ଫେବୃଆରୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ

ଫେବୃଆରୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ

ଭୁବନେଶ୍ୱର : ଫେବୃଆରୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ଏଥିଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହେବ। ଏହାପରେ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ପ୍ରସ୍ତୁତ କାର୍ଡ ପ୍ରଦାନ କରାଯିବ। ତେବେ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗି ଏମ୍‌ଓୟୁ ସ୍ବାକ୍ଷରିତ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଉଭୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ସେଠାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ ଥର ଲାଗି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବାକୁ ଯାଉଛି। ପୂର୍ବରୁ ବିଜେଡି ସରକାର ସମୟରେ ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇ ନ ଥିଲା। ଯେଉଁଥିଲାଗି କେନ୍ଦ୍ରୀୟ ନେତାମାନେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ତତ୍କାଳୀନ ବିଜେଡି ସରକାରକୁ ବାରମ୍ବାର ଟାର୍ଗେଟ କରୁଥିଲେ। ହେଲେ ଓଡ଼ିଶା ଭାଜପା ଶାସନ କ୍ଷମତାକୁ ଆସିବା ପରେ ଏଠାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବାକୁ ଯାଉଛି। ଅନ୍ୟପଟେ ରାଜ୍ୟ ସରକାର ନିଜସ୍ବ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରିଛନ୍ତି।