ଅପରାଧିଙ୍କୁ ମୋହନଙ୍କ କଡ଼ା ଚେତାବନୀ ସୁଧୁରିଯାଅ, ନହେଲେ...

Mohan Charan Majhi

ଅପରାଧିଙ୍କୁ ମୋହନଙ୍କ କଡ଼ା ଚେତାବନୀ ସୁଧୁରିଯାଅ, ନହେଲେ...

ଭୁବନେଶ୍ୱର : ଅପରାଧିମାନଙ୍କ ଅପରାଧ ଲାଇସେନ୍ସ ଏକ୍ସପାୟରୀ ହୋଇଯାଇଛି  । ଏହା ଆଉ ନବୀକରଣ ହେବ ନାହିଁ  । ଏବେଠାରୁ ସୁଧୁରିଯାଅ, ନହେଲେ ସୁଧାରିବାକୁ ଆମେ ପଦକ୍ଷେପ ନେବୁ  । ବିଧାନସଭାରୁ ଅପରାଧିଙ୍କୁ ଏଭଳି ଭାବେ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ଖାଲି ସେତିକିନୁହେଁ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ ଅନେକ ନୂଆ ଘୋଷଣା ବି କରିଛନ୍ତି  । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ କହୁଥିବାବେଳେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ଗୃହରୁ କକ୍ଷତ୍ୟାଗ କରିଥିଲେ  ।  

ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ୍‌ ହେବ  । ଏଥିପାଇଁ ୧୦୮୩ ଜଣଙ୍କୁ ନିଯୁକ୍ତି ଦିଆଯିବ  । ଓଆଇଏସଏଫରେ ଆଉ ୪ ହଜାର ଓ ଟ୍ରାଫିକ୍‌ରେ ଆଉ ୧ ହଜାର ପଦବୀ ସୃଷ୍ଟି କରାଯିବ  । ଥାନାଗୁଡ଼ିକୁ ୯ ହଜାର ମୋଟର ସାଇକେଲ ଓ ହାଇସ୍ପିଡ଼ ଯାନ ମଧ୍ୟ ଯୋଗାଇ ଦିଆଯିବ । ରାଜ୍ୟରେ ୨୨୯୮ ହୋମଗାଡର଼୍ ପଦବୀ ପୂରଣ କରାଯିବ  । ଏହାଛଡ଼ା ପୁଲିସ ବିଭାଗରେ ଖାଲି ପଡ଼ିଥିବା ୨୯୨୨ ପଦବୀ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଥିଲେ  ।

ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ୧ ଘଂଟା ୪୧ ମିନିଟ୍‌ ଧରି ନିଜର ବକ୍ତବ୍ୟ ରଖିଥିଲେ  । ଆରମ୍ଭରୁ ସେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିଲେ  । ସେ କହିଥିଲେଯେ, ବିରୋଧୀ ଦଳ ନେତା ଯେଉଁ ପ୍ରଶ୍ନ କରିଥିଲେ, ତାହାର ଉତର ତାଙ୍କ ପାଖରେ ରହିଛି  । ହେଲେ ଉତର ନଶୁଣିବା ପୂର୍ବରୁ ସେ ଗୃହରେ ରହିଲେ ନାହିଁ  । ବୋଧହୁଏ ବିଧାନସଭା ଅପେକ୍ଷା ତାଙ୍କର ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି  । 

ପୂର୍ବ ସରକାର ଅମଳରେ ଅପରାଧିଙ୍କର ଡର ଭୟ ନଥିଲା  । କିନ୍ତୁ ଏବେ ଅପରାଧିମାନଙ୍କୁ ଛଡ଼ାଯିବ ନାହିଁ  । ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ  । ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି  । ଏଥିରେ ଅବହେଳା କରୁଥିବା ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି  । ୮୧ ଦିନର ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି  । ବରମୁଣ୍ଡା ବସ ଟର୍ମିନାଲ ଠାରେ ଏକ ଫାଣ୍ଡି ପ୍ରତିଷ୍ଠା ହେବ  । ସେହିପରି ରାଜ୍ୟର ସମସ୍ତ ମେଡ଼ିକାଲ କଲେଜରେ ବି ଫାଣ୍ଡି କରାଯିବ  । ଓଡ୍ରାଫରେ ଆଉ ୧୦ ୟୁନିଟ ଯୋଡ଼ାଯିବ  । ବିପର୍ଯ୍ୟୟ ବେଳେ ମଣିଷଙ୍କୁ ଜୀବନ୍ତ ଉଦ୍ଧାର ପାଇଁ ୧୦ କୁକୁରକୁ ପ୍ରଶିକ୍ଷଣ ଦିଆଯାଉଛି  । ଭୁବନେଶ୍ୱର, କଟକ, ପୁରୀ, ଅନୁଗୁଳ, ବ୍ରହ୍ମପୁର, କୋରାପୁଟ, ସମ୍ବଲପୁର, ରାଉରକେଲା ଓ ବାଲେଶ୍ୱରରେ ଏହି ସର୍ଚ୍ଚ ଡଗମାନଙ୍କୁ ରଖାଯିବ  । 

