ନୂଆପଡ଼ା ଅଙ୍କ : ୩ ଦଳ ପାଇଁ ଆହ୍ୱାନ
ଭୁବନେଶ୍ୱର: ନୂଆପଡ଼ାରେ ହେବ ଲିଟିମସ ଟେଷ୍ଟ । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ମୃତୁ୍ୟ ପରେ ଏବେ ବିଜେଡ଼ି, ବିଜେପି ଓ କଂଗ୍ରେସ ପାଇଁ ନୂଆପଡ଼ା ଉପନିର୍ବାଚନ ଆହ୍ୱାନ ସୃଷ୍ଟିକରିଛି ।
ନବୀନଙ୍କ ଲୋକପ୍ରିୟତା କାଏମ ରହିଛି କି ? ଭିକେ ପାଣ୍ଡିଆନଙ୍କ ବିରୋଧରେ ବିଜେଡ଼ିରେ ପ୍ରକାଶ ପାଉଥିବା ଜନ ଅସନ୍ତୋଷର ପ୍ରତିଫଳନ ନୂଆପଡ଼ାରେ ଦେଖିବାକୁ ମିଳିବ କି ? ଏମିତି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ନିର୍ବାଚନ ଅଙ୍କ ଓ ଅନୁକମ୍ପାକୁ ଅନୁଶୀଳନ କଲେ ନୂଆପଡ଼ାରେ ବିଜେଡ଼ିର ପଲା ଭାରିରହିଛି । ଜନପ୍ରିୟ ନେତା ଢ଼ୋଲକିଆ ସେଠାରୁ ୪ ଥର ବିଜୟୀ ହୋଇଛନ୍ତି । ଥରେ ସ୍ୱାଧୀନ ଭାବେ ବି ଜିତିବାର ସୁଯୋଗ ପାଇଥିଲେ । ସେଠାରୁ ରାଜେନ୍ଦ୍ରଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି । ଯଦି ବିଜେଡ଼ି ଏହି ଆସନରେ ବାଜିମାତ୍ ନକରିପାରେ ତେବେ ଦଳର ଭବିଷ୍ୟତ ଓ ପାଣ୍ଡିଆନଙ୍କ ପତିଆରା ଉପରେ ପ୍ରଶ୍ନବାଚୀ ସୃଷ୍ଟିହେବା ନିଶ୍ଚିତ । ଯଦି ନୂଆପଡ଼ାରେ ବିଜେଡ଼ି ଜିତେ ତେବେ ପାଣ୍ଡିଆନଙ୍କ ବିରୋଧରେ ପ୍ରକାଶ ପାଉଥିବା ଅସନ୍ତୋଷ ଥମିବା ଥୟ । ନଚେତ୍ ଶଙ୍ଖ ଭବନରେ କମ୍ପନ ସୃଷ୍ଟିହେବ ।
ବିଜେପି ଗତ ନିର୍ବାଚନରେ ନୂଆପଡ଼ାରେ ଆଶାନୁରୂପକ ପ୍ରଦର୍ଶନ କରିପାରିନଥିଲା । ନୂଆପଡ଼ାର ଦି ଥରିଆ ବିଧାୟକ ତଥା କଳାହାଣ୍ଡିର ସାଂସଦ ଥିବା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ହେଲେ ତାଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ବିଜୟ ଠାରୁ ସେ ବହୁ ପଛରେ ପଡ଼ିଯାଇଥିଲେ । ଏବେ ଉଭୟ ମନମୋହନ ସାମଲ ଓ ମୋହନ ମାଝୀଙ୍କ ପାଇଁ ଏହା ଏକ ପରୀକ୍ଷାର ବେଳ । ତିନି ନମ୍ବରରେ ଥିବା ଦଳକୁ ଜିତାଇବା ଏକ ଆହ୍ୱାନ ସୃଷ୍ଟିକରିବ । ବିଜେପି ପାଇଁ ଲଢ଼େଇ ମୁସ୍କିଲ୍ ହୋଇଥିଲେବି ହାରଜିତ୍ ମୋହନ ଓ ମନମୋହନଙ୍କ ସମ୍ମାନର ପ୍ରଶ୍ନ କହିଲେ ଭୁଲ୍ ହେବନାହିଁ । କାହିଁକିନା ସାଧାରଣତଃ ଅଧିକାଂଶ ଉପନିର୍ବାଚନର ଫଳାଫଳ ଶାସକ ଦଳ ସପକ୍ଷରେ ହିଁ ଯାଇଥାଏ ।
ଏସବୁ ଭିତରେ କଂଗ୍ରେସ ହିଁ ସେଣ୍ଟର ଷ୍ଟେଜରେ ଖେଳିବ । ପିସିସି ସଭାପତି ଭକ୍ତଚରଣ ଦାସ ହେଉଛି କଳାହାଣ୍ଡିର । ସେ ବହୁବାର ସାଂସଦ ବି ଥିଲେ । ନୂଆପଡ଼ାରୁ ଭଲ ଭୋଟ୍ ବି ଟାଣନ୍ତି । ତାଙ୍କ ସଂସଦୀୟ କ୍ଷେତ୍ର ଭିତରେ ନୂଆପଡା ଆସୁଥିବାବେଳେ କଂଗ୍ରେସର ଭଲ ଭୋଟ ବ୍ୟାଙ୍କ ରହିଛି । ଗତଥର କଂଗ୍ରେସ ଟିକେଟ୍ ନିମିଳିବାରୁ ଘାସିରାମ ମାଝୀ ସ୍ୱାଧୀନ ଲଢ଼ିଥିଲେ । କଂଗ୍ରେସ ପ୍ରାର୍ଥୀ ତଥା ତକôାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ ହଜାରରୁ ଅଳ୍ପ କିଛି ଅଧିକ ଭୋଟ୍ ପାଇଥିବାବେଳେ ୫୧ ହଜାରରୁ ଅଧିକ ଭୋଟ୍ ହାତେଇ ନେଇଥିଲେ ଘାସିରାମ । ଯଦି କଂଗ୍ରେସ ଟିକେଟ ମିଳିଥା’ନ୍ତା ତେବେ ନୂଆପଡ଼ାରେ କଂଗ୍ରେସ ଜିତିଥିଲେ ଆଶ୍ଚର୍ଯ୍ୟ ହେବାର ନଥିଲା । ଏଭଳି ସ୍ଥିତିରେ ବିଜେପି ଓ ବିଜେଡ଼ିକୁ କଂଗ୍ରେସ ବି କଡ଼ା ଟକ୍କର ଦେଇପାରିବ । ଅତୀତରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ଥିବାବେଳେ ଦଳ ୱାକଓଭର ଦେଇ ଦେଉଥିଲା । ଏଥର କିନ୍ତୁ ବିଜୟୀ ହୋଇ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ଫେରାଇ ଆଣିବାକୁ ଭକ୍ତ ଉଦ୍ୟମ କରିବେ ।
ଗାଏମୋଟ୍ କହିଲେ, ଉଭୟ ବିଜେଡ଼ି ଓ କଂଗ୍ରେସ ପାଇଁ ନୂଆପଡ଼ାରେ ଅନୁକୂଳ ସ୍ଥିତି ଥିବାବେଳେ ବିଜେପି ପ୍ରତି ଫେରୁଥିବା ଆସ୍ଥା, ମୋଦି-ମୋହନଙ୍କ ଲୋକପ୍ରିୟତା ଦଳକୁ ମଜବୁତ୍ ସ୍ଥିତିରେ ରଖିପାରିବ । ଗାଏମୋଟ୍ କହିଲେ ତ୍ରିମୁଖୀ କଡ଼ା ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।