ନବୀନଙ୍କ ପୋଲ୍‌ ଖୋଲିଦେଲେ ଦେବାଶିଷ

Naveen Patanaik, Odisha

ନବୀନଙ୍କ ପୋଲ୍‌ ଖୋଲିଦେଲେ ଦେବାଶିଷ

ଭୁବନେଶ୍ୱର : ବିଜେଡ଼ି ଓ ନବୀନଙ୍କର ପୋଲ୍‌ ଖୋଲି ଦେଇଛନ୍ତି ଦେବାଶିଷ ନାୟକ  । ଏକ ସାକ୍ଷାତକାରରେ ଦେବାଶିଷ ଦେଇଥିବା ବିସ୍ଫୋରକ ମନ୍ତବ୍ୟ ଏବେ ବିଜେଡ଼ିରେ ଆଲୋଡ଼ନ ସୃଷ୍ଟିକରିଛି  । ନବୀନ ଟ୍ରାପରେ ପଡ଼ିଯାଇଥିଲେ  । ତାଙ୍କୁ ତାଲା ପକାଇ ରଖାଯାଇଥିଲା  । ନ୍ୟୁନ କରି ଦେଖାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା  । ପାଣ୍ଡିଆନ୍‌ ଓ ବବି ଏଜେନ୍ସୀ ବିଜେଡ଼ିକୁ ବୁଡ଼ାଇ ଦେଇଥିଲେ  । ଯାହାଙ୍କ ବାପା ନବୀନଙ୍କୁ ଗାଳି ଦେଉଥିଲେ, ତାଙ୍କ ପୁଅ ମାମଲତି କଲେ  । ୨୦୧୨ରେ ଜଣେ ବ୍ୟକ୍ତିଙ୍କ ପାଖରେ ୧୫୦ କୋଟିର ଦଳୀୟ ପାଣ୍ଠି ଥିଲା  । ଏମିତି ଅନେକ ଗୁମର ଫିଟାଇଛନ୍ତି ଦେବାଶିଷ  ।

ଦେବାଶିଷ କହିଛନ୍ତିଯେ, ଜୟଲଳିତା ସିଣ୍ଡ୍ରୋମ ଭଳି ନବୀନଙ୍କୁ ତାଲା ପକାଇ ରଖାଯାଇଥିଲା  । ତାଙ୍କୁ କେବଳ ନନ୍ଦିଘୋଷ ଟିଭି ହିଁ ଦେଖା ଯାଉଥିଲା  । ଅନ୍ୟ ଟିଭି କି ଚ୍ୟାନେଲ ତାଙ୍କୁ ଦେଖାଇ ଦିଆଯାଉନଥିଲା  । କାଳେ କିଏ କଣ କହିଦେବେ ବୋଲି ତାଙ୍କୁ କାହା ସହ ମିଶିବାର ସୁଯୋଗ ଦିଆଯାଉନଥିଲା  । ଏକଦା ଅଶୋକ ଦାସ ନବୀନ ପଟ୍ଟନାୟକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ  । ନବୀନ ବାବୁ ଏକଥା ଭଲଭାବେ ଜାଣିଛନ୍ତି  । ହେଲେ ନବୀନ ବାବୁଙ୍କର କ’ଣ ହେଲା କେଜାଣି ସେମାନଙ୍କୁ ହିଁ ସବୁ ପ୍ରକାର ସୁଯୋଗ ଦେଲେ  ।

ବିଜେଡ଼ିର ହାରିବା ନେଇ ବରିଷ୍ଠ ନେତା ଦେବାଶିଷ ନାୟକ ଏକ ଭିନ୍ନ ଧରଣର ମନ୍ତବ୍ୟ ଦେଇଛନ୍ତି  । ଶଙ୍ଖ ଭବନ ପାଇଁ ବିଜେଡ଼ି ହାରିଲା ବୋଲି ସେ କହିଛନ୍ତି  । ଦେବାଶିଷ କହିଥିଲେଯେ, ଯେଉଁସ୍ଥାନରେ ଶଙ୍ଖ ଭବନ ହୋଇଛି ସେଠାରେ ବିଜେଡ଼ିର ପାର୍ଟି ଅଫିସ୍‌ ଥିଲା  । ଅପରିଷ୍କାର ହୋଇ ରହିଥିଲା  । ଏହାର ରିନୋଭେସନ ପାଇଁ ସେ ନବୀନ ପଟ୍ଟନାୟକଙ୍କୁ କହିଥିଲେ  । ନବୀନ ବାବୁ କହିଥିଲେଯେ, କିଛି ଦରକାର ନାହିଁ  । ଏ ଘରଟା ମୋ ପାଇଁ ଲକି  । କିନ୍ତୁ ଯେଉଁଦିନ ସେହି ପାର୍ଟି ଅଫିସ୍‌ ଭଙ୍ଗା ହେଲା ସେଦିନ କିଛି ନା କିଛି ଘଟିବ ବୋଲି ମୁଁ ଭାବିଥିଲି  । ଶଙ୍ଖ ଭବନରେ ଶହ ଶହ କୋଟି ଖର୍ଚ୍ଚ କରାଗଲା  । ତାହା ଏବେ ବିଜେଡ଼ି ପାଇଁ ଅନଲକି ହୋଇଗଲା ବୋଲି ଦେବାଶିଷ କହିଛନ୍ତି  ।

ଦିଲ୍ଲୀପ ରାୟ ଦଳ ଗଢ଼ିଥିଲେ  । କିନ୍ତୁ ଦିଲ୍ଲୀପ କ’ଣ ଭୁଲ୍‌ କରିଥିଲେ ? ବରିଷ୍ଠ ନେତାଙ୍କୁ ନବୀନ ବାବୁ ବାହାର କରି ନିଜେ ଶାସନ କରିବାକୁ ଚାହିଁଥିଲେ  । ସେ ଦୁଇଟି ବହି, ଚାଣକ୍ୟ ଓ ଔରଙ୍ଗଜେବ ବହି ପଢ଼ିକି ଶାସନ କରୁଥିଲେ  । ନବୀନଙ୍କୁ ଭୁଲ ମନ୍ତ୍ରଣା ଦିଆଗଲା, ନବୀନଙ୍କୁ ସ୍ପଷ୍ଟୀକରଣ ଦେବାର କାହାକୁ ସୁଯୋଗ ମିଳିଲାନାହିଁ  । ୨୦୦୯ ପର୍ଯ୍ୟନ୍ତ ନବୀନ ବାବୁ ବହୁତ ହସ ଖୁସି ମଜା କରୁଥିଲେ  । ସେହିପରି ପାଣ୍ଡିଆନ୍‌ ଆଗରୁ ନେତାମାନଙ୍କୁ ସମ୍ମାନ ଦେଉଥିଲେ  । ଠିଆହୋଇ ନମସ୍କାର କରୁଥିଲେ  । କିନ୍ତୁ ପରେ ନବୀନବାବୁଙ୍କୁ ଟ୍ରାପ୍‌ କରି ଦିଆଗଲା  । ଏକ ସୁବର୍ଣ୍ଣ ଇତିହାସକୁ କିଛି ଅଫିସରଙ୍କୁ ପାଖରେ ରଖି ସେ ଲିଭାଇ ଦେଇଛନ୍ତି  । କଣ୍ଟାବାଞ୍ଜିରେ ହାରିବା ପାଇଁ ହିଁ ତାଙ୍କୁ ପଠାଯାଇଥିଲା  ।  ନବୀନବାବୁଙ୍କ ହସ ଭିଡ଼ିଓ ବସ ଭିତରୁ କିଏ ଉଠାଇକି ଛାଡ଼ିଥିଲା ବୋଲି ସେ ପ୍ରଶ୍ନ କରିଥିଲେ ? ନବୀନଙ୍କୁ ଛୋଟ କରିବା ପାଇଁ ଉଦ୍ୟମ କରାଯାଉଥିଲା  । ନବୀନଙ୍କ ସହ ଶ୍ରଦ୍ଧାର ଫଟୋକୁ କିଏ ଭାଇରାଲ୍‌ କରିଥିଲେ ? ଏନେଇ ଡିଏସ କୁଟ୍ଟେଙ୍କୁ ସେ ମେସେଜ୍‌ କରିଥିଲେ  । ନବୀନଙ୍କ ସହ ସେ ଝିଅର ଫଟୋ ଇଟାଲୀରୁ କିଏ ପଠାଇଲା ? ନବୀନଙ୍କୁ ନ୍ୟୁନ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ସେ କହିଛନ୍ତି  ।

