ମୋଦୀଙ୍କୁ ରୁଷ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ

ମସ୍କୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରୁ ଦ ଆପୋଷ୍ଟେଲ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ଦେଇ ପୁତିନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତୀୟଙ୍କ ଶାନ୍ତି ଓ ସମୃଦ୍ଧିର କାମନା କରିଛନ୍ତି। ଦୁଇ ଦେଶର ସମ୍ବନ୍ଧ ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଥିବା ଭାରତର ପ୍ରଥମ ନେତା ହୋଇଛନ୍ତି। ଏହି ସମ୍ମାନ ଗ୍ରହଣ କରିବା ପରେ ମୋଦୀ ରାଷ୍ଟ୍ରପତି ପୁତିନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସମ୍ମାନ କେବଳ ମୋର ନୁହେଁ, ବରଂ ୧୪୦ କୋଟି ଭାରତବାସୀଙ୍କର ବୋଲି କହିଛନ୍ତି। ଏହା ଭାରତ ଏବଂ ରୁଷ୍‌ର ବନ୍ଧୁତା ଓ ବିଶ୍ବାସର ସମ୍ମାନ। ଏହା କୂଟନୈତିକ ସହଯୋଗର ସମ୍ମାନ ମଧ୍ୟ। ଗତ ୨.୫ ଦଶନ୍ଧିରେ ପୁତିନଙ୍କ ନେତୃତ୍ବରେ ଭାରତ ଏବଂ ରୁଷର ସମ୍ବନ୍ଧ ପ୍ରତି କ୍ଷେତ୍ରରେ ମଜବୁତ ହୋଇଛି। ଏହା ନୂଆ ଶିଖର ଛୁଇଁ ଚାଲିଛି। ଦୁଇ ଦେଶର ସମ୍ବନ୍ଧର ପୁତିନ ଯେଉଁ ମୂଳଦୁଆ ରଖିଥିଲେ ତାହା ସମୟର ସହିତ ମଜବୁତ ହୋଇ ପ୍ରଗାଢ଼ ହେବାରେ ଲାଗିଛି। ଦୁଇ ଦେଶର ପାରସ୍ପରିକ ସହଯୋଗ ଦ୍ବାରା ଲୋକଙ୍କ ଭବିଷ୍ୟତକୁ ଉନ୍ନତ କରିବା ଆଶା ମଧ୍ୟ ସଞ୍ଚାର ହେଉଛି ବୋଲି ମୋଦୀ କହିଛନ୍ତି।