକ ଏବଂ ଅଦିତ୍ୟ' । ସେହିପରି ଉଲ୍ଲେଖ ରହିଛି - "ଏକୋଽହମ୍ ବହୁସ୍ୟାମ୍ ।' ଶାସ୍ତ୍ରରେ ମଧ୍ୟ "ଓ'ର ବହୁତ ମହିମା ଗାନ କରାଯାଇଛି  । ଭଗବାନ ଶଙ୍କରଙ୍କ ମନ୍ତ୍ର ହେଉଛି : ଓଁ ନମଃ ଶିବାୟ  । ଭଗବାନ ଗଣପତିଙ୍କର ମନ୍ତ୍ର ହେଉଛି : ଓଁ ଗଣେଶାୟ ନମଃ  । ଭଗବାନ ରାମଙ୍କର ମନ୍ତ୍ରୀ ହେଉଛି : ଓଁ ରାମାୟ ନମଃ  । ଶ୍ରୀକୃଷ୍ଣଙ୍କର : ଓଁ ନମୋ ଭଗବତେ ବାସୁଦେବାୟ  । ଗାୟତ୍ରୀ ମନ୍ତ୍ର ହେଉଛି : ଓଁ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣଂ, ଭର୍ଗୋ ଦେବସ୍ୟ ଧୀମହି ଧିୟୋ, ୟୋ ନଃ ପ୍ରଚୋଦୟାତ୍  । ଏହିପରି ସବୁମନ୍ତ୍ର ଆଗରେ "ଓଁ' ଯୋଡ଼ା ହୋଇଅଛି  । ପତଞ୍ଜଳି ମହାରାଜ କହିଛନ୍ତି "ତସ୍ୟ ବାଚକଃ ପ୍ରଣବଃ'  । "ଓ' (ପ୍ରଣବ) ପରମାତ୍ମାଙ୍କର ବାଚକ ଅଟେ  । ତାହାର ସ୍ୱାଭାବିକ ଧ୍ୱନି ଅଛି  । ବିଶ୍ୱ ବ୍ରହ୍ମାଣ୍ଡର ଅତୀତ ସକଳ ସୃଷ୍ଟିର ଭିତ୍ତି ହିଁ ଏହି ନାଦ ଓଁ  । ସକଳ ନାଦର ଆଧାର ଓଁ । ଅ, ଉ ଏବଂ ମ ଏହି ତିନୋଟି ଅକ୍ଷରକୁ ନେଇ ଓଁ ଗଠିତ । ଏବଂ ଆମ ବ୍ୟବହାର କରୁଥିବା ଶବ୍ଦ ତରଙ୍ଗର ସମସ୍ତ ବର୍ଗ ଏହି ତିନୋଟି ଉଚ୍ଚାରର ଅନ୍ତର୍ଗତ । "ଓଁ'ର ରହସ୍ୟ ଜାଣିବା ପାଇଁ କିଛି ପରୀକ୍ଷା (ପ୍ରୟୋଗ) କରି ଏକଦା ରୁଷୀୟ ବୈଜ୍ଞାନିକଗଣ ଆଶ୍ଚର୍ଯ୍ୟ ଚକିତ ହୋଇ ଉଠିଲେ  । ଏ ସମ୍ବନ୍ଧରେ ଗଣମାଧ୍ୟମରେ ଅନେକ ଅନୁସନ୍ଧାନ ମୂଳକ ଖବର ଆଲୋଡ଼ନ ସୃଷ୍ଟି କରିଥିଲା । ସେମାନେ ପ୍ରୟୋଗ କରି ଦେଖିଲେ ଯେ ଯେବେ ବ୍ୟକ୍ତି ବାହାରେ କିଛି କହେ ଏବଂ ଭିତରେ ଅନ୍ୟ କିଛି ବିଚାର କରେ ତେବେ ତାଙ୍କ ସୂକ୍ଷ୍ମ ମେସିନରେ ଦୁଇଟି ଯାକ ଶବ୍ଦ ଅଙ୍କିତ ହୋଇ ଯାଉଥିଲା  ।  