ମେୟର: ଆମେ ସମସ୍ତେ ଏକଜୁଟ ଅଛୁ

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନାମ ନେଉନି । ତେବେ ବିଜେଡି ବିବାଦରେ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ । ବିଜେଡିର ୫୭ ଜଣ କର୍ପୋରେଟର ଏକାଠି ଅଛନ୍ତି ବୋଲି ଶ୍ରୀମତୀ ଦାସ କହିଛନ୍ତି ।
ସେ କହିଛନ୍ତି ଯେ ସବୁ ବିଜେଡି କର୍ପୋରେଟର ଏକ ଅଛନ୍ତି । ଆମେ ଏକାଠି କାମ କରୁଛୁ । ଯେଉଁମାନେ ବିଭୀଷଣ କଥା କହୁଛନ୍ତି, ସେକଥା ସେମାନେ କହିପାରିବେ ।  କାହାର ବ୍ୟକ୍ତିଗତ ରାଗରୁଷା ଅଛି, ସେକଥା କହିପାରିବିନି ବୋଲି ସୁଲୋଚନା ଦାସ କହିଛନ୍ତି । 

ପ୍ରକାଶ ଯେ ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଭୁବନେଶ୍ବର ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ । ବିଶେଷ କରି ଏହି ଗୋଷ୍ଠୀ କନ୍ଦଳ ବିଏମସି କର୍ପୋରେଟରଙ୍କ ଭିତରେ ଦେଖିବାକୁ ମିଳିଛି । ବିଜେଡିର ସଂଖ୍ୟା ଗରିଷ୍ଠତା ବିଏମସିରେ ରହିଥିଲେ ମଧ୍ୟ ବିଜେଡି କର୍ପୋରେଟରମାନେ ଏକାଠି ସ୍ୱରକୁ ଶାଣିତ ନକରି ନିଜ ଭିତରେ ତୁ ତୁ ମେଁ ମେଁ ହେବା ଆରମ୍ଭ କରିଦେଲେଣି । ୨ ଗୋଷ୍ଠୀ ହୋଇ ଜଣେ ଆର ଜଣଙ୍କ ଉପରେ ଆରୋପ ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଛି । ଯାହା ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।
ତେବେ ବିଜୁ ଜନତା ଦଳରେ ବିଭୀଷଣ ଅଛନ୍ତି । ସେମାନେ ଦଳକୁ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ କରୁଛନ୍ତି ବୋଲି ବୁଧବାର ବିଜେଡି କର୍ପୋରେଟର ଅମରେଶ ଜେନା କହିବା ପରେ ଭୁବନେଶ୍ୱର ବିଜେଡି ଦୁଇଫାଳ ହେବା ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି । ଅନ୍ୟପଟେ ବିଜେଡି ଏକ ହୋଇ ଅଛି ଏଥିରେ କୌଣସି ଫାଟ ନାହିଁ ବୋଲି କହି ଅମରେଶଙ୍କୁ କାଉଣ୍ଟର କରି କରିଛନ୍ତି କିଛି ବିଜେଡି କର୍ପୋରେଟର ।
ବୁଧବାର ବିଏମସି ଓ୍ବାର୍ଡ ନଂ. ୪୫ର ବିଜେଡି କର୍ପୋରେଟର ଅମରେଶ ଜେନା କହିଥିଲେ, "ଦଳରେ କିଛି ବିଭୀଷଣ ଅଛନ୍ତି ଯେଉଁମାନେ ଦଳକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଆମେ ଏକାଠି ଅଛୁ ଓ ରହିବୁ । ଏନେଇ ଦଳର ସଭାପତି ଅବଗତ ଅଛନ୍ତି । ସେ ତାଗିଦ କରିଛନ୍ତି । କିନ୍ତୁ କିଛି ଲୋକ ନିଜର ପତିଆରା ଜାହିର ପାଇଁ ବିଭାଜନ କରୁଛନ୍ତି ତାର ଉଚିତ ଜବାବ ମିଳିବ । ବିଏମସି ସେମାନଙ୍କ ଅଲଗା ଉଦ୍ୟମରେ ଭାଙ୍ଗିବନି ଆମେ ଏକାଠି ଅଛୁ । ଯେଉଁ ବିଭୀଷଣ ଏଭଳି କରୁଛନ୍ତି ଆଗକୁ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ ।"

ସେପଟେ କହିଥିଲେ ଏକ ହୋଟେଲରେ ବିଜେଡିର ସବୁ କର୍ପୋରେଟର ଏକାଠି ଅଛନ୍ତି ବୋଲି କହି ୨୨ ଜଣ କର୍ପୋରେଟର ନିଜର ମତ ରଖିଥିଲେ । ବିଜେଡିରେ ବିଭୀଷଣ ରହିଥିବା ଅମରେଶ ଜେନାଙ୍କ ମନ୍ତବ୍ୟକୁ କାଉଣ୍ଟର କରିଥିଲେ । ବିଭୀଷଣ ଆଉ କେହି ନୁହେଁ, ଯେଉଁ ଦୁଇ ଜଣ ଦଳ ଦୁଇ ଫାଳ ବୋଲି ମନ୍ତବ୍ୟ ଦେଉଛନ୍ତି ସେମାନେ ନିଜେ ନିଜେ ଜଣେ ଜଣେ ବିଭୀଷଣ ବୋଲି କହିଥିଲେ କର୍ପୋରେଟର ନୃପେଶ ଜେନା । ସେ କହିଛନ୍ତି, "ନିର୍ବାଚନ ହାରିବା ପରେ ଦଳ ଆତ୍ମା ସମୀକ୍ଷା କରୁଛି । ଦଳର ସଭାପତି ଏହାର ରିପୋର୍ଟ ଜନସାଧାରଣଙ୍କ ପାଖରେ ରଖିବେ । ହେଲେ ଏଭଳି ସ୍ଥିତିରେ ଦଳ ହାରିବାର କିଛିଦିନ ଭିତରେ କ୍ଷମତା ଲୋଭି କିଛି ନେତା ଦଳକୁ ଦୁଇଫାଳ କରିବାର ପ୍ରୟାସ ସହ ଦଳ ଡେଇଁବାର ଚେଷ୍ଟାରେ ଲାଗିପଡ଼ିଲେଣି । ବିରୋଧୀ ଭାବେ କେବେ ସେ ରହିବାକୁ ଚାହୁଁନଥିବା ବେଳେ କ୍ଷମତା ଯୁଆଡେ ସିଆଡେ ନିଜର ଗତିକରି ଡଙ୍ଗାକୁ କଣା କରି ଲୁଟୁଥିବା ଥିବା ମୂଷା ପରି ଡଙ୍ଗାରୁ ଡେଇଁଲେଣି । ଅପରିପକ୍ଵ ମସ୍ତିଷ୍କ ନେଇ ରାଜନୀତି କରି ଦଳକୁ ଭାଗଭାଗ କରିବାର ମତ ରଖୁଛନ୍ତି ହେଲେ ପଦ ପଦବୀରେ ଥିବା ଯୋଗୁ ଯାଇପାରୁନାହାନ୍ତି ।"

ସେହିପରି କର୍ପୋରେଟର ମାୟାମୟୀ ସ୍ୱାଇଁ କହିଥିଲେ, କିଏ ଦଳରେ ଫାଟ ସୃଷ୍ଟି କରୁଛି ତାହା ସୋସିଆଲ ମିଡ଼ିଆରରୁ ଜଣାପଡୁଛି । ବିଜେପି ନେତାଙ୍କ ସହ କିଏ ଫୋଟୋ ଉଠାଉଛି ଆଉ କ୍ଷମତା ଥିବା ଦଳକୁ ଡେଇଁବାର ଇଙ୍ଗିତ ଦେଉଛନ୍ତି । ତେଣୁ ତାଙ୍କର ଏହି ମନ୍ତବ୍ୟ ବା ଦଳ ଭାଙ୍ଗିବାର ପ୍ରୟାସ କିଛି କାମଦେବନି