ପଦ୍ମ ଧରିବାକୁ ବିଜେଡ଼ି ନେତାଙ୍କ ଧାଡ଼ି

Manmohan Samal

ପଦ୍ମ ଧରିବାକୁ ବିଜେଡ଼ି ନେତାଙ୍କ ଧାଡ଼ି

ଭୁବନେଶ୍ୱର : ବିଜେପିରେ ଯୋଗଦେବା ପାଇଁ ବିଜେଡ଼ି ନେତାମାନେ ଲମ୍ବା ଲାଇନ୍‌ ଲଗାଇଛନ୍ତି  । ଜିଲ୍ଲାସ୍ତରୀୟ ନେତାଙ୍କ ସହ ଆଲୋଚନା ଚାଲିଛି  । ସମସ୍ତଙ୍କ ସହ ବିଚାରବିମର୍ଷ କରିବା ପରେ କାହାକୁ ଦଳକୁ ନିଆଯିବ, କାହାକୁ ନିଆଯିବ ନାହିଁ ସେନେଇ ନିଷ୍ପତ୍ତି ନିଆଯିବ  । ଆଜି ମିଶ୍ରଣ ପର୍ବ ଅବସରରେ ଏଭଳି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ।

ଅପରପକ୍ଷରେ ଆଜି ବିଜେପିରେ ପୂର୍ବତନ ବିଜେଡ଼ି ବିଧାୟିକା ସୁନନ୍ଦା ଦାସଙ୍କ ସମେତ ଅନେକ ଅଞ୍ଚଳର ନେତାମାନେ ଯୋଗଦେଇଥିଲେ  । ଏହି ଅବସରରେ ମନମୋହନ କହିଥିଲେଯେ, ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ବଦ୍ଧପରିକର  । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି  । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି  । ବିଜେଡି ନେତାମାନେ ନିଜ ନେତୃତ୍ୱ ପ୍ରତି ଆସ୍ଥା ହରାଇ ବିଜେପିରେ ଯୋଗଦାନ କରୁଛନ୍ତି ବୋଲି ସେ କହିଛନ୍ତି  ।

ଏହି ଅବସରରେ ଆଜି ବରୀର ପୂର୍ବତନ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ବିଜେପିରେ ଯୋଗଦାନ କରିଛନ୍ତି  । ତାଙ୍କ ସହ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର ଦାସ, ବିଜେଡି ନେତା ତଥା ଅର୍ବାନ୍‌ କୋପରେଟିଭ ବ୍ୟାଙ୍କ ସଭାପତି ପ୍ରଫୁଲ କୁମାର ମହାପାତ୍ର, ବିଜେଡି ରାଜ୍ୟ ସମ୍ପାଦକ ବିଜୟ ବେହେରା, ବାସୁଦେବପୁରର ଯୁବ ବିଜେଡି ସଭାପତି ଅସିତ୍‌ କୁମାର ଦାଶ, ପୂର୍ବତନ ରାଜ୍ୟ ମହିଳା ସମ୍ପାଦିକା ରଶ୍ମିତା ନାୟକଙ୍କ ସମେତ ଅନେକ ସରପଞ୍ଚ ଓ ସମିତିସଭ୍ୟମାନେ ବିଜେପିରେ ଯୋଗଦେଇଛନ୍ତି  । ରାଜ୍ୟ ସଭାପତି ସମସ୍ତଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ସଦସ୍ୟତା ଗ୍ରହଣ କରାଇଥିଲେ  । ଏହି ଅବସରରେ ବରିଷ୍ଠ ନେତ୍ରୀ ସଞ୍ଚିତା ମହାନ୍ତି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ ରବି ନାରାୟଣ ବେହେରା, ବିଧାୟକ ଆକାଶ ଦାସ ନାୟକ, ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ମନୋଜ ମହାପାତ୍ର, ପବିତ୍ର ଦାଶ, ଜିଲ୍ଲା ସଭାପତି ଗୌତମ ରାୟ, ଲଲାଟେନ୍ଦୁ ବଡୁ, ତାପସ ମାର୍ଥା, ବରିଷ୍ଠ ନେତ୍ରୀ ବବିତା ମଲ୍ଲିକ, ପ୍ରତ୍ୟୁଷା ରାଜେଶ୍ୱରୀ, ସତ୍ୟ ସାରଥୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।