ବ୍ୟବସାୟ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତିରେ ପରିଣତ ହେବ ଗଞ୍ଜାମ: କେନ୍ଦ୍ରମନ୍ତ୍ରୀ

 ଛତ୍ରପୁର:  ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ । ଗଞ୍ଜାମର ମାନବସମ୍ବଳକୁ ଉପଯୋଗ କରି ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ପାଇଁ ଆମକୁ ଦାୟିତ୍ୱ ନେବାକୁ ହେବ ବୋଲି ରବିବାର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଆୟୋଜିତ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ପଡ଼ିଥିଲା କଟକର ଇଦଗା ପଡ଼ିଆରେ । ତେବେ ଏହା ପୂର୍ବରୁ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ଉଦ୍ୟମରେ ରମ୍ଭା ରାଜ ପ୍ରସାଦରେ ପ୍ରଥମ ରମ୍ଭା ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ଆନୁଷ୍ଠାନିକ ସମିତି ଗଠନ ଲାଗି ପ୍ରସ୍ତାବ ଦିଆଯାଇଥିଲା  । ଗଞ୍ଜାମର ଲୋକମାନେ ଅଧିକ ଦକ୍ଷ, ଯେଉଁମାନେ ଗୁଜୁରାଟ, ସୁରଟ ସମେତ ବାହାର ରାଜ୍ୟରେ କାମ କରି ସେଠାକାର ଅର୍ଥନୀତିକୁ ବଢାଉଛନ୍ତି  । ଦୁଃଖର ବିଷୟ, ଏହି ଜିଲ୍ଲାରୁ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଗଞ୍ଜାମ ଯେଉଁଠି ପହଞ୍ଚିବା କଥା, ସେଇଠି ପହଞ୍ଚିପାରିନାହିଁ  । ପ୍ରତ୍ୟେକ ଘରୁ ଯୁବକମାନେ ନିଜ ମାଆ ଭଉଣୀଙ୍କୁ ଛାଡି, ଭିଟାମାଟିକୁ ତ୍ୟାଗ ଦେଇ ରୋଜଗାର ଆଶାରେ ବାହାରକୁ ଯାଉଛନ୍ତି । ଏହା ହେଉଛି ମୂଳ ପ୍ରଶ୍ନ  । ବିନା ଗଞ୍ଜାମ ଜିଲ୍ଲାର ବିକାଶରେ ବିକଶିତ ଓଡ଼ିଶା ହୋଇପାରିବ ନାହିଁ । ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ  । ଆମର ଦାୟିତ୍ୱ ଏହି ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି କରିବା  । ଏଠାକାର ଶିକ୍ଷା, ଦକ୍ଷତାକୁ ଆଗକୁ ନେବାକୁ ହେବ । ଏହି ସମସାମୟିକ ସ୍ଥିତିରେ ଆମର ଯୁବପିଢିମାନେ ଲକ୍ଷ୍ୟ ରଖିବା ଉଚିତ୍, କେବଳ ରୋଜଗାର କରିବା ନାହିଁ ବରଂ ରୋଜଗାର ଦେବା ପାଇଁ ଚେଷ୍ଟା କରିବା । ବୁଣାକାରମାନଙ୍କ ବ୍ୟବସାୟକୁ ବଢାଇବା ସହ ହସ୍ତତନ୍ତ ପୋଷାକର ପୁନଃ ପରିଚୟ ଦେବାକୁ ଦାୟିତ୍ୱ ନେବାକୁ ହେବ । ଗଞ୍ଜାମରେ ସଡ଼କ, ରେଳ, ବନ୍ଦର ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ଗଞ୍ଜାମ, ଗୋପାଳପୁର, ବ୍ରହ୍ମପୁରକୁ ବ୍ୟବସାୟ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ ଓ ଅଞ୍ଚଳର ବିଧାୟକମାନେ ଯୋଗଦେଇଥିଲେ ।