ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡିର ବିକ୍ଷୋଭ

ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡିର ବିକ୍ଷୋଭ

ଭୁବନେଶ୍ଵର :  ଦରବୃଦ୍ଧି ପ୍ରତିବାଦରେ  ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଆଜି ବିଜେଡି ଲୋୟର ପିଏମଜିଠାରେ ବିଶାଳ ଗଣ ବିକ୍ଷୋଭ କରିବ। ଏଥିରେ ରାଜ୍ୟର ହଜାର ହଜାର ଜନତା ସାମିଲ ହେବେ । ବିଜେପି ଦେଇଥିବା ମିଛ ପ୍ରତିଶ୍ରୁତି ଓ ବିଫଳ ଅର୍ଥନୈତିକ ପରିଚାଳନା ଏବଂ ଅହେତୁକ ଦରବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଯୁବ ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଦରବୃଦ୍ଧି ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ଶ୍ରୀମତୀ ଛୁରିଆ କହିଛନ୍ତି, ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି। ଡବଲ ଇଞ୍ଜିନ, ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ବିଫଳ ହୋଇଛନ୍ତି। ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ୱରରେ ୫.୪୮%କୁ ଛୁଇଁଛି। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୬.୬୮% ହୋଇଛି। ‘ଉଜ୍ଜ୍ବଳା’ ଯୋଜନା ଏକ ନିର୍ବାଚନ ଧୂଆଁବାଣ ଥିଲା। ଶ୍ରୀ ରାୟ କହିଛନ୍ତି, ମୁଦ୍ରାସ୍ଫୀତି ବୃଦ୍ଧି ତାଲିକାରେ ପ୍ରଥମ ୮ଟି ରାଜ୍ୟ ମଧ୍ୟରେ ସାତଟି ବିଜେପିଶାସିତ ରାଜ୍ୟ ରହିଛି। ଛତିଶଗଡ଼, ବିହାର, ଓଡ଼ିଶା ଓ ୟୁପି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲାବେଳେ ପଞ୍ଚମ ସ୍ଥାନରେ ଅଣ ବିଜେପି ଶାସିତ ରାଜ୍ୟ ଭାବେ କେରଳ ରହିଛି। ମଧ୍ୟପ୍ରଦେଶ, ଗୁଜରାଟ ଓ ହରିଆଣା ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ଶ୍ରୀ ତ୍ରିପାଠୀ କହିଥିଲେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହିସାବରେ ଦେଶର ପେଟ୍ରୋଲ ଓ ଡିଜେଲ ଦର ସ୍ଥିର କରାଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା; ହେଲେ ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ଦେଶରେ ପେଟ୍ରୋଲ, ଡିଜେଲ ଦର ବଢ଼ୁଛି ବା ଅପରିବର୍ତ୍ତିତ ରହୁଛି। ଦରବୃଦ୍ଧି ନିୟନ୍ତ୍ରଣକୁ ଆଣିବାରେ ସରକାର ବିଫଳ ହେଲେ ଆଗାମୀ ଦିନରେ ରାଜ୍ୟର ପ୍ରତି ବ୍ଲକ ଓ ପଞ୍ଚାୟତସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।