ସାର ଓ ବିହନ ବିକ୍ରେତାଙ୍କୁ ନେଇ କୃଷି ବିଭାଗର ବୈଠକ : ‘କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ’

 ନବରଙ୍ଗପୁର:  ଜିଲ୍ଲା କୃଷି ବିଭାଗ ପକ୍ଷରୁ ଉମରକୋଟ ଡିଏନ୍କେ ସ୍ଥିତ ବଙ୍ଗୀୟ ଭବନରେ ଉମରକୋଟ, ରାଇଘର, ଝରିଗାଁ ଏବଂ ଚନ୍ଦାହାଣ୍ଡିର ୧୭୦ ଜଣ ସରକାରୀ ସ୍ୱୀକୃତିପ୍ରାପ୍ତ ସାର ଓ ବିହନ ବିକ୍ରେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ କୃଷିଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ, କୃଷି ଜିଲ୍ଲା ଅଧିକାରୀ ଉମରକୋଟ ବିଶ୍ୱଜିତ ସାହୁ, ସହକାରୀ କୃଷି ଅଧିକାର ଓ ୪ଟି ବ୍ଲକର ବ୍ଲକ କୃଷି ଅଧିକାର, ଲ୍ୟାମ୍ପର ଏମ୍ଡି, ଉମରକୋଟ ମାରଫେଡ ଅଧିକାରୀ ଯୋଗ ଦେଇଥିଲେ । ବୈଠକରେ ଆଗାମୀ ଖରିଫ୍ ଚାଷରେ ଚାଷୀଙ୍କ ସହ ସୁସମ୍ପର୍କ ରଖି ଚାଷୀଙ୍କୁ ସଠିକ୍ ମାନର ବିହନ ଏବଂ ସାର ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବ୍ୟବସାୟୀଙ୍କୁ କହିବା ସହ ଯଦି କୌଣସି ବିକ୍ରେତା ସରକାରୀ ନିୟମ ଅବମାନନା କରନ୍ତି ଏବଂ ଏହା ପ୍ରମାଣ ମିଳେ ହେଲେ ସଙ୍ଗେ ସଙ୍ଗେ ସେହି ଅଧିକୃତ ବିକ୍ରେତାଙ୍କ ଦୋକାନ ସିଲ୍ କରାଯାଇ ଆଇନଗତ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଆଗାମୀ ଖରିଫ ଋତୁରେ ସମ୍ପୂର୍ଣ୍ଣ ଭାବେ ଅଣସ୍ୱୀକୃତିପ୍ରାପ୍ତ କୌଣସି ସାର, ବିହନ କିମ୍ବା ଅଣୁ ସାରକୁ ଜିଲ୍ଲାରେ ବିକ୍ରି କରାଯିବ ନାହିଁ । ଯଦି କୌଣସି ବିକ୍ରେତା ବିନା ସ୍ୱୀକୃତି ପ୍ରାପ୍ତ କୌଣସି ସାର, ବିହନ, ଅଣୁସାର ବିକ୍ରି କରେ, ତାହେଲେ ସେହି ଦୋକାନକୁ ସିଲ କରାଯାଇ ସମ୍ପୂର୍ଣ୍ଣ ଜିନିଷକୁ ବାର୍ଯ୍ୟାପ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ କହିଛନ୍ତି । କୃଷି ଜିଲ୍ଲା ଅଧିକାରୀ ବିଶ୍ୱଜିତ ସାହୁ ଚାଷୀଙ୍କୁ ନାନୋ ୟୁରିଆ, ନାନୋ ଡିଏପିର ଉପକାରିତା ବିଷୟରେ କହି ପ୍ରୟୋଗ କରିବା ପାଇଁ ଅନୁରୋଧ କରିବା ସହ ଚାଷୀଙ୍କୁ କିଭଳି ଭାବି ଜୈବିକ ସାରର  ଉପକାରିତା ବିଷୟରେ ଅବଗତ କରାଯିବ ସେଥିପାଇଁ ସାର ବିକ୍ରେତାଙ୍କୁ ଚେଷ୍ଟା କରିବାକୁ କହିଥିଲେ । ମା ପେଣ୍ଡ୍ରାଣୀ ଏଗ୍ରୋ ଇନପୁଟ ଆଶୋସିଏସନ ତରଫରୁ ୟୁରିଆ, ଡିଏପି ସାରର ଅଭାବ, ଅତ୍ୟଧିକ ମୂଲ୍ୟ ଏବଂ କିଛି ଅସାଧୁ ବଡ଼ ବ୍ୟବସାୟୀଙ୍କ ମନୋମୁଖୀ ସାର ବଣ୍ଟନ ନୀତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଯଦି ରୋକିବାରେ ପ୍ରଶାସନ ସଫଳ ନ ହେଲେ ଆଗାମୀ ଦିନରେ ଅନେକ ଅଭାବ ଏବଂ ଜନ ଅସନ୍ତୋଷ ସୃଷ୍ଟି ହେବ ବୋଲି ଅଭିଯୋଗ କରାଯାଇଥିଲା । ଆଗାମୀ ୧ ମାସ ମଧ୍ୟରେ ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ଏବଂ ରାଇଘରକୁ ଉପଯୁକ୍ତ ମାତ୍ରାରେ ଡିଏପି ଓ ୟୁରିଆ ମାରଫେଡ଼ ସଂସ୍ଥା ମାଧ୍ୟମରେ ସ୍ୱୀକୃତି ପ୍ରାପ୍ତ ବିକ୍ରେତାଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି ।