ରାଗିଗଲେ ନବୀନ, ଏବେ ଆକ୍ସନ
Naveen Pattanaik Biju Janata Dal
ଭୁବନେଶ୍ୱର : ବିଜେଡ଼ିରେ ଏବେ ଗୋଷ୍ଠୀକନ୍ଦଳ ଜୋର୍ ଧରିଛି । ଯାହା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷକରି ରାଜଧାନୀ ଛାତିରେ ବିଜେଡ଼ି କନ୍ଦଳକୁ ନବୀନ ସହଜରେ ଗ୍ରହଣ କରିପାରିନାହାନ୍ତି । ଏବେ ନବୀନ ଆକ୍ସନ ମୁଡ଼କୁ ଆସି ଯାଇଛନ୍ତି । ଦଳରେ ଗୋଷ୍ଠୀ କନ୍ଦଳ ଓ ଗଣମାଧ୍ୟମରେ କଥା କଟାକଟି ଅଧିକ ଦେଖିବାକୁ ମିଳୁଛି । ଫଳରେ ବାହାରକୁ ଏକ ଖରାପ ବାର୍ତ୍ତା ଯାଉଛି । ବେଳ ଥାଉଥାଉ ବନ୍ଧ ବାନ୍ଧିବା ନ୍ୟାୟରେ ନବୀନ ଏବେ ପୁରୁଣା ଫର୍ମକୁ ଫେରିଛନ୍ତି । ନବୀନ ଆକ୍ସନ ମୁଡ଼କୁ ଆସିବାର ନଜିର ଦେଖିବାକୁ ମିଳିଛି ।
୨୦୨୪ ନିର୍ବାଚନ ବେଳଠାରୁ ଭୁବନେଶ୍ୱର ବିଜେଡ଼ିରେ ସବୁ କିଛି ଠିକ୍ ଚାଲୁନାହିଁ । ଗୋଟିଏ ପଟେ ଅମରେଶ ଜେନା ବନାମ ଅନନ୍ତ ଜେନାଙ୍କ ମଧ୍ୟରେ ବିବାଦ ଚାଲିଛି । ସେପଟେ ଅଶୋକ ପଣ୍ଡା ବନାମ ବିରଞ୍ଚି ମହାସୁପକାରଙ୍କ ମଧ୍ୟରେ ବି କଳି ଜୋରଧରିଛି । ବିଜେଡିର ବୈଠକରେ ହେଉ ଅବା ବାହାରେ ଉଭୟ ମୁହାଁମୁହିଁ ହେଉଛନ୍ତି । ନିକଟରେ ଶଙ୍ଖ ଭବନରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ରାଜେଶ ପାତ୍ରଙ୍କୁ ନେଇ ଶଙ୍ଖ ଭବନରେ ତୁମୁଳ କାଣ୍ଡ ହୋଇଥିଲା । ବିଧାୟକ ଅନନ୍ତ ଜେନା ଓ ଅଶୋକ ପଣ୍ଡାଙ୍କ ସହ ଥିବା କର୍ପୋରେଟରମାନେ ସିଧାସଳଖ ଅମରେଶ ଓ ବିରଞ୍ଚିକୁ ବିରୋଧ କରିଥିଲେ । ଏହାକୁ ନେଇ ଗଣମାଧ୍ୟମରେ ବି ଉଭୟ ପକ୍ଷ ମତାମତ ରଖିଥିଲେ । ସେହିପରି ଅନନ୍ତ ଓ ଅଶୋକ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଥିଲେ । ଉଭୟ ଅମରେଶ ଓ ବିରଞ୍ଚିଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ସେମାନେ ଦାବି କରିଥିଲେ ।
ନବୀନ ଏହାକୁ ଗୁରୁତର ସହ ଗ୍ରହଣ କରିବା ପରେ ୪ ନେତାଙ୍କୁ ନୋଟିସ୍ ଦିଆଯାଇଛି । ଜିଲ୍ଲା ସଭାପତି ସୁଶାନ୍ତ ରାଉତ ୪ ନେତାଙ୍କୁ ନୋଟିସ୍ ଦେଇଛନ୍ତି । ୪୫ ନମ୍ବର ୱାଡର଼୍ର କର୍ପୋରେଟର ଅମରେଶ ଜେନା, ୫୯ ନମ୍ବର ୱାଡର଼୍ର କର୍ପୋରେଟର ବିରଞ୍ଚି ମହାସୁପକାର, ଯୁବ ବିଜେଡ଼ି ନେତା ରାଜେଶ ପାତ୍ର ଓ ଛାତ୍ର ବିଜେଡ଼ି ନେତା ବିବେକ ସ୍ୱାଇଁଙ୍କୁ ନୋଟିସ୍ ଦିଆଯାଇଛି । ୧୫ ଦିନ ଭିତରେ ସେମାନେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି । ଯଦି ସେମାନଙ୍କ ଉତ୍ତର ସନ୍ତୋଷଜନକ ନହୁଏ ତେବେ ଏହି ୪ ନେତାଙ୍କୁ ଦଳରୁ ନିଲମ୍ବିତ କରାଯିବାର ସମ୍ଭାବନା ରହିଛି । ସେପଟେ ଅଶୋକ ଓ ବୁନୁଙ୍କ ଗୋଷ୍ଠୀ ନବୀନଙ୍କ ଆକ୍ସନକୁ ନେଇ ଉତ୍ସାହିତ ହୋଇପଡ଼ିଥିବା ଜାଣିବାକୁ ମିଳିଛି । ନବୀନଙ୍କ ଏହି ଆକ୍ସନ ଦଳକୁ ମଜବୁତ କରିବ ନା ତାହାକୁ ନେଇ ଝଡ଼ ସୃଷ୍ଟିହେବ ତାହା ଦେଖିବାକୁ ବାକି ରହିଲା ।