ତୁଟିଲାନି ସେବିକା କର୍ମଚାରୀ ଅଡୁଆ

Nurse

ତୁଟିଲାନି ସେବିକା କର୍ମଚାରୀ ଅଡୁଆ

ଭୁବନେଶ୍ୱର : ଓଡ଼ିଶା ସେବିକା କର୍ମଚାରୀ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି  । ସଂଘ ପକ୍ଷରୁ ପୂର୍ବଭଳି ଧାରଣା ଦିଆଯିବା ସହ ଆନ୍ଦୋଳନ ଜାରିରହିଛି  । ଆଜି ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ବୈଠକ ଆଜି ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ଦିବା ୧୧.୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନର୍ସିଂ ଅଫିସରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନେ ସରକାର ସମୟାନ୍ତରରେ ତାଙ୍କର ବହୁପୁରୁଣା ସମସ୍ୟା ସମାଧାନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନାହିଁ  । ବରଂ ଧାରଣା ଓ ଆନ୍ଦୋଳନ ଜାରିରହିବ ବୋଲି କୁହାଯାଇଛି  ।

ସରକାରଙ୍କ ପକ୍ଷରୁ କୁହାଯାଇଛିଯେ, ୨୦୨୧ରେ ଖାଲି ଥିବା ୬୪୩୨ ଟି ପଦବୀମଧ୍ୟରୁ ୪୬୮୩ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା  । ସେହିପରି ଦୁଇବର୍ଷ ପରେ ପୁନଶ୍ଚ ୨୦୨୩ ମସିହାରେ ୭୪୮୩ ଟି ଖାଲି ପଦବୀ ମଧ୍ୟରୁ ୩୭୩୮ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା  । ବିଭିନ୍ନ ଯୋଜନା ଅଧୀନରେ କାର୍ଯ୍ୟରତ ୩୦୧୬ ଜଣ ସେବିକାଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରର ବେସଲେବେଲ ପଦବୀରେ ସାମିଲ କରାଯାଇଛି ଏବଂ ଚୁକ୍ତିଭିତ୍ତିକ ନିୟମ-୨୦୨୨ ଲାଗୁ ହେବା ପରେ କ୍ୟାଡର ନିୟମ ଅନୁଯାୟୀ ଆଜି ସୁଦ୍ଧା ୨୮୮୩ ଜଣ ସେବିକାଙ୍କୁ ନିୟମିତ କରାଯାଇଛି  । ଚୁକ୍ତିଭିତ୍ତିକ ନର୍ସିଂ ଅଫିସରମାନଙ୍କ ଚାକିରୀ ନିୟମିତ ହେଲାପରେ ରିପିଲ ନିୟମ - ୨୦୨୨ ଅନୁଯାୟୀ ସେମାନଙ୍କୁ ସେବାକ୍ଷେତ୍ରରେ ବରିଷ୍ଠତାର ସୁବିଧା ପ୍ରଦାନ କରାଯାଇଛି  । କ୍ୟାଡର ପୁନର୍ଗଠନ ଯୋଗୁଁ ପ୍ରାୟ ୧୧୯୩୩ ଜଣ ନର୍ସିଂ ଅଫିସର ପଦୋନ୍ନତିପାଇ ବିଶେଷ ଭାବରେ ଉପକୃତ ହେବେ  ।

ସେବିକାମାନଙ୍କର ଉତ୍ସର୍ଗିକୃତ ସେବାକୁ ସମ୍ମାନ ଜଣାଇ ସେମାନଙ୍କୁ ନର୍ସିଂ ଅଫିସର ଭାବେ ପୁନଃନିଯୁକ୍ତ କରାଯାଇଛି । ଏହି ବୈଠକରେ ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନେ ସରକାରଙ୍କୁ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ । ସମସ୍ୟାଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସମସ୍ୟା ଗୁଡିକୁ ସମ୍ବେଦନତା ସହିତ ଗ୍ରହଣ କରାଯାଇ ନର୍ସିଂ ଅଫିସରମାନଙ୍କ ସହିତ ନିୟମିତ ଭାବରେ ଆଲୋଚନା କରାଯିବ । ନର୍ସିଂ ଅଫିସରଙ୍କ ସେବା ଅତ୍ୟାବଶ୍ୟକ ସେବା ହୋଇଥିବାରୁ ସେମାନଙ୍କୁ ଆନ୍ଦୋଳନ ପଥରୁ ଓହରି ରୋଗୀମାନଙ୍କୁ ସେବା ଯୋଗାଇଦେବା ପାଇଁ ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ, ନର୍ସିଂ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ  ।