ମେଜରଙ୍କ ବାନ୍ଧବୀଙ୍କୁ ଏମିତି କହିଲେ ପ୍ରଭାତୀ
PRAVATI PARIDA
ଭୁବନେଶ୍ୱର : ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ମେଜରଙ୍କ ବାନ୍ଧବୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଏମ୍ସରେ ଭେଟିଛନ୍ତି । ଉପମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ପୀଡିତାଙ୍କୁ ଭେଟି ପୁରା ଘଟଣା ବିଷୟରେ ଶୁଣିବା ସହ ଡିସିପିଙ୍କ ସହ ଆଲୋଚନା କରି ଏହା ଉପରେ ହୋଇଥିବା ତଦନ୍ତ ସମ୍ପର୍କରେ ବୁଝିଛନ୍ତି ।
ସେ କହିଛନ୍ତିଯେ, କେସ୍ ଏବେ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଡିଜିପି ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ପୀଡିତାକୁ ଭେଟିବାକୁ ଆସିଛି । ସରକାର ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଜିରୋ ଟଲେରାନ୍ସ ଘୋଷଣା କରିଛନ୍ତି । ତେଣୁ ଦୋଷୀ ଯିଏ କେହି ବି ହେଉ ରିପୋର୍ଟ ତ୍ୱରିତ ଆସିବ ଏବଂ ନିର୍ଦ୍ଧିଷ୍ଟ ଦିନରେ ଆସିବ । ଦୋଷୀ ଯିଏ କେହି ବି ହେଉ ଦଣ୍ଡ ନିହାତି ପାଇବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ରିପୋର୍ଟ ଖୁବ କମ୍ ଦିନରେ ଆସିବ ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛି ଏବଂ ତାହାକୁ ଆମେ କାମରେ କରିକି ଦେଖାଇବୁ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହିସାବରେ ଦାୟିତ୍ୱ ସମ୍ପନ୍ନ ହୋଇ ଯିଏ ଦୋଷୀ ସିଏ ଦଣ୍ଡ ପାଇବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପୀଡିତାର ଅବସ୍ଥା ବର୍ତ୍ତମାନ ଭଲ ଅଛି କିନ୍ତୁ ଯାହା ସହିତ ଏଭଳି ଘଟଣା ହୋଇଥିବ ମାନସିକ ସ୍ତରରେ ସେ ନିହାତି ଦୁର୍ବଳ ହୋଇଯିବା ସ୍ୱାଭାବିକ । ପୀଡିତା, ତାଙ୍କ ସହ ଯାହା ଘଟିଛି ସେ ସବୁକୁ ଉପମୁଖ୍ୟମନ୍ତ୍ରୀ ଆଗରେ ପ୍ରକାଶ କରିଛନ୍ତି ଏବଂ ଏହା ଉପରେ ଆକ୍ସନ ନିଶ୍ଚିତ ହେବ ବୋଲି ସେ କହିଛନ୍ତି ।