ଓଁ କହିଲେ ସବୁକିଛିକୁ ବୁଝାଏ । "ଅ' ହେଉଛି ବ୍ରହ୍ମ, "ମ' ମାୟା ଓ "ଉ' ହେଉଛି ବ୍ରହ୍ମ ଓ ମାୟା ଉଭୟଙ୍କର କ୍ରିୟାର ସଂଯୋଜକ । ପ୍ରଣବ ବା ଓଁକାର ହେଉଛି ଶ୍ରେଷ୍ଠତମ ମନ୍ତ୍ର । ଏହି ମନ୍ତ୍ର ପ୍ରତ୍ୟକ୍ଷ ମୁକ୍ତି ପ୍ରଦାନ କରେ । ଓଁ ହେଉଛି ସକଳ ମନ୍ତ୍ରପ୍ରାଣ, ଅନ୍ତରାତ୍ମା, ସର୍ବୋପରି ସକଳ ସ୍ତବ ଓ ସ୍ତୋତ୍ରର ପ୍ରାରମ୍ଭ । ଆମ ହିନ୍ଦୁ ପୂଜାପଦ୍ଧତିରେ ଓଁକାରର ପବିତ୍ର ଉଚ୍ଚାରଣ ପରେ ସକଳ ଦେବଦେବୀ ଗୁରୁଦେବଙ୍କୁ ଅର୍ଘ୍ୟ, ନୈବେଦ୍ୟ ସମର୍ପଣ କରାଯାଏ । ଅଷ୍ଟୋତ୍ତରୀ ପାଠ ହେଉ ବା ସହସ୍ର ନାମ, ସବୁଥିରେ ପ୍ରଣବ ହେଉଛି ପାଠର ଆରମ୍ଭର ଆଦ୍ୟ ଉଚ୍ଚାରଣ । ସମସ୍ତ ନାମ ମଧ୍ୟରେ "ଓଁ'ର ସ୍ଥାନ ପ୍ରଥମରେ  । ମୁସଲମାନ ଲୋକ ମଧ୍ୟ ଆଲ୍ଲା ହୋ...ଅକବର.. କହି ନମାଜ ପଢ଼ିଥାନ୍ତି, ଯାହା "ଓଁ' ଧ୍ୱନିର ଅଂଶ ବିଶେଷ  । ଶିଖ ଧର୍ମରେ ମଧ୍ୟ ଏକୋ ଓଁକାର ସତିନାମୁ କହି ସେଥିରୁ ଆନନ୍ଦ ପ୍ରାପ୍ତ ହୋଇଥାନ୍ତି । ଶିଖ ଧର୍ମର ପ୍ରଥମ ଗ୍ରନ୍ଥ ହେଉଛି ଜପୁଜୀ ଆଉ ଜପୁଜୀର ପ୍ରଥମ ବଚନ ହେଲା : ଏକୋ ଓଁକାର ସତିନାମୁ ......  । ଆମେ ମାନେ ନିତିଦିନିଆ ଜୀବନରେ ପ୍ରତୁ୍ୟଷରୁ ବା ଯେ କୌଣସି ପବିତ୍ର କାର୍ଯ୍ୟର ପ୍ରାରମ୍ଭରୁ ଓଁକାର ଜପ କଲେ ଅପାର ଶକ୍ତି ପ୍ରାପ୍ତ କରିପାରିବା । ନିତ୍ୟ ଓଁକାର ଜପ କରୁଥିବା ପୁରୁଷଙ୍କ ନୟନ ଓ ମୁଖ ମଣ୍ଡଳରେ ଅପୂର୍ବ ଜ୍ୟୋତି ଉଦଭାସିତ ହୁଏ । ଓଁ ହେଉଛି ସର୍ବବ୍ୟାପୀ ଅନନ୍ତ ଅକ୍ଷୟ ଆଲୋକ । ଅନୁଭବ କରନ୍ତୁ ଯେ ଆପଣ ହେଉଛନ୍ତି ଶୁଦ୍ଧ, ସମର୍ପିତ, ନିତ୍ୟ ମୁକ୍ତ, ସର୍ବଜ୍ଞ ପରମ ଚୈତନ୍ୟ ବ୍ରହ୍ମ । ଆପଣ ହେଉଛନ୍ତି ଅବିନାଶୀ ସନାତନ ସତ୍ତା । ଦେହ ଓ ମନ ସଦା ଗୁଢ଼, ସୂକ୍ଷ୍ମ ସର୍ବମୟ ଶୁଦ୍ଧ ଚୈତନ୍ୟରେ ପରିପୂର୍ଣ୍ଣ ହେଉ । ସେହି ସର୍ବବ୍ୟାପୀ ସର୍ବଶାଶ୍ୱତ "ଓଁ'କୁ ପ୍ରଣାମ । 
ମୋ : ୯୪୩୭୨୨୫୫୯୨