ତପସ୍ୟା ଶବ୍ଦଟା ନବୀନଙ୍କ ମୁହଁରେ ଶୋଭାପାଉନି’: କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର : କନ୍ଧମାଳ ଜିଲାରେ ଆମ୍ବଟାକୁଆ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟଣାରେ ନବୀନଙ୍କ ଅଭିଯୋଗର ଜବାବ ଦେଇ ଭାଜପା ବରିଷ୍ଠ ନେତା ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ବିଷାକ୍ତ ଖାଦ୍ୟଜନିତ ମୃତ୍ୟୁ ବୋଲି ଡାକ୍ତର କହି ସାରିଛନ୍ତି। ତେଣୁ ଏନେଇ ଅଯଥା ରାଜନୀତି କରା ନ ଯାଉ। ୨୪ ବର୍ଷର କଥା ଛାଡ଼, ବାର ବର୍ଷ ଧରି ଯଦି ଠିକ୍ ଭାବେ ତପସ୍ୟା କରିଥାଆନ୍ତେ, ତାହାହେଲେ ନବୀନ ଭଲଭାବରେ ଓଡ଼ିଆ କହିପାରି ଥାଆନ୍ତେ। ସିଏ ଆଦୌ ତପସ୍ୟା କରିନାହାନ୍ତି। ୨୪ ବର୍ଷ କାଳ ସେମାନଙ୍କ ବିଧାୟକ ଓ ମନ୍ତ୍ରୀମାନେ ରାଜ୍ୟକୁ ଲୁଟିଛନ୍ତି। କେତେ ଲୁଟିଛନ୍ତି, ତାହାର ହିସାବ ନାହିଁ। ତେଣୁ ତପସ୍ୟା ଶବ୍ଦଟା ତାଙ୍କ ମୁହଁରେ ଶୋଭାପାଉନି। ତାଙ୍କ ସମୟରେ ରାୟଗଡ଼ା ଜିଲା କାଶୀପୁରରେ ଆମ୍ବଟାକୁଆ ଖାଇ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ କ’ଣ ଚାଉଳର ଅଭାବ ଥିଲା କି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲାରେ ଆମ୍ବଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଅସୁସ୍ଥ ହୋଇଥିଲେ। ଅସୁସ୍ଥଙ୍କର ଏବେ ମଧ୍ୟ ଚିକିତ୍ସା ଚାଲିଛି। ଏହାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।