ଅଧା ରହିଗଲା ଝିଅ ଜନ୍ମଦିନ ; କେକ୍ ଆଣିବାକୁ ଯାଇ ଫେରିଲେନି ବାପା
ସୋର/ବାହାନଗା : ବନାରସରେ ରହି କାମ କରୁଥିବା ଜଣେ ଯୁବକ ଝିଅର ଜନ୍ମଦିନ ପାଇଁ ଦୁଇଦିନ ତଳେ ଘରକୁ ଆସିଥିଲେ । ଆଜି ଜନ୍ମଦିନ ଥିବାରୁ ଘରେ ରଙ୍ଗବେରଙ୍ଗର ବେଲୁନ ସଜାଯାଇଥିଲା । ଘରେ ବନ୍ଧୁବର୍ଗଙ୍କୁ ଭିଡ ଥିଲା । ମାତ୍ର ଝିଅର ଜନ୍ମଦିନ କେକ୍ ଆଣିବାକୁ ଯାଉଥିବା ବେଳେ ବାଟରେ ଜଗି ବସିଥିଲା ଯମ । ଡମ୍ଫର ଧକାରେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସୋର ଥାନା ବାଗୁଡି ବଜାରରେ ।
ସୂଚନା ଅନୁସାରେ ମଙ୍ଗଳପୁର ଗ୍ରାମର ଉମାକାନ୍ତ ପାଢ଼ୀ(୩୫) ବନାରସରେ ରହି କାମ କରୁଥିବା ବେଳେ ଏକମାତ୍ର ୩ ବର୍ଷର ଝିଅ ପରୀର ଜନ୍ମଦିନ ପାଇଁ ଦୁଇ ଦିନ ତଳେ ଘରକୁ ଆସିଥିଲେ । ଆଜି ଅପରାହ୍ଣରେ ଜନ୍ମଦିନ କେକ ଆଣିବାକୁ ବାଇକ ଯୋଗେ ସୋର ଅଭିମୁଖେ ଆସୁଥିବା ବେଳେ ସୋର ଥାନା ବାଗୁଡି ବଜାର ନିକଟ ଭଗବତୀ ଟ୍ରେଡର୍ସ ସମ୍ମୁଖରେ ପଛରୁ ଆସୁଥିବା ଏକ ପଥର ବୋଝେଇ ଡ଼ମ୍ଫର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିବା ସହିତ ପରିବାର ଲୋକଙ୍କୁ ଓ ସୋର ପୁଲିସକୁ ଖବର ଦେଇଥିଲେ । ପୁଲିସ ଡାକ୍ତର ଖାନାରେ ପହଁଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।