ନବୀନ କହିଲେ : ବିଜେପି ମିଛ କାନ୍ଧେଇ ବୁଲିବେ ବିଜେଡ଼ି ନେତା

Naveen Patanaik, Odisha

ନବୀନ କହିଲେ : ବିଜେପି ମିଛ କାନ୍ଧେଇ ବୁଲିବେ ବିଜେଡ଼ି ନେତା

କ୍ଷମତାରେ ନଥିଲେବି ଓଡିଶାର ସେବା କରିବି : ନବୀନ
ରଙ୍ଗ ଓ ନାମ ବଦଳାଇପାରିବେ, ହେଲେ ଇତିହାସ ନୁହେଁ
ଆରମ୍ଭ ହେଲା ବିଜେଡ଼ିର ପଦଯାତ୍ରା

ଭୁବନେଶ୍ୱର : ମିଛ କହି ବିଜେପି କ୍ଷମତାକୁ ଆସିଛି  । ହାତୀ ଦେବି, ଘୋଡ଼ା ଦେବି କହି ଭୋଟ୍‌ ନେଲେ  । ହେଲେ ଫଳ ଶୂନ୍‌  । ସେମାନେ ରଙ୍ଗ ଓ ନାମ ପରିବର୍ତ୍ତନ କରିପାରନ୍ତି, କିନ୍ତୁ ଇତିହାସ ନୁହେଁ  । ବିଜେପିର ମିଛ ଓ ଅପରାଗତାକୁ ଲୋକଙ୍କ ପାଖରେ ପହଁଚାଅ  । ପଦଯାତ୍ରାର ଶୁଭାରମ୍ଭ କରି ଏହି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ  ।

ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ୫୭ ନମ୍ବର ୱାର୍ଡରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ନବୀନ  । ନବୀନ କହିଛନ୍ତିଯେ, ସେବା ସ୍ୱାଭିମାନ ବିଜେଡିର ମନ୍ତ୍ର  । ବିକାଶ ହେଉଛି ବିଜେଡିର ପରିଚୟ  । ବିଜେଡିର ଚବିଶ ବର୍ଷ ଶାସନରେ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେଯେ, ବିକାଶର ବିଭିନ୍ନ ମାନକରେ ଓଡିଶା ବିଜେପି ଶାସିତ ବହୁ ଡବଲ ଇଞ୍ଜିନ ରାଜ୍ୟ ଠାରୁ ଆଗରେ  । ଆର୍ଥିକ ସ୍ଥିରତା ଆସିଛି, ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି ଓ ଗରିବୀ ହ୍ରାସ ପାଇ ୧୦%ରେ ପହଁଚିଛି  । 
ବିଜେପି ସରକାର ଯୋଜନାର ନାମ ପରିବର୍ତ୍ତନକୁ କଟାକ୍ଷ କରି ଶ୍ରୀ ପଟ୍ଟନାୟକ କହିଥିଲେଯେ, ଆପଣ ରଙ୍ଗ ଓ ନାମ ବଦଳାଇପାରିବେ କିନ୍ତୁ ଇତିହାସ ବଦଳାଇପାରିବେ ନାହିଁ  । ବିଜେପି ମିଛ କାହାଣୀ, ମିଛ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଛି  । ୩୦୦ ୟୁନିଟ ମାଗଣା ବିଜୁଳି, ମା’ମାନଙ୍କୁ ୫୦ ହଜାର ଟଙ୍କା ଓ ୩ ହଜାର ଟଙ୍କାକୁ ଭତ୍ତା ବୃଦ୍ଧି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି  । ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ  । କିନ୍ତୁ ଫଳ ଶୂନ  । ଏବେ ବିଜେପିର ମିଛ ଧରାପଡ଼ିଯାଇଛି  । ମିଛ କହି ନିର୍ବାଚନ ଜିତିପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ  ।

ଦରଦାମ ଉପରେ ଲଗାମ ନାହିଁ  । ମା’ମାନେ ଥାନାରେ ବି ସୁରକ୍ଷିତ ନୁହନ୍ତି  । ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି  । ବିଜେପି ସରକାର ଉପରେ ଲୋକ ଭରସା କରି ପାରୁନାହାନ୍ତି  । ବିଜେପିର ମିଛ ପ୍ରତିଶ୍ରୁତି ଓ ସରକାରର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଶ୍ରୀ ପଟ୍ଟନାୟକ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ  ।

ଶ୍ରୀ ପଟ୍ଟନାୟକ କହିଲେ, ଲୋକଙ୍କ ଭଲ ପାଇବା ବିଜେଡିର ସବୁଠାରୁ ବଡ଼ ଶକ୍ତି  । ୨୦୨୪ ନିର୍ବାଚନରେ ବିଜେପି ସରକାରକୁ ଆସିଛି କିନ୍ତୁ ବିଜେଡି ସବୁଠାରୁ ଅଧିକ ଭୋଟ ପାଇଛି  । ସେ କ୍ଷମତାରେ ଥାନ୍ତୁ ବା ନ’ଥାନ୍ତୁ ଶେଷ ପର୍ଯ୍ୟନ୍ତ ଓଡିଶା ବାସୀଙ୍କର ଓ ଓଡିଶା ମାଟିର ସେବା କରିଚାଲିବେ  । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ଜେନା, ମେୟର ସୁଲୋଚନା ଦାଶ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ  ।