୨୬ରେ ରାଜ୍ୟସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି ଜିଲାକୁ ଆସନ୍ତା ୨୬ ତାରିଖ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି। ଏହାକୁ ନେଇ ଶୁକ୍ରବାର ଭବାନୀପାଟଣା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଛି। ଏଥିରେ ଜିଲା ସଭାପତି ଯୁଗଳ କିଶୋର ପୋଢ଼ ଅଧ୍ୟକ୍ଷତା କରିଥିଲେ। ଜିଲା ସଭାପତି ପୋଢ଼ଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୬ ତାରିଖ ପୂର୍ବାହ୍ନ ୧୦ ଟାରେ ରାଜ୍ୟ ସଭାପତି ସାମଲ କଳାହାଣ୍ଡିର ପ୍ରବେଶ ପଥ ଅମାଠ ଛକ ଠାରେ ପହଞ୍ଚିବେ। ଏହି ସମୟରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ଏକ ବିଶାଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ଭବାନୀପାଟଣ ସର୍କିଟ ହାଉସ ପ୍ରର୍ଯ୍ୟନ୍ତ ପାଛୋଟି ଆଣିବେ। ସେଠାରୁ ଟାଉନ ହଲଠାରେ ଜିଲା ଭାଜପା ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ରାଇସିଂପୁର ସ୍ଥିତ ନୂତନ ଭାଜପା ଜିଲା କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ସର୍କିଟ ହାଉସକୁ ଫେରି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକ କରି ଗୁରୁମନ୍ତ୍ର ଦେବେ। ଏହାପରେ ୨୭ ତାରିଖ ଦିନ ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିବା ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତା ବୈଠକ ମାଧ୍ୟମରେ ସମ୍ବୋଧିତ କରିବେ। ଏହାରି ଭିତରେ ରାଜ୍ୟ ସଭାପତି ସାମଲ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ଓ ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ଜିଲା ସଭାପତି ପୋଢ଼ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ସଭାପତିଙ୍କ ଏହି ଗସ୍ତ କିପରି ସଫଳ ହେବ ସେ ନେଇ କଳାହାଣ୍ଡି ସାଂଗଠନିକ ୪୧ଟି ମଣ୍ଡଳର କାର୍ଯ୍ୟକର୍ତ୍ତା ଓ ଶୀର୍ଷ ନେତୃତ୍ୱଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲା ସଭାପତି ପୋଢ଼ ପ୍ରକାଶ କରିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଭାରତ ଭୂଷଣ ଦେଓ, ଜିଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, କୃଷକ ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ସୁଧୀର କୁମାର ମୁଣ୍ଡ, ତିରୁପତି ପ୍ରଧାନ,ଭବାନୀପାଟଣା ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର,ଜିଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।