ଦେବାଶିଷ କହିଲେ ନବୀନ ହେବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେମିତି
Odisha BJP

ଭୁବନେଶ୍ୱର : ୨୦୦୦ରୁ ୨୦୨୪ । ଚବିଶ ବର୍ଷ ଧରି ବିଜୁ ଜନତା ଦଳ ଶାସନ କ୍ଷମତାରେ ରହିଥିଲା । ନବୀନ ପଟ୍ଟନାୟକ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ବି ସୌଭାଗ୍ୟ ପାଇଛନ୍ତି । ତେବେ ଦଳୀୟ ନେତାଙ୍କ ଅହଙ୍କାର ପାଇଁ ଓଡ଼ିଶାବାସୀ ବିଜେଡ଼ିକୁ ୫ ବର୍ଷ ପାଇଁ ବିଶ୍ରାମ ଦେଇଛନ୍ତି । ବିଜେଡ଼ି ଠାରୁ କ୍ଷମତା ଚଉକି ଛଡ଼ାଇ ଆଣି ବିଜେପିକୁ ଦେଇ ଦେଇଛନ୍ତି । ହେଲେ ବିଜେଡ଼ିର କ୍ଷମତା ନିଶା ଛାଡୁନାହିଁ । କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଦଳ ପ୍ରସ୍ତୁତ ହେଉଛି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ବ୍ୟବଚ୍ଛେଦ କଲେ ଏହାହିଁ ସ୍ପଷ୍ଟ ପ୍ରତିପାଦିତ ହେଉଛି ।
କଂଗ୍ରେସ କରିଥିବା ଭୁଲ୍ର ମୂଳଦୁଆ ଉପରେ ବିଜେଡ଼ି ଠିଆ ହୋଇଥିଲା । ବିଜୁବାବୁଙ୍କ ଜନତା ଦଳରୁ ନେଇ ନବୀନଙ୍କ ବିଜୁ ଜନତା ଦଳ ପର୍ଯ୍ୟନ୍ତ, ଏହି ଯାତ୍ରା କଂଗ୍ରେସ ବିରୋଧରେ ହିଁ ରହିଥିଲା । କିନ୍ତୁ ସାଂସଦ ଶ୍ରୀ ସାମନ୍ତରାୟ ଏକ ଦଳୀୟ କାର୍ଯ୍ୟକ୍ରମରେ କହିଛନ୍ତିଯେ, ‘ହାଇକୋର୍ଟରେ ବିଜେପିର କେତେକ ବିଧାୟକଙ୍କ ବିରୋଧରେ ମାମଲା ହୋଇଛି । ମୁଁ ନବୀନ ପଟ୍ଟନାୟକଙ୍କୁ କହିଲି ଆପଣ ଉପନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତୁ । ଆପଣ ଖାଲି ହାତ ହଲାଇଦେବେ । ଆମ ଆସନ ସଂଖ୍ୟା ୬୦ ହେଇଯିବ । କଂଗ୍ରେସ ସହ ହାତ ମିଳାଇ ଆମେ ସରକାର ଗଢ଼ିବା ।’ ଏମିତିକି ସେଠାରେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ ବୋଲି ଦେବାଶିଷ କହିଛନ୍ତି । ଦେବାଶିଷଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି କଟାକ୍ଷ କରିଛି । ପୂର୍ବରୁ କଂଗ୍ରେସ ସହ ବିଜେଡ଼ି ମିଶିକି ଥିଲା ବୋଲି ଦେବାଶିଷଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି । ଖାଲି ବିଜେପି ବିଧାୟକଙ୍କ ବିରୋଧରେ ନୁହେଁ, ବିଜେଡ଼ିର କେତେକ ବିଧାୟକଙ୍କ ବିରୋଧରେ ବି ହାଇକୋର୍ଟରେ ମାମଲା କରାଯାଇଛି ।