ଏବେ ଅକ୍ଷୟ କାହାର?


ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ
ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତର ଦେଉଳପଦୀ ଗ୍ରାମର ଅକ୍ଷୟ କୁମାର ସାମଲ ବିଜେଡିରେ ମିଶ୍ରଣ ଖବର ପ୍ରକାଶିତ ହେବା ୪୮ ଘଣ୍ଟା ପରେ ମୂଳ ଦଳ ବିଜେପିର ମିଟିଂ ମଞ୍ଚରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିବାରୁ ରାଜନୈତିକ ମିଶ୍ରଣ ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଛି । ଅକ୍ଷୟ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ପକ୍ଷରୁ ୨୪ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ । ମାତ୍ର ଗତ ୨୩ ତାରିଖ ଗୁରୁବାର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜିବ ମଲ୍ଲିକଙ୍କ ବାସଭବନରେ ବିଜେଡି ଦଳରେ ଯୋଗଦେଇ ସଞ୍ଜିବଙ୍କ ହାତରୁ ଦଳୀୟ ଉତ୍ତରୀୟ ଗ୍ରହଣ କରୁଥିବା ଦୃଶ୍ୟ ପ୍ରସାରିତ ହୋଇଥିଲା । ଅତୀତରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବାରୁ ଅକ୍ଷୟଙ୍କ ଏହି ମିଶ୍ରଣକୁ ଗୁରୁତ୍ୱ ଦିଆଯାଇଥିଲା । ମାତ୍ର ଗତ ଶନିବାର ମାଳଦାରେ ବିଜେପିର ଜୋନସ୍ତରୀୟ ପବ୍ଲିକ ମିଟିଂ ମଞ୍ଚରେ ଅକ୍ଷୟଙ୍କ ଉପସ୍ଥିତି ଜନସାଧାରଣଙ୍କ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା । ଏବେ ନିର୍ବାଚନ ସମୟରେ ପ୍ରଚାରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆଧାର ଭାବେ ରାଜନୈତିକ ମିଶ୍ରଣକୁ ଗ୍ରହଣ କରାଯାଉଛି । ରାଜନୈତିକ ଦଳ ପକ୍ଷରୁ ମିଶ୍ରଣ ଘଟଣାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯାଇ ଦଳ ସପକ୍ଷରେ ମାହୋଲ ସୃଷ୍ଟି କରିବା ଉଦ୍ୟମ ହେଉଛି । ଯେଉଁ ଦଳ ଯେତେ ମିଶ୍ରଣ କରାଇ ପାରିଲା ସେହିଦଳ ଜନମାସନରେ ଅଧିକ ଗ୍ରହଣୀୟ ବୋଲି ସାମାଜିକ, ଛାପା ଓ ବୈଦୁ୍ୟତିକ ଗଣମାଧ୍ୟମରେ ଘନ ଘନ ପ୍ରଚାର ହେବା ଦ୍ୱାରା ଦଳ ଅଗ୍ରଣୀ ସ୍ଥିତିରେ ଅଛି ବୋଲି ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ ହେଲା । ଏଥିଯୋଗୁ ସତରେ ହେଉ କି ମିଛରେ ହେଉ ମିଶ୍ରଣର ପ୍ରତିଯୋଗୀତା ଦଳମାନଙ୍କ ମଧ୍ୟରେ ଚାଲିବା ସ୍ୱାଭାବିକ କଥା । ଏହାର ସୁଯୋଗ ନେଇ ତଳସ୍ତରର କୁଜି ନେତାମାନେ ଆଜି ଏ ଦଳ କାଲି ସେ ଦଳ ହୋଇ ବେଶ ଦି ପଇସା କମାଇବା କାହାକୁ ଅଜଣା ନାହିଁ । ଭୋଟ ଖଣ୍ଡିଏ ପାଇଁ ରାଜନୈତିକ ଦଳମାନେ ବିକଳରେ ଖୋଲାରେ ବା ଲୁଚାଛପାରେ ମିଶ୍ରଣ କରି ଉଲ୍ଲସିତ ହେବା ସାର ହୋଇଛି । ମାତ୍ର ଏହି ଖବରକୁ ଲୋକେ ଉପହାସ କରିବା ଜଣାଶୁଣା କଥା ।