ଶରଧାବାଲି ଦଳାଚକଟା ଘଟଣାରେ ଉନ୍ନୟନ କମିଶନର ଆଜି ରିପୋର୍ଟ ଦେଇପାରନ୍ତି
ଶରଧାବାଲି ଦଳାଚକଟା ଘଟଣାରେ ଆଜି ରିପୋର୍ଟ ଦେଇପାରନ୍ତି ଉନ୍ନୟନ କମିଶନର । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ । ଜୁଲାଇ ୩୦ ସୁଦ୍ଧା ସମସ୍ତ ଶୁଣାଣି ଶେଷ ହୋଇଛି । ସବୁ ରିପୋର୍ଟକୁ ଏକାଠି କରି ପ୍ରଦାନ କରିବେ ଉନ୍ନୟନ କମିଶନର । କମିଟି ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି ଉନ୍ନୟନ କମିଶନର । ଶରଧାବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏହାର ଡେଡଲାଇନ ଶେଷ ହୋଇଛି । ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳଚକଟା ଘଟଣା ରାଜ୍ୟ ସରକାରଙ୍କୁ ବ୍ୟଥିତ କରିଥିଲା । ସମସ୍ତ ପ୍ରକାର ପ୍ରସ୍ତୁତି ସତ୍ତ୍ବେ ଏତେ ବଡ଼ ଅଘଟଣ ଘଟିଥିବାରୁ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଅକ୍ଷମଣୀୟ କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ସହ ବଡ଼ ବୈଠକ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଶରଧାବାଲି ଅଘଟଣ ପରେ ତତକ୍ଷଣାତ ବଦଳିଗଲେ ପୁରୀ ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁଙ୍କ ସ୍ଥାନରେ ଚଞ୍ଚଲ ରାଣା ନୂଆ ଜିଲ୍ଲାପାଳ ହୋଇଥିବାବେଳେ ବିନୀତ ଅଗ୍ରଓ୍ୱାଲଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଏସପି ଦାୟିତ୍ୱ ଦିଆଗଲା । ଘୋଷଣାର କିଛି ସମୟ ମଧ୍ୟରେ ଉଭୟ ନୂଆ ଜିଲ୍ଲାପାଳ ଓ ଏସପି ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।
ରାଜ୍ୟ ସରକାର ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ ହୋଇଥିଲେ । ପୂରା ଘଟଣାର ପ୍ରାଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯାଇଥିଲା । ଆରମ୍ଭରୁ ରଥ ପରିଚାଳନାରେ ବିଭ୍ରାଟ ଦେଖାଦେଇଥିବାରୁ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ୱ ଦେଇଥିଲେ ସରକାର । ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ସହ ରଥଯାତ୍ରା ପରିଚାଳନା ଦାୟିତ୍ୱ ତୁଲାଇଥିଲେ ଅରବିନ୍ଦ ଅଗ୍ରଓ୍ୱାଲ ।