ସେହିପରି ଯାଜପୁର ନେତା ବବି ଦାସ ସବୁଠୁ ଖରାପ  । ନିଜ ମା’ଙ୍କୁ ବି ଜିତାଇ ପାରିଲେନି  । ଯାଜପୁରର ନେତାମାନେ ଏବେ ଲୋକଙ୍କ ପାଖକୁ ଯାଇପାରୁନାହାନ୍ତି  । ପାଣ୍ଡିଆନ୍‌ ଏଜେନ୍ସୀ ଓ ବବି ଏଜେନ୍ସୀ ଦଳଟାକୁ ବୁଡେ଼ଇ ଖାଇଗଲେ  । ଟିକେଟ ବିକ୍ରି ହେବାର ବି ପ୍ରମାଣ ଅଛି  । କଳ୍ପତରୁ ଦାସ କ’ଣ କରୁଥିଲେ ତାହା ସମସ୍ତେ ଜାଣିଛନ୍ତି  ।  

ଚଳିତ ନିର୍ବାଚନରେ ପୋଷ୍ଟରରୁ ବିଜୁବାବୁଙ୍କ ଫଟୋକୁ ଗାୟବ କରିଦେଲେ  । ଯାଜପୁରର ନେତା ଆଉ ଜଣେ ଲୋକର ଫଟୋ ମରାଗଲା  । ବିଜୁବାବଙ୍କ ଋଣକୁ ଓଡ଼ିଶାବାସୀ ନବୀନ ବାବୁଙ୍କୁ ଶୁଝାଇଥିଲେ  । ଦିନଥିଲା ନବୀନବାବୁ ସବୁ କଥା ଟିକିନିଖି ଭାବେ ବୁଝୁଥିଲେ  । କିନ୍ତୁ କେମିତି ଟ୍ରାପ୍‌ ହୋଇଗଲେ ତାହା ବୁଝିହେଲାନି  ।

ପ୍ୟାରୀବାବୁ ଯେମିତି ଗ୍ରୁପ କରୁଥିଲେ, ପାଣ୍ଡିଆନ୍‌ ବି ସେମିତି ଗ୍ରୁପ୍‌ କରିଥିଲେ  । ଗ୍ରୁପ୍‌ କରି ଦଳକୁ ହାଇଜାକ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଚଉକିକୁ ହାତେଇବା ପାଇଁ ଲକ୍ଷ୍ୟ ରଖିବାକୁ କେହି ଗ୍ରହଣ କରିପାରିବେ ନାହିଁ  । ନବୀନ ନିବାସରେ ସିସିଟିଭି ଲାଗିଥିଲା, ମୋବାଇଲ୍‌ ଫୋନରେ କନେକ୍ଟ କରି ତାହାକୁ ଦେଖୁଥିଲେ  । ନବୀନଙ୍କୁ ଏମିତି ଗୃହବନ୍ଦୀ କରିବା ଘଟଣାକୁ ଲୋକେ ସହଜରେ ଗ୍ରହଣ କରିପାରିଲେ ନାହିଁ  । 

ପ୍ୟାରୀବାବୁ ଯେଉଁଦିନ ମେଡ଼ିକାଲ ଯାଇ ଆଉ ଫେରିଲେନି, ସେ ଏୟାରପୋର୍ଟରେ ମୋତେ କହିଥିଲେ ଦଳର ୧୫୦ କୋଟି ଟଙ୍କା ଗୋଟେ ପିଲା ପାଖରେ ରହିଗଲା  । ସିଏମଙ୍କୁ କହିଦେବେ, ସେଇଟା ମାଗି ନେଇଯିବେ  । ମୁଁ ଯଦି ସବୁ ଖୋଲିବି, ତାହେଲେ ନିଅାଁ ଲାଗିଯିବ  । ପ୍ୟାରୀବାବୁଙ୍କ ଘଟଣା ପରେ ଯଦି ନବୀନ ଚେତି ଯାଇଥା’ନ୍ତେ ତାହେଲେ ଆଜି ଏମିତି ସ୍ଥିତି ଦେଖିବାକୁ ମିଳିନଥା’ନ୍ତା  । ପାଳିଆ ଧରି ମିଡ଼ିଆ ଆଗରେ ବସି ଯାଉଥିବା ନେତାଙ୍କୁ ଧରି ସେ ଦଳ ଚଳାଇଲେ  । ନବୀନଙ୍କ ମୁକୁଟ, ପାଦ ତଳୁ ମାଟି ଯେଉଁ ନେତାମାନେ ନେଇଗଲେ ସେହି ନେତାଙ୍କୁ ନେଇ ସେ ଏବେବି ଦଳ ଚଳାଉଛନ୍ତି  । ଆଗକୁ ଆହୁରି ବୁଡ଼ିବେ ବୋଲି ସେ କହିଛନ୍ତି  ।