ପୂର୍ବରୁ ହୋମଗାଡର଼୍ ନିଯୁକ୍ତି ନେଇ କଟକଣା ରଖାଯାଇଥିଲା  । କିନ୍ତୁ ଏବେ ୨୨୯୮ ହୋମଗାଡର଼୍ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି  । ନକ୍ସଲ ବା ସେହିଭଳି ଆକ୍ରମଣରେ ନିହତ ହୋମଗାଡର଼୍ଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରୀ ମିଳିବ  । ଓଡ଼ିଶା ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି ପାଇଁ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ  । କଟକ, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ରାୟଗଡ଼ାରେ ଅଗ୍ନିଶମ ବିଭାଗର ଆଂଚଳିକ ହବ୍‌ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । 

ସେହିପରି ସାଧାରଣ ଅଭିଯୋଗ ଶୁଣାଣୀ ନେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସାଧାରଣ ଅଭିଯୋଗ ଶୁଣାଣୀର ଏକ ବିକୃତ ବ୍ୟବସ୍ଥା ସୃଷ୍ଟି କରିଥିଲେ  । ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ନଯାଇ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ପଠାଇବା ଭଳି ବିକୃତ ବ୍ୟବସ୍ଥା ଥିଲା  । ସେ ନିଜେ ଲୋକଙ୍କ ଅଭିଯୋଗ ଶୁଣୁନଥିଲେ  । କିନ୍ତୁ ଆମ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣି ଚଳଚଂଚଳ କରିଛନ୍ତି  । ପ୍ରତିଦିନ ସେ ରାତି ସାଢେ଼ ୧୨ଟା ଯାଏଁ କାମ କରୁଛନ୍ତି  । ବର୍ତମାନ ସୁଦ୍ଧା ୫୬ ଶହ ଅଭିଯୋଗ ଶୁଣି ୨୩% ସମାଧାନ କରିଛନ୍ତି  । ଆଗାମୀ ଦିନରେ ରାଜ୍ୟ ସରକାର ୧ ଲକ୍ଷ ୩୨ ହଜାର ୩୬୫ ସରକାରୀ ପଦବୀ ପୂରଣ କରାଯିବ  । ପୂର୍ବ ସରକାର ସମୟରେ ଭିଜିଲାନ୍ସ କେରାଣ୍ଡି ଧରୁଥିଲେ  । ହେଲେ ଆମ ସରକାର ସମୟରେ ବାଳିଆ, ରୋହି ଓ ଭାକୁର ଧରା ହେଉଛନ୍ତି  । ପୂର୍ବତନ ମୁଖ୍ୟମନ୍ତ୍ରୀ ମଦମୃତ୍ୟୁ କଥା ଉଠାଉଛନ୍ତି ହେଲେ ତାଙ୍କ ସରକାର ସମୟରେ ହିଁ ମଦକୁ ପ୍ରୋତ୍ସାହନ ଦିଆଯାଉଥିଲା  । ବାଲେଶ୍ୱର ସାମ୍ପ୍ରଦାୟିକ ହିଂସାକୁ ଆମେ ସଫଳତାର ସହ ସମାଧାନ କରିଛୁ  । ଖୋର୍ଦ୍ଧା ଘଟଣାକୁ ସାମ୍ପ୍ରଦାୟିକ କହିବା ବଡ଼ ନିନ୍ଦନୀୟ କଥା  । ଦୁଇ ପରିବାର କଳି ସାମ୍ପ୍ରଦାୟିକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।