ଦୀନକୃଷ୍ଣଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ : ଝାରପଡ଼ା ଜେଲରେ କ୍ରାଇମବ୍ରାଞ୍ଚ୍‌ ଟିମ୍‌

Dinakrushna Pollygraph Test

ଦୀନକୃଷ୍ଣଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ : ଝାରପଡ଼ା ଜେଲରେ କ୍ରାଇମବ୍ରାଞ୍ଚ୍‌ ଟିମ୍‌

ଦୀନକୃଷ୍ଣଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ : ଭରତପୁର ଥାନାର ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ । ଏନେଇ କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହ ଏନେଇ ଦୀନବନ୍ଧୁଙ୍କ ସ୍ୱୀକାରୋକ୍ତିକୁ ଅପେକ୍ଷା କରିଥିଲେ । ଦୀନବନ୍ଧୁ ବୁଧବାର କୋର୍ଟରେ ହାଜର ହୋଇ ନିଜ ତରଫରୁ ଏହି ଟେଷ୍ଟ ପାଇଁ ରାଜିଥିବା କୋର୍ଟକୁ ଲିଖିତ ଭାବେ ଜଣାଯାଇଛି । ଦୀନକୃଷ୍ଣଙ୍କ ସ୍ୱୀକାରୋକ୍ତି ପରେ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ୍‌ ତାଙ୍କୁ ଗୁଜରାଟ ସ୍ଥିତ ଗାନ୍ଧୀନଗର ସ୍ଥିତ ଫରେନ୍ସିକ ଲାବ୍ରୋଟେରୀକୁ ନେଇ ସେଠାରେ ତାଙ୍କର ପଲିଗ୍ରାଫ୍‌ ଟେଷ୍ଟ ସହ ନାର୍କୋ ଆନାଲିସସ୍‌ ଓ ବ୍ରେନ ମେକିଙ୍ଗ ଟେଷ୍ଟ କରିବ ବୋଲି ସ୍ପଷ୍ଟ କରାଯାଇଛି । ଦୀନକୃଷ୍ଣଙ୍କ ଏଭଳି ନିଷ୍ପତ୍ତିକୁ ପୁଲିସ ମହଲରେ ସ୍ୱାଗତ କରାଯାଇଛି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପୁଲିସ ବଦନାମ ହୋଇଛି । ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣଙ୍କ ନାମରେ ପୀଡ଼ିତା ଯୁବତୀ ଜଣଙ୍କ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ପୁଲିସକୁ ବେଶ ହଟହଟା ହେବାକୁ ପଡ଼ିଥିଲା । ତେଣୁ ନାର୍କୋ ଟେଷ୍ଟ ପରେ ସତ କ’ଣ ତାହା ପଦାକୁ ଆସିବ ବୋଲି ପୁଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଝାରପଡ଼ା ଜେଲରେ କ୍ରାଇମବ୍ରାଞ୍ଚ୍‌ ଟିମ୍‌ : ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍‌ ଟିମ ଆଜି ଝାରପଡ଼ା ଜେଲରେ ଅଧୀକ୍ଷକ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଛି । ଆହତ ଅବସ୍ଥାରେ ଜେଲକୁ ଆସିଥିବା ପୀଡ଼ିତାଙ୍କର ସେହି ସମୟର ସ୍ୱାସ୍ଥ୍ୟାବସ୍ଥା ବାବଦରେ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ପଚରାଉଚରା କରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲକୁ ପଠାଗଲା । ଅଥଚ ପୂର୍ବରୁ କଣ ପାଇଁ ତାଙ୍କୁ ଜେଲରେ ରଖି ଚିକିତ୍ସା କରାଯାଇଥିଲା ବୋଲି ଜାଣିବାକୁ କ୍ରାଇମବ୍ରାଞ୍ଚ୍‌ ଟିମ ଖୋଳତାଡ କରିଛି । ଅନ୍ୟପଟେ ମିଛଧରା ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ୍‌ ଆସନ୍ତକାଲି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି । ପୀଡ଼ିତାଙ୍କ ପରିବାର କ୍ରାଇମବ୍ରାଞ୍ଚ୍‌ର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଥିବାରୁ ତଦନ୍ତର ଏହି ଦିଗଟି ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । ୧୫ ତାରିଖ ଦିନ ସକାଳେ ଭରତପୁର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଥିଲା । କୋର୍ଟରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ୧୭ ତାରିଖ ପର୍ଯ୍ୟନ୍ତ ସେ ଝାରପଡା ଜେଲରେ ରହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ସେ ୨ ଦିନ ଚିକିତ୍ସିତ ହୋଇଥିଲେ । ଏହାପରେ ୧୯ ତାରିଖ ଦିନ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା ଏବଂ ସେ ହସ୍ପିଟାଲରୁ ମଧ୍ୟ ଘରକୁ ଫେରିଥିଲେ  । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍‌ ଟିମ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଭେଟି କୋର୍ଟ ଚାଲାଣ ପୂର୍ବରୁ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚରାଉଚରା କରିସାରିଛି ।