ପାଣ୍ଡିଆନଙ୍କ ପାଇଁ ନବୀନ ଢାଲ

VK pandian Naveen Pattanaik

ପାଣ୍ଡିଆନଙ୍କ ପାଇଁ ନବୀନ ଢାଲ

ଭୁବନେଶ୍ୱର : ଦଳକୁ ନେଇ ଯିଏ ଯାହା କହୁଛି କୁହ  । ଚଳିବ, ପରବାୟ ନାହିଁ  । ହେଲେ ପାଣ୍ଡିଆନଙ୍କ ବିରୋଧରେ ପଦିଏ ବି କୁହନାହିଁ  । ପାଣ୍ଡିଆନଙ୍କ ବିରୋଧରେ କହିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବରଦାସ୍ତ କରିପାରୁନାହାନ୍ତି  । ଅତୀତରେ ସେ ପାଣ୍ଡିଆନଙ୍କ ପାଇଁ ବାହାରିଥିବାବେଳେ ଏବେ ମଧ୍ୟ ସମାନ ଢଙ୍ଗରେ ପାଣ୍ଡିଆନଙ୍କ ପାଇଁ ବ୍ୟାଟିଂ ଆରମ୍ଭ କରିଦେଇଛନ୍ତି  ।

ନିକଟରେ ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର, ପାଣ୍ଡିଆନଙ୍କୁ ନେଇ କଡ଼ା ଟିପ୍ପଣୀ ଦେଇଥିଲେ  । ସିଧା ସିଧା କହିଥିଲେ, କଣ୍ଟାବାଞ୍ଜିରେ ନବୀନଙ୍କୁ ଠିଆ କରିବା ପଛରେ ଷଡ଼ଯନ୍ତ୍ର ଥିଲା  । ସେଠାରେ ନବୀନ ବାବୁ ହାରିବା ନିଶ୍ଚିତ ବୋଲି ପାଣ୍ଡିଆନ୍‌ ଜାଣିଥିଲେ  । ନବୀନ ହାରିଲେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚକ୍ରାନ୍ତ କରାଯାଇଥିଲା  । ଅବଶ୍ୟ ଦେବେନ୍ଦ୍ର କେବଳ ଚା’ କପରେ ଝଡ଼ ସୃଷ୍ଟି କରିବାକୁ ଏମିତି ବୟାନବାଜି କରିଥିଲେ  । ତାଙ୍କ କଥାକୁ କେହିବି ଗୁରୁତ୍ୱ ଦେଉନଥିଲେ  । ହେଲେ କଥାଟି ପାଣ୍ଡିଆନ୍‌ଙ୍କ ବିରୋଧରେ ହୋଇଥିବାରୁ ନବୀନ ତାହାକୁ ସହିପାରିନାହାନ୍ତି  । 

ଅତୀତରେ ସାମାଜିକ ଗଣମାଧ୍ୟମରେ ବିଜେଡ଼ି ଓ ନବୀନଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଛି  । ରାଜନେତା ଚର୍ଚ୍ଚାରେ ରହିବା ନୂଆ କଥା ନୁହେଁ  । କିନ୍ତୁ ପାଣ୍ଡିଆନଙ୍କ ପାଇଁ ନବୀନ ଏହି ପ୍ରସଙ୍ଗରେ ବି ମଇଦାନକୁ ଡେଇଁପଡ଼ିଲେ  । ନବୀନ କହିଛନ୍ତିଯେ,  କିଛି ହୀନ ଏବଂ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଗତ ନିର୍ବାଚନ ସମୟରେ ମିଛ କାହାଣୀ ଶୁଣାଇଲେ  । ଏଭଳି ବିଭ୍ରାନ୍ତ ସୃଷ୍ଟିକାରୀଙ୍କ ବିଷୟରେ ଓଡ଼ିଶାବାସୀ ସବୁ ଜାଣିଛନ୍ତି  । ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ନବୀନ କହିଛନ୍ତି  । ଗୋଟିଏ ପଟେ ସୋସିଆଲ ମିଡ଼ିଆ ଚର୍ଚ୍ଚାକୁ ନେଇ ନବୀନ ଏଭଳି ମନ୍ତବ୍ୟ ଦେଉଥିବାବେଳେ ତାଙ୍କ ଦଳର ସୋସିଆଲ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ମଧ୍ୟ ଅନେକ ମିଛ ଭାଇରାଲ୍‌ କରାଯାଉଛି । ଏକ୍ଷେତ୍ରରେ ବିଜେଡ଼ିକୁ ବି ପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ନବୀନ କହିବେ କି ?

ତେବେ ସେ ଯାହାହେଉନା କାହିଁକି ନବୀନଙ୍କ ପାଣ୍ଡିଆନ ପ୍ରୀତି ବିଜେଡ଼ି ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  । ଏବେ ମଧ୍ୟ ପ୍ରଚ୍ଛଦପଟରେ ରହି ପାଣ୍ଡିଆନ୍‌ ଗୋଟିଚାଳନା କରୁଥିବାରୁ ବିଜେଡ଼ିରେ ବି ଆଲୋଡ଼ନ ସୃଷ୍ଟିହୋଇଛି  । ଯେଉଁ ଅସ୍ମିତା ପ୍ରସଙ୍ଗକୁ ନେଇ ବିଜେପି ନିର୍ବାଚନୀ ବୈତରଣୀ ପାର୍‌ ହୋଇଛି ସେହି ପ୍ରସଙ୍ଗକୁ ନବୀନ ଆହୁରି ମଜବୁତ୍‌ କରିଦେଇଛନ୍ତି  । ଆଗାମୀ ଦିନରେ ଦଳ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ଦେଖିବାକୁ ବାକି ରହିଲା  ।