ଗୋଟିଏ ଖଣି ପାଇଁ ୯୮ କୋଟି ଦଣ୍ଡ

ଖୋର୍ଦ୍ଧା: ମାତ୍ରାଧିକ ଖଣି ଖନନ ଖୋର୍ଦ୍ଧାର ଜଣେ ଖଣି ମାଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କୋଟିଏ କି ୨ କୋଟି ନୁହେଁ, ପରିବେଶ କ୍ଷତି ଓ ଅନ୍ୟାନ୍ୟ କ୍ଷତିପୂରଣ ବାବଦରେ ୯୮ କୋଟି ୩୧ ଲକ୍ଷ ୪୯ ହଜାର ୧୩୫ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ୧୦ ଏକରର ଏକ ଛୋଟିଆ ଖଣି ପାଇଁ ୯୮ କୋଟି ଟଙ୍କାର ଆର୍ଥିକ ଦଣ୍ଡ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଖଣି ଖନନ କରୁଥିବା ମାଲିକଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି। 
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ଡମଣଭୂଇଁରେ ୧୦ ଏକର ପରିମିତ ଅଞ୍ଚଳରେ ଏକ ମାଙ୍କଡ଼ା ପଥର ଖଣି ଥିଲା। ଏହାକୁ ୨୦୨୨ରେ ସ୍ଥାନୀୟ ଅଞ୍ଚଳର ପ୍ରହଲ୍ଲାଦ ବିଶ୍ବାଳ ଲିଜ୍‌ ସୂତ୍ରରେ ନେଇଥିଲେ। ଚୁକ୍ତି ସମୟରେ ବର୍ଷକୁ ମାତ୍ର ୧୫ଶହ କ୍ୟୁବିକ୍‌ ମିଟର ଖୋଳିବାକୁ ଅନୁମତି ଦିଆଯାଇଥିଲା। ପାଞ୍ଚ ବର୍ଷରେ ସର୍ବାଧିକ ୭୫୦୦ କ୍ୟୁବିକ୍‌ ମିଟର ପଥର ଖୋଳିବା କଥା। କିନ୍ତୁ ଅନୁମତିଠାରୁ ବହୁ ଅଧିକ ଖଣି ଖନନ ହୋଇଛି ବୋଲି ମୁଣ୍ଡାଆମ୍ବ ଅଞ୍ଚଳର ଅଜୟ ବେହେରା ନାମକ ବ୍ୟକ୍ତି ଅଭିଯୋଗ ଆଣିବା ପରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ରେ ମାମଲା ରୁଜୁ ହୋଇଥିଲା। 
ଅତ୍ୟଧିକ ଖଣି ଖନନ ଯୋଗୁ ମୋଟ୍ ୯୬ କୋଟି ୨୮ ଲକ୍ଷ ୫୦ ହଜାର ୧୭୫ଟଙ୍କା ଟଙ୍କାର ପରିବେଶ କ୍ଷୟକ୍ଷତି ହୋଇଛି ବୋଲି ସର୍ଭେ ପରେ ଜିଲ୍ଲା ପ୍ରଶାସନ ଏନ୍‌ଜିଟିରେ ଗତବର୍ଷ ରିପୋର୍ଟ ଦାଖଲ କରିଥିଲା। ଅନ୍ୟାନ୍ୟ କ୍ଷତିପୂରଣକୁ ଯୋଡ଼ି ମୋଟ୍ ୯୮ କୋଟି ୩୧ ଲକ୍ଷ ୪୯ ହଜାର ୧୩୫ ଟଙ୍କାର କ୍ଷୟକ୍ଷତି ଆକଳନ ରିପୋର୍ଟ ଏନ୍‌ଜିଟିଙ୍କୁ ଦିଆଯାଇଥିଲା। ଇତିମଧ୍ୟରେ ଜାତୀୟ ସବୁଜ ପ୍ରାଧିକରଣ ଏହି ରିପୋର୍ଟକୁ ଗ୍ରହଣ କରି କ୍ଷତିପୂରଣ ଟଙ୍କା ଆଦାୟ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ମାମଲାର ପରିଚାଳନା କରୁଥିଲେ।