ଭୋଟ ଚୋରିର ଅଭିଯୋଗ ଥିଲେ ଫୋନ କରି ଅଭିଯୋଗ କରିପାରିବେ: ରାହୁଲ ଗାନ୍ଧୀ

ନିର୍ବାଚନରେ ଭୋଟ ଚୋରି ହେଉଛି । ଆଉ ନିର୍ବାଚନ କମିସନ ବିଜେପି ସହ ମିଶି ଦେଶର ଲୋକତନ୍ତ୍ରକୁ ହତ୍ୟା କରୁଛି । ରାହୁଲ ଗାନ୍ଧୀ ଏଭଳି ଅଭିଯୋଗ ଆଣି ପୂରା ନିର୍ବାଚନ କମିସନକୁ ହରଡ଼ ଘଣାରେ ପକାଇଛନ୍ତି । ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ସରଗମ ହୋଇଛି । ପୂର୍ବତନ ନିର୍ବାଚନ କମିସନ ଓ ଇଣ୍ଡିଆମେଣ୍ଟରେ ଥିବା ସହଯୋଗୀଦଳମାନେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି । ହେଲେ ନିର୍ବାଚନ କମିସନ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ନା ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ନା ପ୍ରତିକ୍ରିୟା ଦେଉଛନ୍ତି । ନିର୍ବାଚନ କମିସନର ଏକ ରାଜନୈତିକ ବୟାନବାଜି ଭଳି ରାହୁଲ ଗାନ୍ଧୀଙ୍କୁ ଶପଥ ପାଠ ଦେବାକୁ କହିବା ସହ ଶପଥ ପାଠ ନଦେଲେ କ୍ଷମା ମାଗିବାକୁ କହୁଛନ୍ତି । ଏସବୁ ଭିତରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଭୋଟ ଚୋରି (ଜଣେ ବ୍ୟକ୍ତି ଗୋଟିଏ ଭୋଟ) ନେଇ ଭାରତର ଯେଉଁ ଲୋକତାନ୍ତ୍ରିକ ସିଦ୍ଧାନ୍ତ ଥିଲା ତା ଉପରେ ନିର୍ବାଚନ କମିସନ ଆକ୍ରମଣ କରଉଛନ୍ତି । ନିରପେକ୍ଷ ନିର୍ବାଚନ ପାଇଁ ସ୍ୱଚ୍ଛ ମତଦାତା ସୂଚୀ ଅର୍ନିବାର୍ଯ୍ୟ ବୋଲି ରାହୁଲ କହିଛନ୍ତି ।
ରାହୁଲ କହିଛନ୍ତି କି, ନିର୍ବାଚନ ଆୟୋଗଙ୍କ ପାଖରେ ଆମର ଦାବି ସ୍ପଷ୍ଟ । ପାରଦର୍ଶିତା ଦେଖାନ୍ତୁ ଓ ଡିଜିିଟାଲ ମତଦାତା ସୂଚୀ ସାର୍ବଜନୀନ କରନ୍ତୁ । ଫଳରେ ଜନତା ଓ ରାଜନୈତିକଦଳମାନେ ଏହାର ଅଡିଟ୍ କରିପାରିବେ । ଏହାସହ ସେ ଦେଶର ରାଜନୈତିକ ଦଳ ଓ ସାଧାରଣ ଜନତା ତାଙ୍କୁ ସମର୍ଥନ କରନ୍ତୁ ବୋଲି ରାହୁଲ କହିଛନ୍ତି । ଏନେଇ ରାହୁଲ ଗାନ୍ଧୀ ଏକ ୱେବସାଇଟ ଜାରି କରିଛନ୍ତି (http://votechori.in/ecdemand) । ଯଦି ଆପଣ ଭୋଟ ଚୋରି ନେଇ କୌଣସି ଅଭିଯୋଗ କରିବାକୁ ଚାହାନ୍ତି ତେବେ ଏହି ୱେବସାଇଟକୁ ଯାଇ ଅଭିଯୋଗ କରିପାରିବେ । ଏହାସହ ୯୬୫୦୦୦୩୪୨୦ ନମ୍ବରରେ ମଧ୍ୟ ମିସଡ୍ କଲ କରି ଅଭିଯୋଗ କରିପାରିବେ । ସେପଟେ ରାହୁଲ ଗାନ୍ଧୀଙ୍କ ଏଭଳି ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ କହିଛନ୍ତି କି, ରାହୁଲ ଗାନ୍ଧୀ ବିନା ତଥ୍ୟ ପ୍ରମାଣରେ ଏଭଳି ସଙ୍ଗିନ ଅଭିଯୋଗ ଆଣୁଛନ୍ତି ।