ନୂତନ ଅଧ୍ୟକ୍ଷଙ୍କ ଏମ୍ସ ଗସ୍ତ  ; ଦେଶରେ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବ ଏମ୍ସ : ଡ. ଅନୀତା

ଭୁବନେଶ୍ୱର : ପୂର୍ବ ଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ବ୍ରାଣ୍ଡ୍‌ ପାଲଟିଛି ଏମ୍ସ ଭୁବନେଶ୍ୱର । ଚିକିତ୍ସା ବିଜ୍ଞାନ, ରୋଗୀସେବା ଏବଂ ଗବେଷଣା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ବିଶ୍ୱାସ ଜିଣିବାରେ ସଫଳ ହୋଇଛି । ତେବେ ରାଷ୍ଟ୍ରୀୟ ସ୍ତରରେ ଦକ୍ଷତା ବିକାଶ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ଉତ୍‌ପ୍ରେରକ ଭାବେ କାର୍ଯ୍ୟକରିବ । ନୂତନ ଭାବେ ଏହି ମର୍ଯ୍ୟାଦାଜନକ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଏମ୍ସକୁ ପ୍ରଥମ ଗସ୍ତରେ ଆସି ଏପରି ମତବ୍ୟକ୍ତ କରିଛନ୍ତି ଡ. ଅନୀତା ସକ୍‌ସେନା । ଓଡିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ବିହାର ଓ ଆନ୍ଧ୍ରପ୍ରଦେଶ ଭଳି ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନକ୍ଷେତ୍ରରେ ଏମ୍ସ ଭୁବନେଶ୍ୱରର ବ୍ୟାପକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ଏମ୍ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷ ଡ. ଅନୀତା ସକ୍‌ସେନା । ବିଭିନ୍ନ ବିଭାଗର ଓପିଡି ପରିଦର୍ଶନ କରିବା ସହିତ, ଏକାଧିକ ଭିତ୍ତିଭୂମି ଏବଂ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଯାଞ୍ଚ କରିଥିଲେ ଏବଂ ରୋଗୀ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରି, ଅନ୍ତର୍ଭୁକ୍ତୀକରଣ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିଲେ ।