ପୋଲ କଡ଼ୁ ଗଳିପଡ଼ିଲାଣି ପ୍ୟାକିଂ; ବିପଦପୂର୍ଣ୍ଣ ଆମ୍ବୁଲୁପୁରା ରାସ୍ତା
ରଗଡି: ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟିବା ନିଶ୍ଚିନ୍ତ । ଆଉ ପଦଯାତ୍ରୀ ତଳକୁ ଦେଖି ଆଗକୁ ନବଢିଲେ ଗାଢରେ ପଡ଼ି ଖଣ୍ଡିଆ ଖାବରା ହେବାଟା ଥୟ । ଗ୍ରାମାଞ୍ଚଳ ରାସ୍ତା ଉନ୍ନତି ପାଇଁ ଯେତେ ବେଳେ ବିଭିନ୍ନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି, ସେତେ ବେଳେ ୨୦ନଂ ଜାତୀୟ ରାଜପଥ ଅନ୍ଧାରୀ ସ୍କୁଲ ନିକଟରୁ କୋରେଇ ବ୍ଲକ ଆମ୍ବୁଲୁପୁରା ଗାଁକୁ ପଡ଼ିଥିବା ରାସ୍ତାକୁ ଦେଖିଲେ କେହିବି କହିବେନି ଯେ ଆଗକୁ ଗୋଟିଏ ଗାଁ ରହିଛି । ଆଉ ଉକ୍ତ ରାସ୍ତା ଦେଇ ଗାଡ଼ିମୋଟର ଯାଉଛି, ଲୋକେ ଚଳ ପ୍ରଚଳ କରିଥାନ୍ତି । ଗ୍ରାମ୍ୟ ରାସ୍ତା କେତେ ବିପର୍ଯ୍ୟସ୍ତ ତାହା ଫଟୋ ହିଁ ଦର୍ଶାଉଛି । କୋରେଇ ବ୍ଲକ ଅନ୍ଧାରି ପଚାୟତ ଆମ୍ବୁଲୁପୁରା ଗାଁ । ସଂପୃକ୍ତ ଗାଁରେ ୫ଶହ ଲୋକ ବସବାସ କରୁଛନ୍ତି । ଗାଁରୁ ବାହାରିବାକୁ ଗୋଟିଏ ମାତ୍ର ରାସ୍ତା ଅନ୍ଧାରୀ ସ୍କୁଲ ଯାଏ ପଡ଼ିଛି । ୨୦ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଗୋଟେ ପଟେ ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ରାସ୍ତାରେ ନିର୍ମିତ ପୋଲ କଡ଼ୁ ପ୍ୟାକିଂ ଗଳି ପଡ଼ି ବିରାଟବଡ଼ ଗାଡ଼ ସୃଷ୍ଟି ହୋଇଛି । ଗାଡ଼ଟି ଗୋଟିଏ ମୁଣ୍ଡରୁ ଆରମୁଣ୍ଡକୁ ଲମ୍ବିଥିବା ବେଳେ କେବଳ ଯାହା ସାଇକଲ କି ମୋଟର ସାଇକଲ ବା ଚାଲିକରି ଯିବା ସମ୍ଭବ ହେଉଛି । ଆମ୍ବୁଲୁପୁରର ମୁଖ୍ୟ ରାସ୍ତା ନିକଟରେ ଥିବା ଉକ୍ତ ପୋଲଟି ଲଗାଣ ବର୍ଷରେ ଧୋଇଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିପଦପୂର୍ଣ୍ଣ ଭାବେ କେବଳ ମୋଟର ସାଇକେଲ ଓ ସାଇକେଲ ଯାଉଥିବା ବେଳେ ଓଟୋ ରିକ୍ସା, କାର କି ଅନ୍ୟ ଗାଡି ଯାତାୟାତ ବନ୍ଦ ରହିଛି । ଗ୍ରାମର ଏହା ମୁଖ୍ୟରାସ୍ତା ହୋଇଥିବା ବେଳେ ଭଙ୍ଗାପୋଲ ଲୋକଙ୍କର ଯାତାୟାତରେ ସମସ୍ୟାରେ ସମୁଖୀନ ହୋଉଛନ୍ତି । ଜରୁରୀକାମ ବା ମେଡିକାଲ କାମରେ ଚାରିଚକିଆ ଯାନ ଗ୍ରାମକୁ ଆସିପାରିବନି କି ଯାଇପାରିବନି । ଯାହା ଗ୍ରାମ ବାସୀଙ୍କର ଚିନ୍ତା ବଢାଇ ଦେଇଛି । ଭାଙ୍ଗା ପୋଲଟି ମରାମତି କରି ଚଳ ପ୍ରଚଳ ଉପଯୋଗୀ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।