ଟିଏମ୍ସିରେ ଫାଟ ନେଇ ହେଉଥିବା ଚର୍ଚ୍ଚାରେ ଅଭିଷେକ ପକାଇଲେ ପୂର୍ଣ୍ଣଚ୍ଛେଦ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଭଟ୍ଟା ପକାଇଛନ୍ତି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ। କୋଲକାତାସ୍ଥିତ ଇନ୍ଡୋର ଷ୍ଟାଡିୟମରେ ଦଳୀୟ ନେତାଙ୍କୁ ସମ୍ବୋଧିତ କରି ଟିଏମ୍ସି ସାଧାରଣ ସମ୍ପାଦକ ଅଭିଷେକ କହିଛନ୍ତି, ସେ ଜଣେ ଶୃଙ୍ଖଳିତ ସୈନିକ। ମମତା ହେଉଛନ୍ତି ତାଙ୍କ ନେତା। ତାଙ୍କ ତଣ୍ଟି କାଟିଦେଲେ ବି ସେ ଟିଏମ୍ସିଠାରୁ ପୃଥକ ହୋଇ ଭିନ୍ନ ରାଜନୈତିକ ଦଳ ଗଢ଼ିବେ ନାହିଁ କିମ୍ବା ଭାଜପାରେ ମିଶିବେ ନାହିଁ। ନିର୍ବାଚନ ପାଖେଇ ଆସିଲେ ବିରୋଧୀ ଦଳଗୁଡିକ ଏଭଳି ଅପପ୍ରଚାର କରିଥାନ୍ତି। ଯେଉଁମାନେ କହୁଛନ୍ତି, ମୁଁ ଭାଜପାରେ ମିଶିବି, ସେମାନେ ଜାଣିରଖିବା ଉଚିତ ଯେ, ସେମାନେ ମୋର ତଣ୍ଟି କାଟିଦେଲେ ମଧ୍ୟ ମୋ ପାଟିରୁ କେବଳ ‘ମମତା ବାନାର୍ଜୀ ଜିନ୍ଦାବାଦ’ ସ୍ଲୋଗାନ ବାହାରିବ। ନିକଟରେ ଟିଏମ୍ସିର ସାଙ୍ଗଠନିକ କାର୍ଯ୍ୟକ୍ରମଗୁଡ଼ିକରେ ଡାଇମଣ୍ଡ ହାର୍ବର ସଂସଦୀୟ ଆସନର ଏମ୍ପି ଅଭିଷେକଙ୍କ ଅନୁପସ୍ଥିତିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏଥିରେ ସେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।