ଦୟଣା ଗଛ ଲାଗିହେବା ସହ ଦୟଣା ଚୋରି ନୀତି ସଂପନ
ପୁରୀ : ଗୁରୁବାର ଦିନ ମହାପ୍ରଭୁଙ୍କର ଦୟଣାଚୋରୀ ନୀତି ସଂପନ୍ନ ହୋଇଛି । ଦୟଣା ମହାପ୍ରଭୁଙ୍କର ଅତିପ୍ରିୟ । ଦୟଣା ଚୋରି ନୀତିରେ ମହାପ୍ରଭୁଙ୍କୁ ଲାଗି କରାଯାଏ ଦୟଣା । ନୀତିର ଅବ୍ୟବହିତ ପୂର୍ବରୁ ଶ୍ରୀକ୍ଷେତ୍ରରେ ପହଁଞ୍ଚିଛି ୨୦୦ ଦୟଣା ଗଛ । ସୁଦୂର କୋରାପୁଟରୁ ଏହି ଦୟଣା ଗଛ ଗୁଡ଼ିକୁ ଶ୍ରୀକ୍ଷେତ୍ରକୁ ଅଣାଯାଇଛି । ଶ୍ରୀକ୍ଷେତ୍ର ଦୟଣା ସେବା ମଣ୍ଡଳୀର ତତ୍ତ୍ୱାବଧାନରେ ଶ୍ରୀକ୍ଷେତ୍ରରେ ଦୟଣାଗଛ ପହଞ୍ଚିଥିଲା । ସାବର ଶ୍ରୀକ୍ଷେତ୍ର କୋରାପୁଟରେ ଥିବା ଶ୍ରୀମନ୍ଦିରର ୨ଏକର ଜମିରେ ଦୟଣା ଚାଷ କରାଯାଉଛି । ମହାପ୍ରଭୁଙ୍କ ଦୟଣାଚୋରି ନୀତି ପାଇଁ ଦୟଣାଗଛ ଚଳିତ ବର୍ଷ କୋରାପୁଟ୍ରୁ ଶ୍ରୀକ୍ଷେତ୍ରକୁ ଅଣାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।
ସେହିପରି ଦୟଣା ଚୋରୀ ନୀତି ପରମ୍ପରା ଯାହାକି ମନମୁଗ୍ଧକର । ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣାଚୋରୀ ନିତି ସଂପନ୍ନ ହୋଇଯାଇଛି । ମଧ୍ୟାହ୍ନ ଧୂପ ଓ ଦକ୍ଷିଣୀଘର ଭୋଗ ଶେଷ ହେବା ପରେ ଶ୍ରୀରାମକୃଷ୍ଣଙ୍କୁ ଭିତର ସିଂହାସନରେ ବିଜେ କରାଯାଇଥିଲା ଓ ସେଠାରୁ ଆଜ୍ଞାମାଳ ପାଇ ରାମକୃଷ୍ଣ ବିଗ୍ରହ କୁର୍ମ ବେଢାରେ ରଖାଯାଇଥିବା ପାଲିଙ୍କିରେ ବିଜେ କରିଥିଲେ । ଘଣ୍ଟା, ଛତା, କାହାଳୀ ସହିତ ପାଲିଙ୍କିକୁ ପଟୁଆରରେ ଜଗନ୍ନାଥ ବଲ୍ଲଭ ମଠକୁ ନିଆଯାଇଥିଲା । ସେଠାରେ ପକାଯାଇଥିବା ଖଟ ଉପରେ ରାମକୃଷ୍ଣ ଓ କନ୍ଦର୍ପ ପଟି ବିଜେ କରିଥିଲେ । ହୋମ, ଭୋଗ ଓ ପ୍ରସାଦ ଲାଗି ପରେ ଦୟଣା ଗଛ ଅଣାଯାଇ ଜଗନ୍ନାଥ ବଲ୍ଲଭ ମହାବୀରଙ୍କ ନିକଟରେ ଥିବା ଦୟଣା ବଗିଚାରେ ରୋପଣ କରାଯାଇଥିଲା । ଶ୍ରୀରାମ ଓ କୃଷ୍ଣଙ୍କ ଶ୍ରୀହସ୍ତରେ ୨ଟି ଲେଖାଏଁ ଦୟଣାଗଛ ଲାଗି କରାଯାଇଥିବା ବେଳେ ୪ଟି ଦୟଣା ଗଛରେ ଖଣ୍ଡୁଆ ପଟି ଘୋଡ଼ାଇ ଦିଆଯାଇ ପାଲିଙ୍କିରେ ରାମକୃଷ୍ଣଙ୍କ ପାଖରେ ରଖାଯାଇଥିଲା । ଭୋଗମଣ୍ଡପ ଘର ପାଖରୁ ଚାନ୍ଦୁଆ ବନ୍ଧାଯାଇ ବାଲିବନ୍ଧ କରାଯାଇ ଦୟଣା ଓ ମରୁଆ ଗଛମାନ ପୋତାଯାଇଥିଲା । ଗରୁଡ଼ ଦ୍ୱାର ଠାରେ ରାମକୃଷ୍ଣ ବିଜେ କରିବା ପରେ ଶ୍ରୀହସ୍ତରୁ ଦୟଣା ଗଛମାନ ମଇଲମ କରାଯାଇଥିଲା । ବଡ଼ସିଂହାର ଭୋଗ ପରେ ଲକ୍ଷ୍ମୀ ଓ ସରସ୍ୱତୀ ଆଜ୍ଞାମାଳ ପାଇ ଭୋଗମଣ୍ଡପ ଘରେ ବିଜେକରିଥିଲେ । ଭୋଗମଣ୍ଡପ ଘରର ଦ୍ୱାର ଗୁଡ଼ିକୁ ବନ୍ଦ କରାଯାଇ ଘଣ୍ଟା, ଛତା, କାହାଳୀ ସହ ପଟୁଆରରେ ବଡ଼ସିଂହାର ଭୋଗ କରାଯାଇ ଦୟଣାଚୋରି ନୀତି ସଂପନ୍ନ କରାଯାଇଥିଲା ।